ଦୁର୍ନୀତିଗ୍ରସ୍ତଙ୍କୁ କୋଳେଇ ଓଡ଼ିଆ ଲୋକମାନଙ୍କୁ ବୋକା ବନାଇବାର ସମୟ ଏବେ ସରିଯାଇଛି : ବିଜେପି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟ ନାୟକ ଏକ ଯୋଜନାବଦ୍ଧ ରଣନୀତିର ଅଙ୍ଗ ଭାବରେ ଦୁର୍ନୀତିଗ୍ରସ୍ତ ନେତାଙ୍କୁ କିଛି ସମୟ ପାଇଁ ବାହାର କରି ପରେ ପୁଣି କୋଳେଇ ନେଇ ଲୋକଙ୍କୁ ବୋକା ବନାନ୍ତି ବୋଲି ବିଜେପି ଅଭିଯୋଗ କରିଛି । ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି, ଦୁର୍ନୀତିଖୋର ନେତାଙ୍କ ସର୍ଦ୍ଦାର ନବୀନ ପଟ୍ଟନାୟକ ସ୍ୱଚ୍ଛତାର ମିଛ ମୁଖା ପିନ୍ଧି ଓଡ଼ିଆ ଲୋକଙ୍କୁ ବୋକା ବନାଇବାରେ ମାହିର୍ । ଓଡ଼ିଆ ଲୋକମାନଙ୍କୁ ବୋକା ବନାଇବାର ସମୟ ଏବେ ସରିଯାଇଛି । ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାର ସହ ବିଜେପିର କୌଣସି ସମ୍ପର୍କ ନାହିଁ । ମାତ୍ର ଓଡ଼ିଆ ଲୋକଙ୍କ ଝାଳବୁହା ଅର୍ଥରେ ଗଢି ଉଠିଥିବା ଓଡ଼ିଶାର ତହବିଲ ବିଜେଡି ବା ନବୀନ ପଟ୍ଟନାୟକଙ୍କର ପୈତୃକ ସମ୍ପତ୍ତି ନୁହେଁ । ବିଜେଡି ଯଦି ଭାବୁଛି ଓଡ଼ିଶାର ସମ୍ପତ୍ତି ଏହି ଦଳର ଏକଚାଟିଆ ଅଧିକାର ଏବଂ ଏହି ପ୍ରସଙ୍ଗରେ କେହି ମୁହଁ ଖୋଲି ପାରିବେ ନାହିଁ ଏହା ତାଙ୍କର ଦିବାସ୍ୱପ୍ନ ।

ରାଜ୍ୟ ସରକାରଙ୍କର ଦୁର୍ନୀତି ଓଡ଼ିଆଙ୍କ କଷ୍ଟାର୍ଜିତ ଝାଳବୁହା ଅର୍ଥର ଲୁଟ । ବିଜେପି ଏହି ମାମଲାରେ ଚୁପ୍ ବସିରହିବ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଦୁର୍ନୀତି ମାମଲାରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତିଖୋରଙ୍କୁ ଘଣ୍ଟ ଘୋଡ଼ାଉଥିବା ସ୍ପଷ୍ଟ ହୋଇଯାଇଛି । ଜନପ୍ରତିକ୍ରିୟାକୁ ଏଡ଼ାଇବା ପାଇଁ କିଛିଦିନ ପାଇଁ ଦୁର୍ନୀତିଗ୍ରସ୍ତ ନେତାଙ୍କୁ ଦୂରେଇ ପୁଣି ତାଙ୍କୁ ପୁଣି କୋଳାଇବା ନବୀନ ପଟ୍ଟନାୟକଙ୍କ ନୀତିରେ ପରିଣତ ହୋଇଯାଇଛି ।

ଶ୍ରୀ ମହାନ୍ତି କହିଛନ୍ତି, ପ୍ରଶାନ୍ତ ନନ୍ଦଙ୍କୁ କେଉଁ ଅଭିଯୋଗରେ ମନ୍ତ୍ରିମଣ୍ଡଳରୁ ବାହାର କରାଯାଇଥିଲା ଓ ପୁଣି ତାଙ୍କ ସାଂସଦ ବନାଇ ସମ୍ମାନିତ କରାଗଲା, ଏହାର ଉତ୍ତର ନବୀନ ପଟ୍ଟ ନାୟକଙ୍କୁ ଦେବାକୁ ପଡ଼ିବ । ବିଭିନ୍ନ ଦୁର୍ନୀତି ମାମଲାରେ ସିଧାସଳଖ ଜଡ଼ିତ ଥିବା ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପ୍ରମିଳା ମଲିକ, ପ୍ରଦୀପ ପାଣିଗ୍ରାହୀ, ପ୍ରଣବ ବଳବନ୍ତରାୟ, ଅମର ଶତପଥୀ, ପ୍ରଭାତ ବିଶ୍ୱାଳ, ପ୍ରଭାତ ତ୍ରିପାଠୀ ଜଡ଼ିତ ଥିଲା ବେଳେ ଏମାନେ ବିଜେଡିର ମୁଖ୍ୟ ପରିଚାଳକ । ଯଦି ନେତୃତ୍ୱ ଚୋର ତାହାହେଲେ ସେମାନଙ୍କ ନେତା କିପରି ସାଧୁ ହେବେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ସରକାରୀ ପ୍ରୋତ୍ସାହନରେ ଦୁର୍ନୀତିରେ ଜଡ଼ିତ । କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଓ ମନ୍ତ୍ରୀ ପରିଷଦର ଅନେକ ସଦସ୍ୟ ଦୁର୍ନୀତିଖୋରଙ୍କୁ ସୁରକ୍ଷା ଦେବା ପଛରେ ଖୋଦ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମୁଖ୍ୟ କାର୍ପଟଦାର ଏକଥା ଓଡ଼ିଶା ଜନମାନସରେ ସ୍ପଷ୍ଟ ହେଲାଣି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଉପସ୍ଥିତ ଥିଲେ ।