ପ୍ରଥମ ତିରୋଧାନ ବାର୍ଷିକୀ ଅବସରରେ ସ୍ୱର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବ ବିଜେପି

ନୂଆଦିଲ୍ଲୀ, ଅଗଷ୍ଟ ୦୫ (ଖବର ଓଡ଼ିଶା): ବିଜେପିର ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ତିରୋଧାନ ବାର୍ଷିକୀ ଅବସରରେ ଭାରତୀୟ ଜନତା ପାର୍ଟି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବ । ଏଥି ପାଇଁ ଏକ ସପ୍ତାହ ପୂର୍ବରୁ ବିଜେପି ପ୍ରସ୍ତୁତ ହୋଇଛି । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ବାଜପେୟୀଙ୍କ ଗତ ବର୍ଷ ଅଗଷ୍ଟ ୧୬ରେ ପରଲୋକ ହୋଇଥିଲା । ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନିଷ୍ପତ୍ତି ନେଇଛନ୍ତି ଏବଂ ସେ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ ଆଲୋଚନା କରିଛନ୍ତି । ସେହିପରି ଦଳୀୟ ବୈଠକରେ ବିଜେପି ସଦସ୍ୟତା ଅଭିଯାନ ସଂପର୍କରେ ମଧ୍ୟ ଆଲୋଚନା ହୋଇଛି । ବାଜପେୟୀଙ୍କ ତିରୋଧାନ ବାର୍ଷିକୀକୁ ସ୍ମରଣୀୟ ରଖିବା ପାଇଁ ଦଳର ପ୍ରତ୍ୟେକ ସଭ୍ୟ କାମ କରିବାକୁ ଆହ୍ୱାନ ଦିଆଯାଇଛି । 

ବାଜପେୟୀଙ୍କୁ ଆଗାମୀ ୧୬ ତାରିଖରେ ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳି ଦେବାକୁ ବିଜେପି ପ୍ରସ୍ତୁତ ହୋଇଛି । ରାଜ୍ୟ ଓ ଜିଲ୍ଲାସ୍ତରରେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବିଜେପି କର୍ମୀମାନଙ୍କୁ ଅବଗତ କରାଯାଇଛି । ଅଗଷ୍ଟ ୧୬ରେ ବହୁ ସଂଖ୍ୟାରେ ବିଜେପି ନେତା ନିଜସ୍ୱ ଉଦ୍ୟମରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ । ସେହିପରି ବାଜପେୟୀଙ୍କ ସ୍ମୁତିରେ କିଛି ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।