ଦେଶ ସର୍ବୋଚ୍ଚ ଓ ଏହାର ବିକାଶ ଆମର ମନ୍ତ୍ର: ମୋଦୀ

ବିଜେପି ସଂସଦୀୟ ଦଳ ବୈଠକ

ନୂଆଦିଲ୍ଲୀ: ସଂସଦରେ ଗୃହକାର୍ଯ୍ୟ ଆରମ୍ଭ ପୂର୍ବରୁ ବିଜେପି ସଂସଦୀୟ ଦଳ ବୈଠକ ହୋଇଛି । ବୈଠକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ସର୍ବୋଚ୍ଚ ଓ ବିକାଶ ଆମର ମନ୍ତ୍ର ବୋଲି କହିଛନ୍ତି । ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ଦିଲ୍ଲୀ ହିଂସାକୁ ନେଇ ବିରୋଧୀ ହଟ୍ଟଗୋଳ କରିଥିଲେ ଫଳରେ ଗୃହକାର୍ଯ୍ୟ ଅଚଳ ରହିଥିଲା । ଆଜି ପୁଣି ବିରୋଧୀ ଏହି ମୁଦ୍ଦା ଉଠିବାରୁ ରାଜ୍ୟସଭା ଦିନ ୨ଟା ଯାଏଁ ଓ ଲୋକସଭା ଦିନ ୧୨ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି ।

ବିଜେପି ବୈଠକରେ ମୋଦୀ କହିଛନ୍ତି, ‘ବିକାଶ ପାଇଁ ଶାନ୍ତି, ଏକତା ଓ ସୌହାର୍ଦ୍ଦ୍ୟ ରହିବା ଜରୁରୀ । ଆଜି ବି ଏପରି ଅନେକ ଦଳ ଅଛି ଯିଏ ଦଳର ହିତକୁ ଦେଶଠାରୁ ବଡ ଭାବିଥାନ୍ତି ’ । ଏହି ବୈଠକରେ ମୋଦିଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରକାଶଥାଉକି, ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ଦିନ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଗୃହକାର୍ଯ୍ୟ ବନ୍ଦ ରହିଥିଲା । ଏପରିକି ଲୋକସଭା ବାଚସ୍ପତି ଓମ୍ ବିର୍ଲା ସାଂସଦଙ୍କୁ ଗୃହର ଗରିମା ବଜାୟ ରଖିବାକୁ ଅପିଲ କରିଥିଲେ । ଦିଲ୍ଲୀ ହିଂସାକୁ ନେଇ ଓମ୍ ବିର୍ଲା କହିଛନ୍ତି,‘ ଦିଲ୍ଲୀରେ ହିଂସାକୁ ରୋକିବା ପାଇଁ ସମସ୍ତ ଦଳ ସାମୂହିକ ଭାବେ ପ୍ରୟାସ କରିବା ଜରୁରୀ ’।