ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ଦଳ ଛାଡିବା ପ୍ରସଙ୍ଗରେ : ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଦଳ ଛାଡିଲେ ଦିଲୀପ ରାୟ: ବିଜେପି

ଭୁବନେଶ୍ୱର : ବିଜୟ ମହାପାତ୍ରଙ୍କୁ ଦଳରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ ଦିଆଯାଇଥିଲେ ମଧ୍ୟ ବିଜୟ ବାବୁ ଦଳକୁ ନିଜର ଭାବିଲେ ନାହିଁ । ଘର ପୁଅ ଘର ଭିତରେ ରହି ଘର ବିରୋଧରେ ବକ୍ତବ୍ୟ ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ଦଳ ଛାଡିବା ପ୍ରସଙ୍ଗରେ ଦଳର ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଅନ୍ୟ ସହିତ ମିଳିମିଶି କାମ କରିବା ବିଜୟ ମହାପାତ୍ରଙ୍କ ଡିଏନଏରେ ନାହିଁ । ଦଳକୁ ଗୋଷ୍ଠୀରେ ବିଭକ୍ତ କରିବା ପାଇଁ ଶତ ଚେଷ୍ଟା ବିଫଳ ହେବା ପରେ ବିଜୟ ବାବୁ ଦୀର୍ଘ ଦିନରୁ ଦଳୀୟ କାର୍ଯ୍ୟରୁ ନିଜୁ ଦୁରେଇ ରଖୁଥିଲେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଦୀର୍ଘ ବର୍ଷ ବର୍ଷ ଧରି ଉଭୟ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ଦଳୀୟ ରାଜ୍ୟ କାର୍ଯ୍ୟାଳୟ ବା ଦଳୀୟ କାର୍ଯ୍ୟକ୍ରମରେ କେବେ ବି ଯୋଗ ଦେଉନଥିଲେ । ଏପରିକି ନା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ନା ରାଜ୍ୟ କାର୍ଯ୍ୟକାରିଣୀ ବୈଠକୁ ଉଭୟ ଆସୁଥିଲେ । ଦଳର ସଫଳତା ବା ବିଫଳତା ସହିତ ଉଭୟ ନେତାଙ୍କର କୌଣସି ସମ୍ପର୍କ ନଥିଲା ଭଳି ସେମାନଙ୍କ ଆଚରଣରୁ ଜଣାପଡୁଥିଲା । ସେ ଦଳରେ ରହିଲେ ବା ଦଳ ଛାଡିଲେ ଦଳ ଉପରେ ଏହାର କୌଣସି ବି ପ୍ରଭାବ ପଡିବ ନାହିଁ ବୋଲି କହିବା ସହ ଉଭୟ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର କେବେ ବିଜେପିରେ ଥିଲେ ବୋଲି ଶ୍ରୀ ମହାନ୍ତି କଟାକ୍ଷ କରିଛନ୍ତି ।
କୋଲ ବ୍ଲକ ଆବଂଟନ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ଦିଲ୍ଲୀପ ରାୟ ସିବିଆଇ ତଦନ୍ତର ସାମନା କରୁଛନ୍ତି । ମୋଦିଙ୍କ ନୀତି “ନା ଖାଉଙ୍ଗା ନା ଖାନେ ଦୁଙ୍ଗା” ନୀତି କାରଣରୁ ଯଦି ଦିଲ୍ଲୀପ ରାୟଙ୍କ କ୍ରୋଧ ସିବିଆଇ ଉପରେ ଏବଂ ତାଙ୍କ ବିରୁଦ୍ଧରେ କାହିଁକି ମାମଲା ରୁଜୁ କଲା, ତାହେଲେ ବିଜେପି ଏହି ମାମଲାରେ ନାଚାର ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଦିଲୀପ ରାୟ ରାଉରକେଲାବାସୀଙ୍କ ସ୍ୱାର୍ଥକୁ ନେଇ ମିଛ ନାଟକ କରୁଛନ୍ତି । ଗତ ୟୁପିଏ ସରକାର ଶାସନ କାଳ ସମୟରେ ବୀରମିତ୍ରପୁର- ବ୍ରାହ୍ଣଣୀ-ରାଜାମୁଣ୍ଡା- ବାରକୋଟ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଦୁଇ ଥର ଉଦ୍ୟମ ବିଫଳ ହୋଇଥିଲ । ମାତ୍ର ମୋଦି ସରକାର ଏହି ପ୍ରକଳ୍ପ ପାଇଁ ସୁବନ୍ଦୋବସ୍ତ କରିବା ସହ ବ୍ରାହ୍ମଣୀ ଦ୍ୱିତୀୟ ପୋଲକୁ ଚାରି ଲେନରୁ ଛଅ ଲେନ କରିବାର କାର୍ଯ୍ୟ ଆରମ୍ଭ ହୋଇସାରିଛି । ମାତ୍ର ରାଜ୍ୟ ସରକାର ଜମି, ଜଂଗଲ ନିୟମ, ଗଛ କଟା ଅନୁମତି ଆଳରେ ଏହି ପ୍ରକଳ୍ପକୁ ନକରାଇ ଦେବାର ଷଡଯନ୍ତ୍ର କରୁଛନ୍ତି । ହେଲେ ଦିଲୀପ ସବୁ ଜାଣି ସୁଦ୍ଧା କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଅଭିଯୋଗ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ରାଉରକେଲା ଆଜିଏଚ ସୁପର ସ୍ପେସାଲିଷ୍ଟ ହସପିଟାଲ ଓ ମେଡିକାଲ କଲେଜ ପ୍ରସଙ୍ଗରେ ଏହି ମେଡିକାଲ କଲେଜକୁ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ନିର୍ମାଣ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ନିୟମାନୁଯଅୟୀ କେନ୍ଦ୍ରସରକାରଙ୍କର ଅଂଶଧନ ୬୦%କୁ ରାଷ୍ଟ୍ରାୟତ ଉଦ୍ୟୋଗ ସେଲ ଦେବ ଏବଂ ବାକି ୪୦% ରାଜ୍ୟ ସରକାର ଦେବେ । ହେଲେ ରାଜ୍ୟ ସରକାର ତାଙ୍କର ୪୦% ଅଶଂଧନ ଦେବା ପାଇଁ କୌଣସି ଆଗ୍ରହ ଦେଖାଉ ନାହାନ୍ତି । ସେହି କାରଣ ପାଇଁ ନିର୍ମାଣ କାମ ବିଳମ୍ବ ହେଉଥିଲ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ କୌଣସି ପ୍ରଶ୍ନ ନକରି ଏକ ନିର୍ଦ୍ଧିଷ୍ଟ ରାଜନୈତି ଉଦ୍ଦେଶ୍ୟ ରଖି କେନ୍ଦ୍ର ସରକାରଙ୍କୁ ଦୋଷାରୋପ କରିବା କେତେ ଦୂର ଗ୍ରହଣୀୟ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

କୋଏଲ ନଦୀରେ ବ୍ୟାରେଜ ଓ ସେତୁ କରାଯାଇ ଇସ୍ପାତ ନଗରୀର ଜଳ କଷ୍ଟ ଦୂର କରିବାକୁ ଗତ ତା.୯.୭.୨୦୧୩ରେ ମୁଖ୍ୟମନ୍ତ୍ରୀ ନବୀନ ଭିତି ପ୍ରସ୍ତର ସ୍ଥାପନ କରିଥିଲେ । ଏପର୍ଯ୍ୟନ୍ତ ଇଟା ଖଣ୍ଡେ ବି ପଡି ପାରିଲା ନାହିଁ । ରାଉରକେଲାବାସୀ ଖରା ଦିନେ ଉକ୍ରଟ ଜଳ କଷ୍ଟରେ ରହୁଛନ୍ତି । ଏହି ପ୍ରସଙ୍ଗକୁ ଦିଲ୍ଲୀପ ବିଧାନସଭାରେ ବା ଗଣମାଧ୍ୟମ ଆଗରେ ଥରଟିଏ ବି ନ ଉଠାଇବା ପଛର କାରଣ କଣ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଯଦି ଦିଲୀପ ରାୟ ଏବଂ ବିଜୟ ମହାପାତ୍ରଙ୍କ ଅନ୍ୟ କିଛି ରାଜନୈତିକ ଉଦ୍ଦେଶ୍ୟ ଅଛି ଏବଂ ସେଥି ପାଇଁ ବିଜେପି ଉପରେ ଦୋଷାରୋପ କରିବା ପାଇଁ ଉଭୟେ ନିଷ୍ପତି ନେଇଛନ୍ତି, ତାହେଲେ ସେମାନଙ୍କ ଭିତିହୀନ ଓ କପୋଳକଳ୍ପିତ ତର୍କକୁ ଓଡିଶାବାସୀ ପ୍ରତ୍ୟାଖାନ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଏବଂ ରାଜ୍ୟ ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ( ବିଜେପିର ପ୍ରେସ ରିଲିଜ )