ଚାରା ମହାଦୁର୍ନୀତି, ସମବାୟ ଦୁର୍ନୀତି, ଓମଫେଡ ଘୋଟାଲାରେ ସିବିଆଇ ତଦନ୍ତ ଦାବି କଲା -ବିଜେପି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ସ୍ୱଚ୍ଛତାର ଡିଣ୍ଡିମ ପିଟୁଛନ୍ତି । ନିଜେ ଦୁର୍ନୀତିରେ ବୁଡି ରହିଛନ୍ତି । ରାଜ୍ୟରେ ହୋଇଥିବା ଚାରା ମହାଦୁର୍ନୀତି, ସମବାୟ ଦୁର୍ନୀତି, ଦୁଗ୍ଧଦୁର୍ନୀତି (ଓମଫେଡ) ତାଙ୍କର ଅସଲମୁଖାକୁ ପଦାରେ ପକାଇ ଦେଇଛି । ଯଦି ମୁଖ୍ୟମନ୍ତ୍ରୀଙ୍କର ସତସାହସ ଅଛି ଏ ସମସ୍ତ ଦୁର୍ନୀତିର ତଦନ୍ତ ସିବିଆଇକୁ ଦେବା ଦରକାର । ରାଜ୍ୟ ସରକାର ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ନଦେଲେ ବିଜେପି ତରଫରୁ ଏହି ପ୍ରସଙ୍ଗକୁ ନେଇ କେବଳ ରାଜରାସ୍ତାରେ ଆନ୍ଦୋଳନ କରିବ ନାହିଁ ଆଇନ ଅଦାଲତର ଆଶ୍ରୟ ନେବାକୁ ଚେତାବନୀ ଦେଇଛି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ୪୦୦ କୋଟିର ଗୋଖାଦ୍ୟ ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ ଏବେ ଜେଲରେ ଅଛନ୍ତି । ସମବାୟରେ ୭୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି । ମୁଖ୍ୟମନ୍ତ୍ରୀ ଏ ସବୁ

ଦୁର୍ନୀତି ଉପରେ ଦିଲୀରୁ ଫେରି ପଦୁଟିନ ନକହି ମୋନାଲିସାର ହସ ହସି ଶୁଆଙ୍କ ପରି ଦୁଇପଦ କଥା କହି ଚାଲିଗଲେ ।
ଶ୍ରୀ ଆଚାର୍ଯ୍ୟ ଆହୁରି କହିଲେ ଯେ, ମୁଖ୍ୟମନ୍ତ୍ରୀ ଦିଲୀରୁ ଫେରିବା ପରେ ଡା.ଦାମୋଦର ରାଉତଙ୍କ ବିଜେଡିର ବହିଷ୍କାର ମାମଲାରେ ତାଙ୍କର ମନ୍ତବ୍ୟ ରଖିଛନ୍ତି । ଦଳରେ ରହିବା ନରହିବା ବିଜେଡିର ଅନ୍ତଦ୍ୱନ୍ଦ ବିଜେଡିର ଓ ଏହାର ସଭାପତି ଭାବରେ ନବୀନ ପଟ୍ଟନାୟକ ତାଙ୍କର ମନ୍ତବ୍ୟ ରଖିଛନ୍ତି । ମାତ୍ର ଓଡିଶାର ଜନମାନସକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶାସନିକ ନିଷ୍ପତି ବାବଦରେ ଆନ୍ଦୋଳିତ କରୁଥିବା ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ଉତର ନଦେଇ କାହିଁକି ଏଡାଇ ଯାଇଛନ୍ତି ଏହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଶ୍ରୀ ଆଚାର୍ଯ୍ୟ ଆହୁରି କହିଛନ୍ତି ଯେ, ଓଡିଶାବାସୀ ଏହାର ଉତର ମାଗିବା ସ୍ୱାଭାବିକ କଥା । କଥା କଥାକେ କମିଶନ ବସାଇବାର ଅଭ୍ୟାସ ରହିଛି । ନିଜ ଶାସନ କାଳରେ ଅଢେଇ ଡର୍ଜନରୁ ଅଧିକ କମିଶନ ବସାଇଛନ୍ତି । ହେଲେ ଏହାର ଫଳ ଶୂନ୍ୟ । ଏବେ ନବୀନ ବାବୁ ମୋନାଲିସା ହସ ମାଧ୍ୟମରେ ଯେଉଁ ହସ ଦେଖାଉଛନ୍ତି ଓଡିଶାର ଜନସାଧାରଣର ଏହାର ଜବାବ ବାଲଟ ମାଧ୍ୟମରେ ଦେବେ ।

 ୪୦୦ କୋଟିର ଗୋଖାଦ୍ୟ ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ ଏବେ ଜେଲରେ ଅଛନ୍ତି
 ରାଜ୍ୟର ସମବାୟ ବିଭାଗରେ ୭୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି
 ନବୀନ ବାବୁ ମୋନାଲିସା ହସ ମାଧ୍ୟମରେ ଯେଉଁ ହସ ଦେଖାଉଛନ୍ତି ଓଡିଶାର ଜନସାଧାରଣର ଏହାର ଜବାବ ଭୋଟ ମାଧ୍ୟମରେ ଦେବେ
 ବୈଜୟନ୍ତ ପଣ୍ଡା ହୁଅନ୍ତୁ, ପ୍ରଫୁଲ ଘଡେଇ ହୁଅନ୍ତୁ ଅବା ଦାମୋଦର ରାଉତ, ଯିଏ ଦୁର୍ନୀତି କଥା ଉଠାଇଛନ୍ତି ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି ।
 କାହାକୁ ବହିଷ୍କାର କରାଯିବ ଏହା ତାଙ୍କ ଦଳର ଆଭ୍ୟନ୍ତରୀଣ ବ୍ୟାପାର ହେଲେ ଓଡିଶାବାସୀଙ୍କୁ ଏହି ଦୁର୍ନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ

 

ଶ୍ରୀ ଆଚାର୍ଯ୍ୟ ଆହୁରି କହିଲେ ଯେ ଓଡିଶାର ବିଭିନ୍ନ ଗଣସଙ୍ଗଠନ ଓ ସୂଚନା ଅଧିକାର କର୍ମୀମାନେ ରାଜ୍ୟର କୃଷି, ସମବାୟ ତଥା ଚାଷ ଓ ଚାଷୀ ସହ ସମ୍ବନ୍ଧିତ ଖୋଦ ନବୀନ ପଟ୍ଟନାୟକଙ୍କ ସରକାର ନିଷ୍ପତି ଓ କାର୍ଯ୍ୟକ୍ରମ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ଓ ମହାଦୁର୍ନୀତିର ବିଭିନ୍ନ ତଥ୍ୟ ସମ୍ବଳିତ ଅଭିଯୋଗ ମାନ ଆଣିଛନ୍ତି । ପୂର୍ବତନ ମନ୍ତ୍ରୀ ଡା.ଦାମୋଦର ରାଉତ ବିଭିନ୍ନ ସୁତ୍ରରୁ ଓଡିଶାର ଜନମାନସକୁ ବ୍ୟସ୍ତ ବିବ୍ରତ କରୁଥିବା ପ୍ରସଙ୍ଗ ଗୁଡିକୁ ଉଠାଇଛନ୍ତି । ଏହି ପ୍ରସଙ୍ଗ ଗୁଡିକ ମୁଖ୍ୟମନ୍ତ୍ରୀଙ୍କ ପ୍ରଶାସନିକ ନିଷ୍ପତି ସହିତ ଦୁର୍ନୀତିର ସମ୍ପର୍କ ଜନମାନସରେ ଆହୁରି ସ୍ପଷ୍ଟ କରିଛି । ଏହି ସବୁ ଦୁର୍ନୀତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କୌଣସି ମତ ମନ୍ତବ୍ୟ ଦେଇନାହାନ୍ତି । ରାଜ୍ୟର ଚାଷୀ, ଦୁଗ୍ଧଚାଷୀ , ଜନଜାତି ତଥା ସାଧାରଣ କ୍ଷୀର କିଣୁଥିବା ଖାଉଟିମାନଙ୍କୁ ରାଜ୍ୟ ସରକାରଙ୍କ ଦୁର୍ନୀତି କାରଣରୁ ଆର୍ଥିକ ଶୋଷଣର ଶିକାର ହେବାକୁ ପଡୁଛି । ମୁଖ୍ୟମନ୍ତ୍ରୀ ଦୁର୍ନୀତି ଭଳି ସଙ୍ଗୀନ ପ୍ରସଙ୍ଗକୁ ଏଡାଇ ଯାଇ ପ୍ରକାରନ୍ତରେ ଦୁର୍ନୀତିରେ ସାମିଲ ମନ୍ତ୍ରୀ, ନେତା, ଅଫିସରଙ୍କ ମଧୁଚନ୍ଦ୍ରିକାକୁ ପ୍ରଶାସନିକ ସୁରକ୍ଷା ଦେବାଭଳି ସାଧାରଣ ଓଡିଆ ଲୋକଙ୍କର ଅନୁଭବ ହେଉଛି ।
ଶ୍ରୀ ଆଚାର୍ଯ୍ୟ ଆହୁରି କହିଲେ ଯେ, ଓଡିଶାର ବିକାଶ ପାଇଁ ନାବାର୍ଡ ଯେଉଁ ଅର୍ଥ ଦେଇଛି ତାର ହରିଲୁଟ ହୋଇଛି । ବିଭିନ୍ନକଥାରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇ ପିଅନ, କିରାଣୀ, ଆରଟିଓ ମାନଙ୍କୁ ଧରି ବାହାବା ମାରୁଥିବା ମୁଖ୍ୟମନ୍ତ୍ରୀ ନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀଙ୍କୁ ସୁରକ୍ଷା ଦେଉଛନ୍ତି । ଗତକାଲି ଯେଉଁ ହସର ଠାଣି ଦେଖାଇଛନ୍ତି ତାହା ଶୁଆକୁ କଥା କୁହା ଶିଖା ଗଲା ଭଳି । ଆଗରୁ କାଗଜ ଧରି କହୁଥିଲେ ଏବେ ଦୁଇପଦ ଶୁଆ ଭଳି କହି ଚାଲିଗଲେ ।

ଶ୍ରୀ ଆଚାର୍ଯ୍ୟ କହିଲେ ଯେ, ଶ୍ରୀ ଦାମୋଦର ରାଉତ ଯେଉଁ ଦୁର୍ନୀତି କଥା ଉଠାଇଛନ୍ତି ତାହାକୁ ବିଧାନସଭାରେ କୃଷିମନ୍ତ୍ରୀ ସ୍ୱୀକାର କରିଛନ୍ତି । ହେଲେ ଏଯାଏଁ ମୁଖ୍ୟମନ୍ତ୍ରୀ ଏହା ଉପରେ ପଦୁଟିଏ ମୁହଁ ଖୋଲିନାହାନ୍ତି । ସେ ବୈଜୟନ୍ତ ପଣ୍ଡା ହୁଅନ୍ତୁ, ପ୍ରଫୁଲ ଘଡେଇ ହୁଅନ୍ତୁ ଅବା ଦାମୋଦର ରାଉତ, ଯିଏ ଦୁର୍ନୀତି କଥା ଉଠାଇଛନ୍ତି ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଏହା ତାଙ୍କ ଦଳର ଆଭ୍ୟନ୍ତରୀଣ ବ୍ୟାପାର ହେଲେ ଓଡିଶାବାସୀଙ୍କୁ ଏହି ଦୁର୍ନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କର ଜବାବ ଦେବାର ଆବଶ୍ୟକତା ରହିଛି ।
ଶ୍ରୀ ଆଚାର୍ଯ୍ୟ ଆହୁରି କହିଲେ ଯେ, ସରକାର ଏବେ ପ୍ରାଇଭେଟ ଲିମିଟେଡ କମ୍ପାନୀରେ ପରିଣତ ହୋଇଛି । ପ୍ରାଇଭେଟ ଲିମିଟେଡ କମ୍ପାନୀକୁ ୪-୫ ଜଣ ଡାଇରେକ୍ଟର ଚଳାଇବା ପରି ଓଡିଶା ସରକାର ସେଭଳି ଶାସନ ଚଳାଉଛନ୍ତି । ଚାଷୀଙ୍କର ଝାଳବୁହା ଅର୍ଥ ଯେଉଁ ଲୁଟ ହୋଇଛି ତାର ଜବାବ ମୁଖ୍ୟମନ୍ତ୍ରୀ ତୁରନ୍ତ ଦେବାସହ ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।