ମହାରାଷ୍ଟ୍ରରେ ସରକାର ଗଢ଼ିବନି ବିଜେପି

ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବନି ବିଜେପି। ରାଜ୍ୟପାଳ ଭଗତ ସିଂହ କୋଶିୟାରିଙ୍କୁ ଆଜି ବିଜେପି ନେତା ଭେଟି ସରକାର ଗଢ଼ିବା ନିଷ୍ପତ୍ତି ବାବଦରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଚଳିତ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ଆଧାରରେ ବିଜେପିକୁ ଅଧିକ ଆସନ ମିଳିଥିବାରୁ ପ୍ରଥମେ ସରକାର ଗଢ଼ିବା ପାଇଁ ରାଜ୍ୟପାଳ ଭଗତ ସିଂହ କୋଶିଆରି ବିଜେପିକୁ ଆମନ୍ତ୍ରଣ କରିଥିଲେ। ଏହାପରେ ଆଜି ବିଦାୟୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ଘରେ ବିଜେପିର ବୈଠକ ବସିଥିଲା। ଏହି ବୈଠକରେ ଦଳ ସରକାର ଗଢ଼ିବ କି ନାହିଁ ଆଲୋଚନା ହୋଇଥିଲା। ଏହାପରେ ରାଜ୍ୟପାଳଙ୍କୁ ଭେଟି ବିଜେପି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଦଳ। ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟା ନଥିବାରୁ ବିଜେପି ସରକାର ଗଢ଼ିବ ନାହିଁ ବୋଲି ରାଜ୍ୟପାଳଙ୍କୁ ବିଦାୟୀ ମୁଖ୍ୟମନ୍ତ୍ରୀ କହିଛନ୍ତି।

ମହାରାଷ୍ଟ୍ରର ବିଜେପି ସଭାପତି ଚନ୍ଦ୍ରକାନ୍ତି ପାଟିଲ କହିଛନ୍ତି, ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟକୁ ଜନମତ ମିଳିଛି। ଯଦି ସହଯୋଗୀ ଦଳକୁ ସମର୍ଥନ ନକରି ଶିବସେନା ବିରୋଧୀ ଏନସିପି-କଂଗ୍ରେସ ସହ ସରକାର ଗଢ଼ିବା ପାଇଁ ଇଚ୍ଛା କରୁଛି। ବିଜେପି ଏଥିପାଇଁ ଶିବସେନକୁ ଶୁଭେଚ୍ଛା ଜଣାଉଛି।

ସେହିଭଳି ଆଜି କଂଗ୍ରେସ ବିଧାୟକ ଶିବସେନା ନେତୃତ୍ୱକୁ ସମର୍ଥନ କରିବେ ବୋଲି କହିଥିବା ସୂଚନା ରହିଛି। ହେଲେ କଂଗ୍ରେସ ଏଯାଏଁ ଆଭିମୁଖ୍ୟ ସ୍ପଷ୍ଟ କରିନି। ଦଳର ବିଧାୟକଙ୍କ ମତକୁ ନେଇ ମଲ୍ଲିକାର୍ଜୁନ ଖାଡ଼ଗେ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବା ପରେ ଆଭିମୁଖ୍ୟ ସ୍ପଷ୍ଟ ହେବ ବୋଲି ସୂଚନା ରହିଛି। ରାଜ୍ୟରେ କଂଗ୍ରେସର ସହଯୋଗୀ ଏନସିପି କହିଛି, କଂଗ୍ରେସର ନିଷ୍ପତ୍ତି ଅନୁସାରେ ଦଳ ଚିନ୍ତା କରିବ। ପୂର୍ବରୁ କିନ୍ତୁ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର କହିଥିଲେ, ମହାରାଷ୍ଟ୍ରବାସୀ ତାଙ୍କ ଦଳକୁ ବିରୋଧୀ ଆସନରେ ବସାଇଛନ୍ତି। ତେଣୁ ସରକାରରେ ସାମିଲ ନହୋଇ ବିରୋଧୀ ଆସନରେ ହିଁ ବସିବ।

ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ବିଜେପି ୧୦୫ଟି, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ଜିତିଛନ୍ତି। ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ୱର ୧୪୫ ରହିଛି। କଂଗ୍ରେସ ଓ ଏନସିପି ମିଶି ୯୮ ଆସନ ଜିତିଛନ୍ତି।