ବିଜେପି କର୍ମୀଙ୍କୁ ଛୁରାମାଡ

ବିଜେପୁର: ବିଜେପୁର ନିର୍ବାଚନ ପାଇଁ ବିଗୁଲ ବାଜିବା ପରଠାରୁ ରାଜନୈତିକ ଉଷ୍ମତା ସରଗରମ ହୋଇପଡିଛି । ବିଭିନ୍ନ ରାଜନୈତିକ ଦଳ ମଇଦାନରେ ବିଜୟୀ ହେବା ପାଇଁ ଅଂଟା ମଧ୍ୟ ଭିଡି ସାରିଛନ୍ତି । କିନ୍ତୁ ଗତକାଲି ବିଳମ୍ବିତ ରାତ୍ରରେ ଏଠାରେ ପ୍ରଥମ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଜଣେ ବିଜେପି କର୍ମୀଙ୍କୁ କେହି ଦୁର୍ବୃତ ଛୁରାମାଡ କରିଛନ୍ତି । ଏଥିରେ ଗୁରୁତର ଆହତ ହୋଇଛନ୍ତି ।

ସୂଚନାନୁସାରେ, ସ୍ଥାନୀୟ ପଡା ଗ୍ରାମର ମନୋରଂଜନ ବେହେରା ନାମକ ଜଣେ ଯୁବକ ଦୁଇଜଣ ବନ୍ଧୁଙ୍କ ସହ ସୋହେଲାରୁ ନିଜ ଗ୍ରାମକୁ ଫେରୁଥିଲେ । ସେହି ସମୟରେ ୨ଟି ବାଇକରେ ୪ଜଣ ମୁଖାପିନ୍ଧା ଦୁର୍ବତ ଆସି ସେମାନଙ୍କୁ ସଂଘବଧ ଆକ୍ରମଣ କରିଥିଲେ । ଏପରିକି ଠେଙ୍ଗାରେ ପିଟିବା ସହ ଛୁରାମାଢ ମଧ୍ୟ କରିଥିଲେ । ଏଥିରେ ମନୋରଂଜନ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା ।

ଏନେଇ ବିଜେପି ପକ୍ଷରୁ ବିଜେପୁର ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ବୃତମାନେ ମୁଖାପିନ୍ଧି ଥିବାରୁ ସେମାନଙ୍କୁ ଏଯାବତ ଚିହ୍ନଟ କରାଯାଇ ପାରିନାହିଁ ।