ମୋଦିଙ୍କୁ ପ୍ରଶଂସା କଲେ ଆଡଭାନୀ

ନୂଆଦିଲ୍ଲୀ: ଧାରା ୩୭୦କୁ ହଟାଇବା ପାଇଁ ମୋଦି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତା’କୁ ପୂରଣ କରିଛନ୍ତି। ଅର୍ଥାତ ଜମ୍ମୁ-କଶ୍ମୀରରେ ଭାରତର ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଭଳି ନିୟମ ପ୍ରଣୟନ କରାଯିବ। ଏହି ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ମୋଦି ସରକାରଙ୍କ ଏହି ନିଷ୍ପତ୍ତିକୁ ବିଜେପିର ଭେଟରାନ ଲାଲକୃଷ୍ଣ ଆଡଭାନୀ ପ୍ରଶଂସା କରିଛନ୍ତି।

ଶ୍ରୀ ଆଡଭାନୀ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ କଶ୍ମୀର ସମ୍ପର୍କରେ ଏପରି ଐତିହାସିକ ନିଷ୍ପତ୍ତିକୁ ସାଧୁବାଦ ଜଣାଇଛନ୍ତି। ସେ କହିଛନ୍ତି, “ଏପରି ଐତିହାସିକ ନିଷ୍ପତ୍ତି ପାଇଁ ମୋଦି ଓ ଶାହଙ୍କୁ ଶୁଭେଚ୍ଛା। ଜମ୍ମୁ-କଶ୍ମୀର ଓ ଲଦାଖରେ ଶାନ୍ତି ଏବଂ ବିକାଶ ପାଇଁ ପ୍ରାର୍ଥନା କରୁଛି। ଜାତୀୟ ଏକତା ଓ ଜାତୀୟ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଜନସଂଘ ଦିନରୁ ହିଁ ଧାରା ୩୭୦କୁ ଉଚ୍ଛେଦ କରିବା ବିଜେପିର ଆଦର୍ଶ ଓ ଲକ୍ଷ୍ୟ ରହିଥିଲା।”