ଅନ୍ଧବିଶ୍ବାସ : ଝିଅ ଆଖିରେ କଣ୍ଟା ଫୋଡ଼ିଲେ ପରିବାର

ଅଭାବନୀୟ! ‌ଜଣେ ମହିଳା ନିଜ ରକ୍ତ ସଂପର୍କୀୟଙ୍କ ଦ୍ବାରା ନିର୍ଯାତିତା ହୋଇଛନ୍ତି। ଧନୀ ହେବାର ଲୋଭରେ ଅନ୍ଧବିଶ୍ବାସୀ ବାପା, ମାଆ, ଭାଇ, ଭାଉଜ ମିଳିମିଶି ବର୍ବର କାଣ୍ଡ ଭିଆଇଛନ୍ତି। ତନ୍ତ୍ର ସାଧନା ପାଇଁ ସେମାନେ ମହିଳାଙ୍କ ମୁଣ୍ଡ ଓ ଆଖିରେ କଣ୍ଟା ଫୋଡ଼ିବା ସହ ରକ୍ତ ଠାକୁରାଣୀଙ୍କୁ ଅର୍ପଣ କରିଛନ୍ତି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍‌ ରାଇବଣିଆ ଥାନା ଅଞ୍ଚଳରେ।

ଘଟଣାରୁ ପ୍ରକାଶ ଯେ, ରାଇବଣିଆ ଥାନା ଅଞ୍ଚଳର ଏକ ଗ୍ରାମରେ ଜଣେ ବ୍ୟକ୍ତି ନିଜ ପତ୍ନୀ ସହ ଶ୍ବଶୁର ଘରେ ରହନ୍ତି। ତାଙ୍କ ପତ୍ନୀ ୱାର୍ଡସଭ୍ୟ ଭାବେ ମଧ୍ୟ କାର୍ଯ୍ୟ କରନ୍ତି। ତେବେ ଗତକାଲି ରାତି ପ୍ରାୟ ୯ଟା ସମୟରେ ମହିଳାଙ୍କ ଭାଇ ତାଙ୍କୁ ଏକ କୋଠରୀକୁ ଡାକିଥିଲେ। ମହିଳା ଜଣକ କୋଠରୀକୁ ଯିବା ମାତ୍ରେ କବାଟ ଭିତରପଟୁ ବନ୍ଦ କରିଦିଆଯାଇଥିଲା। ସେଠାରେ ମହିଳାଙ୍କ ଭାଇ ସହ ଭାଇଙ୍କ ଶାଶୂ, ଭାଇଙ୍କ ପତ୍ନୀ ଓ ସାନଭାଇ ଥିଲେ। ପରେ ଠାକୁରାଣୀଙ୍କ ଫଟୋ ଆଗରେ ଏକ ଖପୁରି ରଖି ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା। ଭୋଗ ରୂପେ ଠାକୁରାଣୀଙ୍କୁ ତାଜା ରକ୍ତ ଦେବା ପାଇଁ କଣ୍ଟା ଦ୍ବାରା ମହିଳାଙ୍କ ଆଖି ଓ ମୁଣ୍ଡର ବିଭିନ୍ନ ସ୍ଥାନରେ ଫୋଡ଼ାଯାଇଥିଲା। ମହିଳା ଜଣକ ଯନ୍ତ୍ରଣାରେ ଯେତେ ଚିତ୍କାର କରିଥିଲେ ବି କେହି କିଛି ଶୁଣି ନଥିଲେ। ଧନୀ ହେବା ପାଇଁ ଏହି ପୂଜା କରାଯାଉଛି ଏବଂ ପୂଜା ଶେଷ ହେବା ଯାଏ ମହିଳା ଜଣଙ୍କୁ କୋଠରୀ ଭିତରେ ରହିବାକୁ ପଡ଼ିବ ବୋଲି କ୍ରୂର ବାଣୀ ଶୁଣାଇ ଦିଆଯାଇଥିଲା। ତେବେ ବହୁ ବିଳମ୍ବରେ ସ୍ବାମୀଙ୍କ କାନରେ ମହିଳାଙ୍କ ଚିତ୍କାର ପଡ଼ିଥିଲା। ସେ ଉକ୍ତ ବନ୍ଦ କୋଠରୀର କବାଟ ଖୋଲିବାକୁ ଚେଷ୍ଟା କରିଥିଲେ ବି ଶ୍ବଶୁର ତାଙ୍କୁ ବାଧା ଦେଇଥିଲେ। ଏପରି କି କୋଠରୀ ଭିତରୁ ବାହାରି ମହିଳାଙ୍କ ଦୁଇଭାଇ ମଧ୍ୟ ସେମାନଙ୍କ ଭିଣୋଇଙ୍କୁ ଗାଳିଗୁଳଜ କରିଥିଲେ। ଶେଷରେ ଅନ୍ୟ ଉପାୟ ନପାଇ ମହିଳାଙ୍କ ସ୍ବାମୀ ଗାଁ ଲୋକଙ୍କ ସହାୟତା ଲୋଡ଼ିଥିଲେ। ଭୋର ସମୟରେ ମହିଳାଙ୍କୁ ଉଦ୍ଧାର କରି ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ତାଙ୍କୁ ବାଲେଶ୍ବର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ମହିଳାଙ୍କ ଭାଇଙ୍କ ଶାଶୂଙ୍କ ପ୍ରତ୍ୟକ୍ଷ ପ୍ରରୋଚନାରେ ଏହିପରି ତନ୍ତ୍ରପୂଜା କରାଯାଉଥିଲା ବୋଲି କୁହାଯାଉଛି। ସେ ଏହା ପୂର୍ବରୁ ମଧ୍ୟ ଗାଁକୁ ଏକାଧିକବାର ଆସି ଏହିପରି ତନ୍ତ୍ରମନ୍ତ୍ର କରୁଥିବା ମହିଳାଙ୍କ ସ୍ବାମୀ ଓ ଗାଁ ଲୋକେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ଖବର ଲେଖା ହେବା ଯାଏ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।