ମହିଳା ମୋର୍ଚ୍ଚାର ୭ କର୍ମୀ ନବୀନ ନିବାସ ପାଖେ ପୋଲିସକୁ ୨୭ ମିନିଟ କଲେ ନାକେଦମ

ନବୀନ ନିବାସ ଘେରାଉ କଲା ବିଜେପି ମହିଳା ମୋର୍ଚ୍ଚା
ଭୁୁବନେଶ୍ୱର : ଓଡିଶା ରାଜ୍ୟ କ୍ୟାବିନେଟ୍ର ପଂଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ମହିଳା ମାନଙ୍କ ପ୍ରତି ଆକ୍ଷେପ କରିବା ପ୍ରତିବାଦରେ ଆଜି ରାଜ୍ୟ ମହିଳା ମୋର୍ଚ୍ଚାର ଶତାଧିକ ମହିଳା ଏକାଠି ହୋଇ ଶାନ୍ତିପୂର୍ଣ୍ଣ ତଥା ଅହିଂସା ଉପାୟରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଏ ସଂପର୍କରେ ଅବଗତ କରିବା ସମୟରେ ଶାସକ ଦଳର ଚାପରେ ପୋଲିସ ରାସ୍ତାରେ ବାଟ ଓଗାଳିବା ଏବଂ ଅତି ଅଶାଳୀନ ଆଚରଣ ଦେଖାଇ ଗିରଫ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚ ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା କହିଛନ୍ତି ।
ଆଜି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମହିଳା ବିରୋଧୀ ବୟାନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଯାଇ ପୋଲିସ ଦମନର ଶିକାର ହୋଇଛନ୍ତି ଶତାଧିକ ମହିଳା । ପୁରୁଷ ପୋଲିସ ମହିଳାଙ୍କୁ ଡେଣା ଧରି ଉଠାଇବା, ଟଣା ଓଟରା କରିବା ଏବଂ ଅଶାଳୀନ ବ୍ୟବହାର ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ମହିଳା ପୋଲିସ ଥାଇ ପୁରୁଷ ପୋଲିସ ଜାଣିଶୁଣି ମହିଳାଙ୍କୁ ଏପରି ଅତର୍କିତ ଭାବେ ଆକ୍ରମଣ କରି ମହିଳାଙ୍କ ସହ ଆଶାଳୀନ ବ୍ୟବହାର କରିବା ସଂପୂର୍ଣ୍ଣ ଭାବେ ଆଇନ ବିରୋଧୀ । ଏହା ଦ୍ୱାରା ମହିଳାଙ୍କ ସମ୍ମାନ ହାନି ହୋଇଛି ବୋଲି ଶ୍ରୀମତୀ ପରିଡା କହିଛନ୍ତି ।
ମହିଳା ମାନଙ୍କର ଦୁଇଟା ଲେଖାଏଁ ସ୍ୱାମୀ ଅଛନ୍ତି କହି ସମଗ୍ର ନାରୀ ଜାତିକୁ ଅପମାନିତ କରିଛନ୍ତି ଶାସକ ଦଳର ମନ୍ତ୍ରୀ ପ୍ରଦୀପ ମହାରଥୀ । ମନ୍ତ୍ରୀ ଏକ ଭିଡିଓରେ ୩୦ ହଜାର ମହିଳାଙ୍କ ଦି’ ଦିଟା ହିସାବରେ ୬୦ ହଜାର ସ୍ୱାମୀ ଅଛନ୍ତି ବୋଲି କହି ତାଙ୍କ ଯୁକ୍ତିକୁ ସଠିକ୍ ଦର୍ଶାଇଥିଲେ । ଏହା ଓଡିଶା ଭଳି ଏକ ସଂସ୍କୃତି ସଂପନ୍ନ ରାଜ୍ୟରେ ବସବାସ କରୁଥିବା ମହିଳାମାନଙ୍କୁ ଗଭୀର ଆଘାତ ଲାଗିଛି । ଏଭଳି ନାରୀମାନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ରଖିବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୁପ୍ ରହି ମହିଳାଙ୍କୁ ଅସମ୍ମାନ କରିଥିବା ମନ୍ତ୍ରୀଙ୍କୁ ବହିଷ୍କାର ନକରି ଘଂଟ ଘୋଡାଇ ରଖିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଶ୍ରୀମତୀ ପରିଡା କହିଛନ୍ତି ।

 ମନ୍ତ୍ରୀ ପଦରୁ ପ୍ରଦୀପ ମହାରଥୀଙ୍କୁ ବହିଷ୍କାର ନକରିିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ : ପ୍ରଭାତୀ ପରିଡା
 ପୁରୁଷ ପୋଲିସ ମହିଳାଙ୍କୁ ଡେଣା ଧରି ଉଠାଇବା, ଟଣା ଓଟରା କରିବା ଏବଂ ଆଶାଳୀନ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ
 ଯେଉଁ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ମହିଳା ବିରୋଧୀ ଆଭିମୁଖ୍ୟ ଥିବ ସେ ପର୍ଯ୍ୟନ୍ତ ରାଜ୍ୟର ମହିଳାମାନେ ରାଜରାସ୍ତାରେ ଲଢେଇ କରିବେ
 ମା’ କୁ ସମ୍ମାନର ନାରା ଦେଉଥିବା ସରକାର ଆଜି ମା’ମାନଙ୍କ ଇଜ୍ଜତକୁ ନେଇ ବୟାନବାଜି କରୁଛି 

ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ମହିଳା ବିରୋଧୀ । ଏଠି ମହିଳାଙ୍କୁ ସୁରକ୍ଷା ନୁହେଁ ବରଂ ସବୁ ସମୟରେ ସେମାନଙ୍କୁ ଅପମାନିତ କରିବା ଯେମିତି ଶାସକ ଦଳର ନେତା ତଥା ମନ୍ତ୍ରୀମାନଙ୍କର ଏକ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରାଇ ଦେବା ନାଁରେ ଦଳୀୟ କାର୍ଯ୍ୟାଳୟରେ ମହିଳାଙ୍କୁ ଦୁର୍ଷ୍କମ କରିବା ହେଉ ଅବା ବିଧାୟକଙ୍କ ପୃଷ୍ଠପୋଷକତାରେ ନିରୀହ ନାବାଳିକା ଝିଅଙ୍କୁ ଧର୍ଷଣ କରିବା । ସବୁ ସମୟରେ ଶାସକ ଦଳ ମହିଳାଙ୍କୁ ଏକ ବସ୍ତୁ ଭାବି ବ୍ୟବହାର କରି ଚାଲିଛି । ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁରକ୍ଷାରୁ ନାରୀ ଜାତି ଏବେ ବି ବଂଚିତ ରହିଛି । ମା’ କୁ ସମ୍ମାନର ନାରା ଦେଉଥିବା ସରକାର ଆଜି ମା’ମାନଙ୍କ ଇଜ୍ଜତକୁ ବୟାନବାଜି କରୁଛି ବୋଲି ଶ୍ରୀମତୀ ପରିଡା କହିଛନ୍ତି ।
ମନ୍ତ୍ରୀ ମହାରଥୀ ନାରି ଜାତିକୁ ଅପମାନ କରିବା ପରେ ମୁଖ୍ୟମନ୍ତ୍ରୀ ଦୃଷ୍ଟିକୁ ଆଣିବା ପାଇଁ ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇଥିଲା । ପ୍ରଦୀପ ମହାରଥୀଙ୍କ ବୟାନ ଅପେକ୍ଷା ମୁଖ୍ୟମନ୍ତ୍ରୀଙ୍କ ନୀରବତା ମହିଳା ଜାତିକୁ ଆଘାତ ଦେଇଛି । ପୂର୍ବରୁ ମହିଳା ମୋର୍ଚ୍ଚା ଏ ସଂପର୍କରେ ଥାନାରେ ଏତଲା ଦେବା ସହ ମହିଳା ମୋର୍ଚ୍ଚା କମିଶନ ଅଧ୍ୟକ୍ଷାଙ୍କୁ ଭେଟି ମନ୍ତ୍ରୀଙ୍କୁ ରିପୋର୍ଟ ତଲବ କରିବା ପାଇଁ ନିବେଦନ କରିଛି ।
ଯେଉଁ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ମହିଳା ବିରୋଧୀ ଆଭିମୁଖ୍ୟ ଥିବ ସେ ପର୍ଯ୍ୟନ୍ତ ରାଜ୍ୟର ମହିଳାମାନେ ରାଜରାସ୍ତାରେ ଲଢେଇ କରିବେ । ଏଥି ସହ ଆଗାମୀ ଦିନରେ ମନ୍ତ୍ରୀ ପଦରୁ ପ୍ରଦୀପ ମହାରଥୀଙ୍କୁ ବହିଷ୍କାର ନକରିିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି ।
ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପରିଡାଙ୍କ ନେତୃତ୍ୱରେ ଆଜି ଶତାଧିକ ମହିଳା କାର୍ଯ୍ୟକର୍ତା ରାଜ୍ୟ କାର୍ଯ୍ୟାଳୟରୁ ବାହାରି ସିଧାସଳଖ ନବୀନ ନିବାସ ଅଭିମୁଖେ ଚାଲି ଚାଲି ଯାଇଥିଲେ । ଶାନ୍ତିପୂର୍ଣ୍ଣ ଭାବେ ଯାଉଥିବା ସମୟରେ ଶୋଭାଯାତ୍ରାକାରୀମାନଙ୍କୁ ଶାସକ ଦଳର ପ୍ରରୋଚନାରେ ପୋଲିସ ବାଧା ସୃଷ୍ଟି କରିଥିଲା । ଏହି ଶୋଭାଯାତ୍ରାରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ପଦାଧିକାରୀ ଏବଂ ବହୁ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।