ଆସନ୍ତାକାଲି ଯୁବ ସମ୍ବାଦ ରାଲି ମାଧ୍ୟମରେ ଯୁବପିଢୀଙ୍କୁ ସମ୍ଭୋଧିତ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ପୁନମ ମହାଜନ

ମୋଦି ସରକାରଙ୍କର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତୀ ଉପଲକ୍ଷେ

ଭୁବନେଶ୍ୱର: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି । ଏହି ଅବସରରେ ସାରା ଦେଶରେ ଜନସମ୍ବାଦ ରାଲି ମାଧ୍ୟମରେ ସାଧାରଣ ଜନତାଙ୍କୁ ମୋଦି ସରକାରଙ୍କ ସଫଳତା ଏବଂ ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ୨୮ ତାରିଖ ମଧ୍ୟାହ୍ନ ୧୨.୧୫ ରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଭିଡିଓ କନଫରେନ୍ସି ମାଧ୍ୟମରେ ଯୁବ ସମ୍ବାଦ ରାଲି ଆୟୋଜିତ ହେବ । ଏହି ରାଲିକୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ତଥା ସାଂସଦ ପୁନମ ମହାଜନ ସମ୍ଭୋଧିତ କରିବେ ।

ଏହି ଜନସମ୍ବାଦ ରାଲିରେ କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନାରେ ଯୁବବର୍ଗ ମାନଙ୍କ ପାଇଁ ଥିବା ସୁଯୋଗ ସଂପର୍କରେ ଶ୍ରୀ ପ୍ରଧାନ ଏବଂ ଶ୍ରୀମତୀ ମହାଜନ ସମ୍ଭୋଧିତ କରିବେ । ଆତ୍ମନିର୍ଭର ଭାରତ ଯୋଜନାରେ ଓଡିଶାର ଯୁବପିଢୀ କିପରି ଉପକୃତ ହେବେ ସେନେଇ ମଧ୍ୟ ବିସ୍ତୃତ ବିବରଣୀ ରଖାଯିବ ।

ଏହି ରାଲିରେ ଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ତଥା ସାଂସଦ ପୁନମ ମହାଜନ ଉପସ୍ଥିତ ରହିବେ । ରାଜ୍ୟରେ ସଭାପତି ସମୀର ମହାନ୍ତି ଏବଂ ଯୁବ ମୋର୍ଚ୍ଚାର ନବନିଯୁକ୍ତ ରାଜ୍ୟ ସଭାପତି ଶ୍ରୀ ଇରାସିସ ଆଚାର୍ଯ୍ୟ ଉପସ୍ଥିତ ରହିବେ । ଏହି ଯୁବ ସମ୍ବାଦ ରାଲିରେ ରାଜ୍ୟର ୧୦ ହଜାରରୁ ଉର୍ଦ୍ଧ୍ୱ ଯୁବକ ଯୋଗଦେବେ । ସାଧାରଣ ଜନତା ସୋସିଆଲ ମିଡିଆ ଏବଂ ୟୁଟ୍ୟୁବ ମାଧ୍ୟମରେ ରାଲିର ସିଧାପ୍ରସାରଣ ଦେଖିପାରିବେ ।