ଆଫ୍‌ଗାନ ମସ୍‌ଜିଦ୍‌ରେ ବିସ୍ଫୋରଣ; ୬୨ ମୃତ, ୪୦ ଆହତ

କାବୁଲ: ଆଫଗାନିସ୍ତାନର ନଂଗରହାର ପ୍ରଦେଶରେ ଆଜି ଏକ ମସ୍‌ଜିଦ୍‌ରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ୬୨ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ପ୍ରାୟ ୪୦ ଆହତ ହୋଇଛନ୍ତି। ମସ୍‌ଜିଦ୍‌ରେ ଲଗାତାର ୨ଟି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। କୌଣସି ଆତଙ୍କବାଦୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ କରିନଥିବା ବେଳେ ଏହା ପଛରେ ଆଇଏସ୍‌ର ହାତ ଥିବା ଅନୁମାନ କରାଯାଉଛି। ଚଳିତ ବର୍ଷ ଆତଙ୍କବାଦୀମାନେ କୌଣସି ମସ୍‌ଜିଦ୍‌ରେ ଏଭଳି ବଡ଼ ଆକ୍ରମଣ କରିବା ପ୍ରଥମ ଘଟଣା ବୋଲି କୁହାଯାଇଛି। ଆଫଗାନିସ୍ତାନରେ ଆତଙ୍କବାଦୀମାନେ ମୁଖ୍ୟତଃ ସୁରକ୍ଷା ବାହିନୀକୁ ଟାର୍ଗେଟ୍‌ କରୁଥିବା ବେଳେ ଏବେ ସେମାନେ ରଣନୀତି ବଦଳାଇ ସାଧାରଣ ଜନତାଙ୍କୁ ଟାର୍ଗେଟ୍‌ କରୁଛନ୍ତି। ଏହି ବିସ୍ଫୋରଣ ପରେ ବିଭିନ୍ନ ଅଂଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି ଏବଂ ଆଫ୍‌ଗାନ୍‌ ସେନା ବଡ଼ ଅପରେସନ ଆରମ୍ଭ କରିଛି। ନଂଗରହାର ପ୍ରଦେଶରେ ଆତଙ୍କବାଦୀ ଆଡ଼ା ଧ୍ବଂସ କରିବା ପାଇଁ ଆମେରିକା ଓ ଆଫଗାନ ସେନା ମିଳିତ ଅଭିଯାନ କରି ବୋମାମାଡ଼ କରିଥିବା ଜଣାପଡ଼ିଛି।