ଉତ୍ତର ପ୍ରଦେଶରେ ଭାଜପା ସହିତ ମେଣ୍ଟ କରିବ ନିଷାଦ ପାର୍ଟି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶର ମହାମେଣ୍ଟରୁ ଏକ ରାଜନୈତିକ ଦଳ ନିଜକୁ ଅଲଗା ହେବାର ଘୋଷଣା କରିଛି। ତିନି ଦିନ ପୂର୍ବରୁ ଉତ୍ତର ପ୍ରଦେଶରେ ମହାମେଣ୍ଟର ଅଂଶୀଦାର ଥିବା ନିଷାଦ ପାର୍ଟି ଲୋକସଭା ନିର୍ବାଚନରେ ସିଟ୍‌ ନ ମିଳିବା କାରଣରୁ ସପା-ବସପା-ଆରଏଲଡି ମେଣ୍ଟରୁ ଓହରି ଯାଇଛି। ଏହାର ଘଣ୍ଟାକ ପରେ ନିଷାଦ ପାର୍ଟିର ଅଧ୍ୟକ୍ଷ ସଂଜୟ ନିଷାଦ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ। ସମାଜବାଦୀ ପାର୍ଟି ଟିକେଟରେ ଗତ ଥର ଗୋରଖପୁର ଉପନିର୍ବାଚନରେ ନିଷାଦ ପାର୍ଟିର ଅଧ୍ୟକ୍ଷ ସଂଜୟ ନିଷାଦଙ୍କ ପୁଅ ପ୍ରବୀଣ ନିଷାଦ ବିଜୟୀ ହୋଇଥିଲେ। ନିଷାଦ ପାର୍ଟିର ଅଧ୍ୟକ୍ଷ ସଂଜୟ ନିଷାଦ ୨୦୧୮ରେ ମେଣ୍ଟରେ ସାମିଲ ହୋଇଥିଲେ ଏବଂ ପୁଅକୁ ଗୋରଖପୁରରୁ ପ୍ରାର୍ଥୀ କରାଇବାରେ ସଫଳ ହୋଇଥିଲେ। ଏହାଫଳରେ ମେଣ୍ଟ ସେଠାରୁ ବିଜୟୀ ହୋଇଥିିଲା। ଏବେ ନିଷାଦ ପାର୍ଟି ଗୋରଖପୁର ଓ ଜୌନପୁର ଆସନରେ ଭାଜପା ସହିତ ମେଣ୍ଟ କରିବ ବୋଲି ଜଣାଯାଇଛି। ତେବେ ଏ ଯାଏଁ କୌଣସି ବି ବିଧିବଦ୍ଧ ଘୋଷଣା କରାଯାଇନାହିଁ।