ପିପିଲି ଗଣଦୁଷ୍କର୍ମ ଘଟଣା ପ୍ରଙ୍ଗରେ  କ୍ରାଇମବ୍ରାଂଚ ଷଡଯନ୍ତ୍ର କରି ଦୋଷୀକୁ ଖଲାସ କରିବାରେ ସାହାଯ୍ୟ କରିଛି : ମହିଳାମୋର୍ଚ୍ଚା

ଭୁୁବନେଶ୍ୱର: ପିପିଲିର ଦଳିତ ଝିଅ ବେବିନା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ମାନେ ନିର୍ଦ୍ଦୋଷରେ ଖଲାସ ହେବା ପରେ ରାଜ୍ୟ ସରକାରର ବରିଷ୍ଠ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀ ପୀଡିତାଙ୍କୁ ନ୍ୟାୟ ମିଳିବା ବୋଲି କହିବା ଅତ୍ୟନ୍ତ ଦୁଃଖ ଦାୟକ ଓ ସମ୍ବେଦନହୀନ ବୋଲି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପରିଡା କହିଛନ୍ତି ଯେ, ଓଡିଶାରେ ମହିଳାଙ୍କୁ ସମ୍ମାନ କେତେ ଦିଆଯାଉଛି ତାହା କ୍ୟାବିନେଟ ମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ ଜଣାପଡୁଛି । ମନ୍ତ୍ରୀ ମହାରଥୀ ପୀଡିତା ନ୍ୟାୟ ପାଇଛି କହି ପୂରା ସମଗ୍ର ମହିଳା ଜାତିକୁ ଅପମାନିତ କରିଛନ୍ତି । ଏଭଳି ସମ୍ବେଦନହୀନ ମନ୍ତବ୍ୟ ରଖିଥିବାରୁ ମୁଖ୍ୟମନ୍ତ୍ରୀ ମହାରଥୀଙ୍କୁୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ସହ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ମହିଳା ମୋର୍ଚ୍ଚା ଦାବି କରିଛି ।

 କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବହିଷ୍କାର ଦାବି
 ତଦନ୍ତ ଭାର ସିବିଆଇକୁ ଦେବାକୁ ଦାବି କଲା ମହିଳାମୋର୍ଚ୍ଚା
 ୨୪ ଘଂଟା ମଧ୍ୟରେ ମନ୍ତ୍ରୀ ଇସ୍ତଫା ନଦେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ
 ପୀଡିତା ପରିବାରକୁ ଭେଟିଲା ବିଜେପି ପ୍ରତିନିଧୀ ଦଳ
 ସନ୍ଧ୍ୟାରେ କ୍ୟାଣ୍ଡେଲ ଶୋଭାଯାତ୍ରା
 ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦେବାରେ ସରକାର ବିଫଳ 

ବେବିନା ମାମଲାରେ ମହାରଥୀଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ବାହାର କରିଥିଲେ । ସ୍ଥାନୀୟ ଥାନା ଅଧିକାରୀ ତଦନ୍ତରେ ଅବହେଳା ପାଇଁ ନିଲମ୍ବିତ ହୋଇଥିଲେ । ଏବେବି ସାକ୍ଷ୍ୟ ପ୍ରମାଣ ନଦେଇ ଦୋଷୀକୁ ଖଲାସ କରିବାରେ ସରକାର ସହଯୋଗ କରିଥିବା କଥା ପୀଡିତାର ପରିବାର ଅଭିଯୋଗ କରୁଛନ୍ତି । ଏପରି ସ୍ଥିତିରେ ମନ୍ତ୍ରୀ ଯେପରି ମନ୍ତବ୍ୟ ଦେଇଛନ୍ତି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହାର ପ୍ରତିବାଦରେ ମୋର୍ଚ୍ଚା ପକ୍ଷରୁ ଆଜି ସନ୍ଧ୍ୟାରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯିବା ସହ ଏକ ପ୍ରତିନିଧୀଦଳ ପୀଡିତା ପରିବାର ସଦସ୍ୟଙ୍କୁୁ ଭେଟି ଆଲୋଚନା କରିଛି ।
୨୪ ଘଂଟା ମଧ୍ୟରେ ଯଦି ମନ୍ତ୍ରୀ ଇସ୍ତଫା ନଦେଲେ ଆସନ୍ତା ଶୁକ୍ରବାର ଓ ଶନିବାର ରାଜ୍ୟବ୍ୟାପୀ ଆନ୍ଦୋଳନ ସହ, ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯିବ ବୋଲି ଶ୍ରୀମତୀ ପରିଡା ସୂଚନା ଦେଇଛନ୍ତି ।
ଶ୍ରୀମତୀ ପରିଡା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରୁ ମାତ୍ର ୨୫ କିଲୋମିଟର ଦୂରରେ ଗଣଦୁଷ୍କର୍ମ ପରେ ମୃତ୍ୟୁ ଘଟିଥିବା ଝିଅର ଦୋଷୀକୁ ଦଣ୍ଡ ଦେବାରେ ରାଜ୍ୟ ସରକାର ଯୋଜନାବଦ୍ଧ ଭାବରେ ତଥ୍ୟ ପ୍ରମାଣ ଉପସ୍ଥାପନ ନକରି ଖସାଇ ଦେଇଛନ୍ତି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସମ୍ମାନ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣର କୁମ୍ବୀର କାନ୍ଦଣା କାନ୍ଦୁଥିବା ବେଳେ ଅନ୍ୟପଟେ ବେବିନା ୩୩ ପ୍ରତିଶତ ମହିଳାଙ୍କ ଭିତରେ ଆସୁଥିଲେ କି ନାହିଁ ବୋଲି ଶ୍ରୀମତୀ ପରିଡା ପ୍ରଶ୍ନ କରିଛନ୍ତି ।

ଗୋଟିଏ ପଟେ ରାଜ୍ୟସରକାର ମହିଳା ସଂରକ୍ଷଣ, ମିଶନ ଶକ୍ତି, ମହିଳା ସଶକ୍ତିକରଣ କଥା କହି ନିଜ ପ୍ରଶଂସା କରିଚାଲିଥିବାବେଳେ ଅନ୍ୟପଟେ ଶାସକ ଦଳର କ୍ୟାବିନେଟ ମନ୍ତ୍ରୀ ଦୁଷ୍କର୍ମ ପୀଡିତା ଉପରେ ସମ୍ବେଦନହୀନ ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁଃଖଦାୟକ ଏବଂ ର୍ଦୁଭାଗ୍ୟଜନକ । ଯଦି ବାସ୍ତବରେ ରାଜ୍ୟସରକାର ମହିଳାଙ୍କୁ ଗୁରୁତ୍ୱ ଦେଉଛନ୍ତି ତେବେ ମୁଖ୍ୟମନ୍ତ୍ରୀ ତୁରନ୍ତ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରନ୍ତୁ ବୋଲି ବିଜେପି ନେତ୍ରୀ ଶ୍ରୀମତୀ ଅପରାଜିତା ଷଡଙ୍ଗୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା କ୍ରାଇମବ୍ରାଂଚ ଆଜି ତଥ୍ୟ ନଷ୍ଟକାରୀ ସଂସ୍ଥା ଭାବେ କାର୍ଯ୍ୟ କରୁଛି । ନିକଟ ଅତୀତରେ କୁନ୍ଦୁଲି ନାବାଳିକା ଦୁଷ୍କର୍ମ ପୀଡିତାର ପ୍ରମାଣ ବି କ୍ରାଇମବ୍ରାଂଚ ଦ୍ୱାରା ନଷ୍ଟ କରାଯାଇଥିଲା । ରାଜ୍ୟସରକାରଙ୍କ ଅପାରଗତା ଯୋଗୁଁ ଏବେ ପିପିଲି ଦୁଷ୍କର୍ମ ପୀଡିତାର ଦୋଷୀଙ୍କୁ ପ୍ରମାଣ ଅଭାବରୁ ଛାଡ କରାଯିବା ସର୍ବସମ୍ମୁଖକୁ ଆସିଛି । ଦୁଇ ଦୁଇଟି ଝିଅ ଧର୍ଷଣର ଶିକାର ହେବା ପରେ ମୁଖ୍ୟମନ୍ତ୍ରୀଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁନାହିଁ । ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବୟାନ ପରେ ମୁଖ୍ୟମନ୍ତ୍ରୀ ଚୁପ୍ ରହିବା ଅତ୍ୟନ୍ତ ଲଜ୍ଜାଜନକ ଘଟଣା । ଶାସକ ବିଜେଡି ଦଳିତ ଏବଂ ମହିଳା ବିରୋଧୀ ବୋଲି ମୁଖ୍ୟମନ୍ତ୍ରୀ ପ୍ରମାଣ ଦେଇଛନ୍ତି । ରାଜ୍ୟସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣଭାବେ ବିଫଳ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ବିଜେପି ନେତା ରିଙ୍କନ ପଟ୍ଟନାୟକ ଓ ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ଉକ୍ତ ଘଟଣାରେ ରାଜ୍ୟ ମହିଳା ମୋର୍ଚ୍ଚା ତରଫରୁ ବରିଷ୍ଠ ମନ୍ତ୍ରୀଙ୍କ ବହିଷ୍କାର ଓ ଦୋଷୀକୁ ଦଣ୍ଡ ଦାବିକୁ ଜିଲ୍ଲା ମହିଳା ମୋର୍ଚ୍ଚା ସମର୍ଥନ କରି ଆଜି ସ୍ଥାନୀୟ ମାଷ୍ଟରକ୍ୟାଂଟିନ ଛକ ନିକଟରେ ଦୁଷ୍କର୍ମ ପିଡିତା ବେବିନାକୁ ନ୍ୟାୟ ଦାବିରେ ଭୁବନେଶ୍ୱର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ତନୁଶ୍ରୀ ପଟେଲଙ୍କ ନେତୃତ୍ୱରେ ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆଏବଂ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତି ପ୍ରଭାତି ପରିଡାଙ୍କ ଉପସ୍ଥିତିରେ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଏହି ଶୋଭାଯାତ୍ରାରେ ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ନିୟତି ଗିରି, ପିଙ୍କି ପ୍ରଧାନ, ଐଶର‌୍ୟା ବିଶ୍ୱାଳ, କୋଶାଧ୍ୟକ୍ଷ ବିଜୟଲକ୍ଷ୍ମୀ ମହାପାତ୍ର, ଜିଲ୍ଲା ସଂପାଦିକା ଉନ୍ନତି ପରିଡା, ସୁବାସିନୀ ପୃଷ୍ଟି, କବିତା ଲେଙ୍କା, ଛବି ମଲ୍ଲିକ, ପ୍ରଗତି ରଥ, ନିଲୁ ଜେନା, ସୁନିତା ପତି,ମାନସୀମଞ୍ଜରୀ ରାୟ ପାଢୀ ପ୍ରମୁଖଙ୍କ ସମେତ ଶତାଧିକ ମହିଳା ଯୋଗଦାନ କରିଥିଲେ ।

(ବିଜେପି ମିଡିଆ ସେଲ୍)