କର୍ଣ୍ଣାଟକ ରାଜନୀତି: ସରକାର ଗଠନ ପାଇଁ ବିଜେପିର ସଜବାଜ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମାତ୍ର ୧୪ ମାସ କ୍ଷମତାରେ ରହିବା ପରେ ଶେଷରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଭୁଶୁଡ଼ି ଯାଇଛି। ମେଣ୍ଟ ସରକାରର ୧୫ ଜଣ ବିଧାୟକ ଓ ୨ ଜଣ ସ୍ୱାଧୀନ ବିଧାୟକ କଂଗ୍ରେସ ଓ ଜେଡିଏସ୍‌ ବିରୋଧରେ ବିଦ୍ରୋହ ଘୋଷଣା କରିବାରୁ କୁମାରସ୍ୱାମୀଙ୍କ ସରକାର ଆସ୍ଥା ଭୋଟରେ ଗତକାଲି ପରାସ୍ତ ହୋଇଥିଲା।

ଏବେ ବିଜେପି ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନୌପଚାରିକ ଭାବେ ବିଜେପି ବିଧାୟକ ଦଳ ନେତା ଭାବେ ବିଏସ୍‌ ୟେଦ୍ଦୁରପ୍ପା ମନୋନୀତ ହୋଇଛନ୍ତି। ଅର୍ଥାତ ସେ ହିଁ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଏହା ପୂର୍ବରୁ ୟେଦ୍ଦୁରପ୍ପା ଦିଲ୍ଲୀ ଯାଇ ସେଠାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପ୍ପି ନଡ୍ଡାଙ୍କୁ ସାକ୍ଷାତ କରିବେ।

ବିଜେପି ବିଧାୟକ ସିଟି ରବି କହିଛନ୍ତି, “ଆମେ ଆଜି ବିଧାୟକ ଦଳ ବୈଠକ କରିବୁ। ସଂସଦୀୟ ବୋର୍ଡର ନିର୍ଦ୍ଦେଶକୁ ଆମେ ଅପେକ୍ଷା କରିଛୁ। ଏହାପରେ ଆମେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବୁ।”

ଯଦି ୟେଦ୍ଦୁରପ୍ପାଙ୍କୁ ବିଧାୟକ ଦଳ ନେତା ଭାବେ ବଛାଯାଏ , ତା’ହେଲେ ସେ ୪ର୍ଥ ଥର ପାଇଁ କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଗତବର୍ଷ ମେ’ ମାସରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିନ୍ତୁ ଆସ୍ଥା ଭୋଟ ପୂର୍ବରୁ ମାତ୍ର ୪୮ ଘଣ୍ଟା ମଧ୍ୟରେ ସେ ଇସ୍ତଫା ଦେଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୟେଦ୍ଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ କେବେ ହେଲେ, ତାଙ୍କ କାର୍ଯ୍ୟକାଳ ପୂର୍ଣ୍ଣ କରିପାରି ନାହାନ୍ତି।

କର୍ଣ୍ଣାଟକର ୨୨୪ ଆସନ ମଧ୍ୟରୁ ୧୫ ଜଣ ବିଧାୟକ ବିଧାୟକଙ୍କୁ ବାଦ୍‌ ଦେଲେ,ବିଧାୟକଙ୍କ ସଂଖ୍ୟା ୨୧୦କୁ ଖସି ଆସିଥିଲା। ଏଥିସହ ୨ ଜଣ ସ୍ୱାଧୀନ ବିଧାୟକ ଓ ବିଏସ୍‌ପିର ଜଣେ ବିଧାୟକ ମଧ୍ୟ ଅନୁପସ୍ଥିତ ରହିଥିଲେ। ତେଣୁ ଏହି ସଂଖ୍ୟା ୨୦୭ ରହିଥିଲା। ଅର୍ଥାତ ମ୍ୟାଜିକ ନମ୍ବର ଥିଲା ୧୦୪। କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସପକ୍ଷରେ ୯୯ଟି ଭୋଟ ପଡ଼ିଥିବା ବେଳେ ବିଜେପି ସପକ୍ଷରେ ୧୦୫ ଭୋଟ ଆସିଥିଲା।

ଅନ୍ୟପକ୍ଷରେ ମେଣ୍ଟ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ୧୫ ଜଣ ବିଧାୟକ ଏବେ ବି ମୁମ୍ବାଇରେ ରହିଛନ୍ତି। ସେମାନେ ଚଳିତ ସପ୍ତାହରେ ବେଙ୍ଗାଲୁରୁକୁ ଫେରିବେ ନାହିଁ ବୋଲି ଜଣାପଡ଼ିଛି। ବିଜେପି ରାଜ୍ୟରେ କ୍ଷମତା ଦଖଲ କରିବା ପରେ ଯାଇ ସେମାନଙ୍କ ଘର ବାହୁଡ଼ା ହେବ ବୋଲି କୁହାଯାଉଛି।