ବିଜେପିର ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ମହାଅଧିବେସନ : ମୋଦି ସରକାର ଜନଜାତିଙ୍କର ବିକାଶ ପାଇଁ ସମର୍ପିତ -ସର୍ବାନନ୍ଦ ସୋନୱାଲ

ପୁରୀ : ବିଜେପି ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ମହାଅଧିବେଶନ ଉଦଘାଟିତ। ପୁରୀ ତାଳବଣିଆ ଇନଡୋର୍ ଷ୍ଟାଡିୟମରେ ଅନୁଷ୍ଠିତ ମହାଧିବେଶନକୁ ଉଦଘାଟନ କରିଛନ୍ତି ମୋର୍ଚ୍ଚାର ରାଷ୍ଟ୍ରିୟ ଅଧ୍ୟକ୍ଷ ରାମବିଚାର ନେତମ। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ଵାଲ ଏଥିରେ ଯୋଗଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଆଦିବାସୀ ଜନକଲ୍ୟାଣ ସଂପର୍କରେ ଏଥିରେ ଆଲୋଚନା ହୋଇଛି। ଆଗାମୀ ନିର୍ବାଚନରେ ପୁଣି କେନ୍ଦ୍ରରେ ଦଳକୁ କ୍ଷମତାସୀନ କରିବାକୁ କର୍ମମାନେ ଜୋରଦାର ପରିଶ୍ରମ କରିବାକୁ ଆଲୋଚନା ହୋଇଛି।

କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସରକାର ଦେଶର ଅନୂସୁଚିତ ଜନଜାତିମାନଙ୍କର ବିକାଶ ପାଇଁ ଅହରହ ପ୍ରୟାସ କରୁଛନ୍ତି । ସବକା ସାଥ ସବକା ବିକାଶର ଆହ୍ନାନ ଦେଇଥିବା ନରେନ୍ଦ୍ର ମୋଦି କିପରି ଭାବେ ଅନୂସୁଚିତ ଜନଜାତି ଲୋକମାନଙ୍କର ବିକାଶ ହେବ ସେଥିପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ଯୋଜନାର ପେଡି ଖୋଲିଛନ୍ତି । ସ୍ୱଛ ଭାରତ ଯୋଜନାରେ ପାଇଖାନା ହେଉ ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ହେଉ, ଆଦିବାସୀ ବହୁଳ ଅଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମାନ ଗମନ ସବୁଥିରେ ଜନଜାତିମାନଙ୍କୁ ପ୍ରାଥମିକତା ଦିଆଯାଇଛି । ଜନଜାତି ବର୍ଗର ବିକାଶ ପାଇଁ ଆଗାମି ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ମୁଠାକୁ ଟାଣକରିବାକୁ ହେବ ବୋଲି ଆଜି ପୁରୀଠାରେ ଅନୁଷ୍ଠିତ ୨ ଦିନିଆ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ମହାଅଧିବେସନକୁ ଉଦଘାଟନ କରି ଏକଥା କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ।

ଓଡିଶାର ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି କି, ଦେଶର ସ୍ୱାଭିମାନ ହେଉଛନ୍ତି ଆମର ଜନଜାତି ଭାଇ ଭଉଣି ମାନେ । ଆମ ଦେଶର ସାଂସ୍କୃତିକ ଏବଂ ଅର୍ଥନୈତିକ ବିକାଶ ପାଇଁ ଆମର ଜନଜାତିଭାଇମାନଙ୍କର ଅବଦାନ ଅତୁଳନୀୟ । ସେମାନଙ୍କର ବିକାଶ ପାଇଁ ଆମ ଦଳ ସବୁବେଳେ ପ୍ରୟାସ କରୁଛି । କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଜନଜାତିଙ୍କର କଲ୍ୟାଣ ପାଇଁ ଅନେକ ଯୋଜନା ହୋଇଛି । ଏକଲବ୍ୟ ବିଦ୍ୟାଳୟ ମାଧ୍ୟମରେ ଆଦିବାସୀ ବହୁଳ ଅଂଚଳରେ ଶିକ୍ଷାର ବିକାଶ ହୋଇଛି । ଅଟଳ ବିହାରି ବାଜପେୟୀ ଯେତେବଳେ ଦେଶର ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ପ୍ରଥମକରି ଜନଜାତି ବିକାଶ ପାଇଁ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଖୋଲିଥିଲେ । ଆଉ ଏବେ ମୋଦି ସରକାର ଆସିବା ପରେ ଏହି ମନ୍ତ୍ରଣାଳୟକୁ ଆହୁରି ଆର୍ଥୀକ ପ୍ରାବଧାନ ଦିଆଯାଇଛି ।
ସମଗ୍ର ଦେଶରେ ଜନଜାତି ବହୁଳ ତଥା ୨୦ ହଜାରରୁ ଅଧିକ ଜନଜାତି ଲୋକ ରହୁଥିବା ବ୍ଲକରେ ଏକଲବ୍ୟ ମଡେଲ ପ୍ଲବିକ ସ୍କୁଲର ପ୍ରତିଷ୍ଠା ନିଷ୍ପତି ଏକ ଐତିହାସିକ ନିଷ୍ପତି । ହେଲେ ମୋଦୀ ସରକାରଙ୍କ ଜନଜାତି କଲ୍ୟାଣ ଯୋଜନାକୁ ଓଡିଶା ରାଜ୍ୟସରକାର କେବଳ କାଗଜ କଲମରେ ଚଲାଇଛନ୍ତି । ସେହିପରି ୯୨ ଟି ଏକଲବ୍ୟ ବିଦ୍ୟାଳୟ ଓଡିଶାକୁ ମିଳିଥିବାବେଳେ ରାଜ୍ୟସରକାରଙ୍କ ଆଗ୍ରହ ନଥିବା କାରଣରୁ ହଜାର ହଜାର ଜନଜାତି ଛାତ୍ରଛାତ୍ରୀ ଉନ୍ନତମାନର ଶିକ୍ଷାରୁ ବଂଚିତ ରହୁଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

 ଆସନ୍ତାକାଲି ଉଦବୋଧନ ଦେବେ ଅମିତ ଶାହ
 ଆଦିବାସୀ ଅଧିକାର ରାଲିରେ ଯୋଗଦେବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ
 ନରେନ୍ଦ୍ର ମୋଦି ଅନୂସୁଚିତ ଜନଜାତି ଲୋକମାନଙ୍କର ବିକାଶ ପାଇଁ ଯୋଜନାର ପେଡି ଖୋଲିଛନ୍ତି
 ମୋଦୀ ସରକାରଙ୍କ ଜନଜାତି କଲ୍ୟାଣ ଯୋଜନାକୁ କାଗଜ କଲମରେ ଚଲାଇଛନ୍ତି ରାଜ୍ୟସରକାର । ୯୨ ଟି ଏକଲବ୍ୟ ବିଦ୍ୟାଳୟ ଓଡିଶାକୁ ମିଳିଥିବାବେଳେ ରାଜ୍ୟସରକାରଙ୍କ ଆଗ୍ରହ ନଥିବା କାରଣରୁ ହଜାର ହଜାର ଜନଜାତି ଛାତ୍ରଛାତ୍ରୀ ଉନ୍ନତମାନର ଶିକ୍ଷାରୁ ବଂଚିତ ରହୁଛନ୍ତି : ବସନ୍ତ ପଣ୍ଡା
 ଦେଶର ଜନଜାତି ବର୍ଗର ଲୋକମାନେ ଭାରତୀୟ ଜନତା ପାର୍ଟି ସହ ଚଟାଣ ଭଳି ଲାଗିକରି ଅଛନ୍ତି : ରାମବିଚାର ନେତମ

ଜନଜାତି ରାଷ୍ଟ୍ରୀୟ ମୋର୍ଚ୍ଚାର ଜାତୀୟ ସଭାପତି ରାମବିଚାର ନେତମ କହିଛନ୍ତି କି ଦେଶର ଜନଜାତି ବର୍ଗର ଲୋକମାନେ ଭାରତୀୟ ଜନତା ପାର୍ଟି ସହ ଚଟାଣ ଭଳି ଲାଗିକରି ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱ ପ୍ରତି ଦେଶର ୮ କୋଟି ଜନଜାତି ଭାଇଭଉଣୀ ମାନେ ଆସ୍ଥା ପ୍ରକଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଆମମାନଙ୍କର ବିଶ୍ୱାସକୁ ଆଗେଇ ନେବା ସହ ଅନେକ ଜନକଲ୍ୟାଣକାରି ଯୋଜନା କରିଛନ୍ତି । ପୁର୍ବରୁ ଯେଉଁ ସରକାର ଥିଲା ଜନଜାତିମାନଙ୍କର ବିକାଶ ପାଇ ଯତ୍ନବାନ ନଥିଲା । କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଜନଜାତିମାନଙ୍କ ଦ୍ୱାରା ଉତ୍ପାଦିତ ଲଘୁ ଜଙ୍ଗଲ ଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ ୨୪ଟି ଜଙ୍ଗଲଜାତ ଦ୍ରବ୍ୟକୁ ସାମିଲ କରିବା ସହିତ ସମସ୍ତ ରାଜ୍ୟକୁ ଏହି ଆଇନକୁ କଡା କଡି ଭାବେ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ୱାରା ଜନଜାତିମାନେ ସେମାନଙ୍କର ଉପ୍ତାଦନକୁ ଉଚିତ ମୁଲ୍ୟରେ ବିକିପାରୁଛନ୍ତି । ହେଲେ ଓଡିଶାରେ ରାଜ୍ୟ ସରକାର ଏହାକୁ ଲାଗୁ କରୁନାହାନ୍ତି ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ଆଦିବାସୀଙ୍କ ଅଧିକାର ପାଇଁ ଆୟୋଜିତ ଏହି ଅଧିବେଶନରେ ଦେଶର ୫ ହଜାରରୁ ଉଦ୍ଧ୍ୱର୍ ପ୍ରତିନିଧି ସାମିଲ ହେବା ସହ ପ୍ରମୁଖ ଆଦିବାସୀ ନେତା, ମନ୍ତ୍ରୀ, ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷମାନେ ଯୋଗ ଦେଇଛନ୍ତି । ଆସନ୍ତା କାଲି ଫେବୃଆରୀ ୩ ତାରିଖ ଦିନ ଆଦିବାସୀଙ୍କ ହକ୍ ପାଇଁ “ଆଦିବାସୀ ଅଧିକାର ରାଲି” ଆୟୋଜିତ ହେବ । ଏହି ରାଲିକୁ ରାଷ୍ଟ୍ରୀୟ ସଭାପତି ଶ୍ରୀ ଅମିତ ଶାହା ଉଦ୍ବୋଧନ କରିବେ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ମଧ୍ୟ ଏହି ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ୧ ଲକ୍ଷରୁ ଉଦ୍ଧ୍ୱର୍ ଆଦିବାସୀ ଯୋଗ ଦେଇ ନିଜ ଅଧିକାର ସୁରକ୍ଷା ପାଇଁ ଦାବି ଓ ଓଡିଶା ରାଜ୍ୟସରକାରଙ୍କ ଜନଜାତି ବିରୋଧୀ ନୀତିକୁ ବିରୋଧ କରିବେ । ଓଡିଶାରେ ଜନଜାତିମାନଙ୍କର ଅଧିକାରକୁ ଛଡାଇ ନେବା, କେନ୍ଦ୍ର ସରକାର ପ୍ରଣୟନ କରିଥିବା ଯୋଜନାକୁ ସଠିକ୍ ଭାବରେ ଲାଗୁ କରାଇ ନଦେବା ଏବଂ ଜନଜାତି ଆଦିବାସୀମାନଙ୍କର ବିଭିନ୍ନ ଜ୍ୱଳନ୍ତ ପ୍ରସଙ୍ଗକୁ ନେଇ ଏହି ଅଧିବେଶନ ଆୟୋଜିତ ହୋଇଛି ।

ଏହି ମହାଧିବେଶନରେ ଦେଶର ବିଭନ୍ନ ପ୍ରାନ୍ତରୁ ଆସିଥିବା ନେତୃବୃନ୍ଦ ଏବଂ ପ୍ରତିନିଧୀମାନଙ୍କୁ ରାଜ୍ୟ ଜନଜାତି ମୋର୍ଚ୍ଚା ସଭାପତି ତଥା ବିଧାୟକ ସ୍ୱାଗତ ଜଣାଇଥିଲେ ।