‘ପ୍ଲେ ବଏ’ ଅନଲାଇନ ଗାଜିନ ନାଁରେ କେସ କଲେ ଦୃଷ୍ଟିହୀନ, କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ : ପ୍ରସିଦ୍ଧ ଆମେରିକୀୟ ପତ୍ରିକା ‘ପ୍ଲେ ବଏ’ ବିରୋଧରେ ଜଣେ ଦୃଷ୍ଟିହୀନ ବ୍ୟକ୍ତି କରିଛନ୍ତି ମାମଲା । ଏହି ମାମଲାକୁ ନେଇ ଏବେ ଚର୍ଚ୍ଚା । ଦୃଷ୍ଟିହୀନ ବ୍ୟକ୍ତିଜଣକ ଅଭିଯୋଗ କରିଛନ୍ତି ଯେ, ‘ପ୍ଲେ ବଏ’ ଅନଲାଇନ ମ୍ୟାଗାଜିନରୁ ସେ ଆନନ୍ଦ ଉଠାଇ ପାରୁନାହାନ୍ତି । ମେନ୍ସ ଲାଇଫଷ୍ଟାଇଲ ଏବଂ ଏଣ୍ଟରଟେନମେଣ୍ଟ ମ୍ୟାଗାଜିନ ‘ପ୍ଲେ ବଏ’ ପତ୍ରିକାଟିରେ ମଡେଲ ମାନଙ୍କର ବିଭିନ୍ନ ଅଙ୍ଗଭଙ୍ଗୀ ଓ ଷ୍ଟାଇଲର ନ୍ୟୁଡ୍ ଏବଂ ସେମିନ୍ୟୁଡ୍ ଫଟୋ ପ୍ରକାଶିତ ହୋଇଥାଏ । ୧୯୫୩ରେ ଆରମ୍ଭ ହୋଇଥିବା ଏହି ପତ୍ରିକାର ଲୋକପ୍ରିୟତା ଢେର । ଏପରିକି ଏହା ବିଭିନ୍ନ ଭାଷାରେ ପ୍ରକାଶିତ ହୋଇଥାଏ । ଏହା ବିରୋଧରେ କୋର୍ଟରେ ମାମଲା ଦାୟର କରିଛନ୍ତି ଡୋନାଲ୍ଡ ନିକ୍ସନ ନାମକ ଜଣେ ବ୍ୟକ୍ତି ।

ନିକ୍ସନ ଜଣେ ଦୃଷ୍ଟିହୀନ । ତାଙ୍କର ଅଭିଯୋଗ ହେଲା ସ୍ବତନ୍ତ୍ର ସ୍କିରନ୍ ରିଡିଙ୍ଗ ସଫ୍ଟୱେୟାର ସତ୍ତ୍ବେ ସେ ‘ପ୍ଲେ ବଏ’ ଅନଲାଇନ ମ୍ୟାଗାଜିନର ପ୍ରାପ୍ତବୟସ୍କଙ୍କ ଲାଗି ଉଦ୍ଦିଷ୍ଟ ବା ପର୍ଣ୍ଣ ସାଇଟ୍ ପଢିପାରୁନାହାନ୍ତି ବା ସେଥିରୁ ମଜ୍ଜା ଉଠାଇ ପାରୁନାହାନ୍ତି । ତେଣୁ ସେ ଆମେରିକୀୟ ସିଭିଲ କୋର୍ଟରେ କରିଥିବା ଆବେଦନରେ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି ଯେ, ‘ପ୍ଲେ ବଏ’ ମ୍ୟାଗାଜିନ ତାର ଅନଲାଇନ ଏଡିସନକୁ ଦୃଷ୍ଟିହୀନଙ୍କ ଲାଗି ସହଜ ହେବାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଅନ୍ତୁ । ଦୃଷ୍ଟିହୀନଙ୍କ ଲାଗି ପଢିବା ଦେଖିବାର ବ୍ୟବସ୍ଥା ନକରି ‘ପ୍ଲେ ବଏ’ ତାଙ୍କ ଭଳି ଦୃଷ୍ଟିହୀନଙ୍କ ଲାଗି ପାତର ଅନ୍ତର କରୁଛି ଏବଂ ତାହା ଆମେରିକାନ ୱିଥ୍ ଡିଜାବିଲିଟି ଆକ୍ଟର ବିରୁଦ୍ଧାଚରଣ କରୁଥିବା ମଧ୍ୟ ନିକ୍ସନ ଅଭିଯୋଗ କରିଛନ୍ତି । ସେଥିଲାଗି ‘ପ୍ଲେ ବଏ’ ଦୃଷ୍ଟିହୀନଙ୍କ ଲାଗି ସ୍ପିଚ୍ ସିନ୍ଥେସାଇଜର ବା ବ୍ରେଲି ଡିସପ୍ଲେ ବ୍ୟବସ୍ଥା କରିବାକୁ ସେ ଯୁକ୍ତି ରଖିଛନ୍ତି । ଆମେରିକାରେ ଆମେରିକାନ ୱିଥ୍ ଡିଜାବିଲିଟି ଆକ୍ଟର ବିରୁଦ୍ଧାଚରଣକାରୀଙ୍କୁ ୭୮ ହଜାର ଡଲାର ପର‌୍ୟ୍ୟନ୍ତ ଜରିମାନା ଦଣ୍ଡର ବ୍ୟବସ୍ଥା ଥିବା ଜଣାଯାଇଛି ।