ବିଜୟ କୁମାର ଶର୍ମା ହେଲେ ଭାରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ

ଭୁବନେଶ୍ୱର:ରାଜ୍ୟ ପୋଲିସ ବିଭାଗର ନୂଆ ମୁଖିଆ ଦାୟିତ୍ୱକୁ ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ବିଜୟ କୁମାର ଶର୍ମାଙ୍କୁ ଇନଚାର୍ଜ ଡିଜିପି ଭାବେ ନିଯୁକ୍ତି ଦିଆଯାଇଛି । 

ନୂଆ ଲୋକାୟୁକ୍ତ ସଦସ୍ୟ ଭାବେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ନିଯୁକ୍ତି ପାଇବା ପରେ ତାଙ୍କ ପଦବୀରେ ଭାରପ୍ରାପ୍ତ ଅଧିକାରୀ ଭାବରେ ବିଜୟ କୁମାର ଶର୍ମା ଦାୟିତ୍ୱ ନେଇଛନ୍ତି  । ବର୍ତ୍ତମାନ ବିଜୟ କୁମାର ଶର୍ମା ଅଗ୍ନିଶମ ବିଭାଗର ଡିଜି ଅଛନ୍ତି । ବିଜୟ କୁମାର ଶର୍ମା ୧୯୮୬ ବ୍ୟାଚର ଜଣେ ବରିଷ୍ଠ ଆଇପିଏସ ଅଫିସର । ବର୍ତ୍ତମାନ ସେ  ଭାରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । 

ନିକଟରେ ଲୋକାୟୁକ୍ତ ସଦସ୍ୟ ଭାବେ ଆର.ପି ଶର୍ମାଙ୍କ ନାଁକୁ ଚୟନ କମିଟି ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲଙ୍କୁ ସୁପାରିସ କରିଥିଲେ । ଗତକାଲି ଏହି ସୁପାରିସକୁ ରାଜ୍ୟପାଳ ଅନୁମୋଦନ ଦେବା ପରେ ଆର.ପି ଶର୍ମାଙ୍କୁ ଲୋକାୟୁକ୍ତ ଦାୟିତ୍ୱ ଦିଆଯାଇଛି । ଏହାପରେ ଆର.ପି ଶର୍ମା ସ୍ୱେଚ୍ଛାକୃତ ଭାବେ ଅବସର ନେବାକୁ ଆବେଦନ କରିଥିଲେ ।