ଆଇସୋଲେସନ୍ ବ୍ୟବସ୍ଥା ପାଇଁ ନୂଆ ଏସ୍ଓପି ଜାରି କଲା ବିଏମ୍‌ସି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସ୍ଥିତି ବେଶ୍‌ ଗମ୍ଭୀର ରହିଛି । ଦୈନିକ ୫୦୦ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ରାଜଧାନୀର କରୋନା ସ୍ଥିତିକୁ ଆଇସୋଲେସନ୍‌ ବ୍ୟବସ୍ଥା ପାଇଁ ନୂଆ ଏସ୍‌ଓପି ଜାରି କରିଛି ବିଏମ୍‌ସି । ଭୁବନେଶ୍ୱର ମହାନଗର ନିଗମରେ ଥିବା ଆଇସୋଲେସନ୍ ବ୍ୟବସ୍ଥା ପାଇଁ ଜାରି ହୋଇଛି ନୂଆ ଏସ୍ଓପି । ହୋମ୍ ଓ ପେଡ୍ ଆଇସୋଲେସନ୍‌ରେ ଥିବା ବ୍ୟକ୍ତିଙ୍କ ଉପରେ ଏଣିକି ବିଏମ୍‌ସି ପକ୍ଷରୁ ରଖାଯିବ କଡ଼ା ନଜର । ୨୪ ଘଣ୍ଟିଆ ଡାକ୍ତରୀ ସେବା ଓ ପରାମର୍ଶ ଯୋଗାଇବା ନେଇ ବିଏମ୍‌ସି ପକ୍ଷରୁ ବ୍ୟବସ୍ଥା ହୋଇଛି ।

ହୋମ୍ ଆଇସୋଲେସନ୍‌ରେ ଥିବା ଲକ୍ଷଣବିହୀନ ଓ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସେମାନଙ୍କ ସ୍ଥିତିକୁ ଦେଖି ସେବା ଯୋଗାଯିବ । ଏହାସହ ପ୍ରତ୍ୟେକ ଜୋନ୍‌ରେ ଗୋଟିଏ ଲେଖାଁଏ ସ୍ୱତନ୍ତ୍ର ଆମ୍ବୁଲାନ୍ସ ମହଜୁଦ୍ ରଖିବା ନେଇ ଏସ୍ଓପିରେ ଉଲ୍ଲେଖ ରହିଛି। ଏହାଛଡ଼ା ଆକ୍ରାନ୍ତଙ୍କୁ କେଉଁଠାକୁ ସ୍ଥାନାନ୍ତର କରାଗଲା ସେ ନେଇ ମଧ୍ୟ ସବିଶେଷ ତଥ୍ୟ ରଖାଯିବା ବ୍ୟବସ୍ଥା ହୋଇଛି।

ପ୍ରତ୍ୟେକ ଆକ୍ରାନ୍ତଙ୍କ ପାଇଁ ୨୪ ଘଣ୍ଟିଆ ଟେଲିଫୋନ୍ ସେବା ଉପଲବ୍ଧ ରହିବ। ସେହି ଫୋନ୍ ନମ୍ବର ଦୁଇଟି ହେଲା, ୧୮୦୦ ୩୪୫ ୦୦୬୧ ଏବଂ ୦୬୭୪ – ୨୪୧୩୧୨୫୩ । ତିନୋଟି ସିଫ୍ଟରେ ଡାକ୍ତରଙ୍କୁ ଏଥିପାଇଁ ନିୟୋଜିତ କରାଯାଇଥିବାର ସୂଚନା ରହିଛି।