ଆଗ୍ରା ବାଣ ଗୋଦାମରେ ବିସ୍ଫୋରଣ, ୩ ମୃତ

ଆଗ୍ରା : ଶାହଗଞ୍ଜ ଥାନା ଅନ୍ତର୍ଗତ ଆଜମପଡ଼ାରେ ଥିବା ଏକ ବାଣ ଗୋଦାମରେ ରବିବାର ବିସ୍ଫୋରଣ ହୋଇଛି। ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ବିସ୍ଫୋରଣରେ ମୃତାହତଙ୍କୁ ଉଦ୍ଧାର କରାଯିବା ପରେ ନିକଟସ୍ଥ ସରକାରୀ ହସ୍ପିଟାଲକୁ ପଠାଯାଇଛି।
ଆଗାମୀ ଦିପାବଳୀ ଲାଗି ପଡାରେ ଥିବା ଗୋଦାମରେ ବାଣ ମହଜୂଦ ରଖାଯାଇଥିଲା। ତେବେ କେଉଁଭଳି ପରିସ୍ଥିତିରେ ଗୋଦାମରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇପାରିନି। ମୃତକଙ୍କ ଚିହ୍ନଟ କରାଯାଇପାରି ନାହିଁ। ଘଟଣାସ୍ଥଳରେ ଉଚ୍ଚ ପୋଲିସ ଅଧିକାରୀଙ୍କ ଟିମ୍ ପହଞ୍ଚିଛି। ବିସ୍ଫୋରଣରେ ଗୋଦାମ ଘରଟି ସମ୍ପୂର୍ଣ୍ଣ ଭୂଷୁଡି ପଡିଛି। ଏଣୁ ଅଞ୍ଚଳ ସଫା ହେବା ପରେ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ହେବ ବୋଲି ଅଧିକାରୀ କହିଛନ୍ତି।
ସ୍ଥାନୀୟ ଲୋକଙ୍କ ଅନୁସାରେ ଏହି ଘରଟିକୁ ବ୍ୟବସାୟୀ ଚମନ ମନସୁରି ତାଙ୍କ ଗୋଦାମ ଭାବେ ବ୍ୟବହାର କରନ୍ତି। ତେବେ ଏହାକୁ ସେ ବାଣ ଗୋଦାମ କରିବା ଲାଗି ଅନୁମତି ଆଣିଥିଲେ କି ନା ତାହା ସ୍ପଷ୍ଟ ହୋଇନାହିଁ। ଘଟଣା ପରେ ଚମନ୍‌ ଫେରାର ହୋଇଯାଇଛନ୍ତି। ଗୋଦାମ ଘରଟି ଜନବସତୀ ଅଞ୍ଚଳରେ ଥିଲା। ନିକଟରେ ସନଫ୍ଲାୱାର ସ୍କୁଲ ଥିବା ବେଳେ ପୃଥିବୀନାଥ ପୋଲିସ ଫାଣ୍ଡି ମଧ୍ୟ ରହିଛି। ତେବେ ପୋଲିସ ଅଜଣାତରେ କିପରି ଏଠାରେ ବାଣ ମହଜୁଦ କରାଯାଇଥିବା ସେ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

blast at firecracker godwon three death at agra