ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ : ନରେନ୍ଦ୍ର ସିଂହ ତୋମାର

କୃଷକ-ସମ୍ବାଦ-ଭର୍ଚୁଆଲ-ରାଲି

ଭୁବନେଶ୍ୱର: କୃଷି ଭାରତୀୟ ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ । ଏହାକୁ ଦୃଷ୍ଟିରେ ରଖି ମୋଦି ସରକାର କୃଷକଙ୍କ କଲ୍ୟାଣ ପାଇଁ ସର୍ବଦା ଚେଷ୍ଟିତ । ଆଗାମୀ ଦିନରେ ସମଗ୍ର ଭାରତବର୍ଷର ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଯୋଜନା କରାଯାଉଛି ବୋଲି ଶନିବାର ବିଜେପି ପକ୍ଷରୁ ଆୟୋଜିତ କୃଷକ ସମ୍ବାଦ ଭର୍ଚୁଆଲ ରାଲିରେ ଯୋଗଦେଇ କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ସେହିପରି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ତୋମାରଙ୍କ ନେତୃତ୍ୱରେ ଚାଷୀକୁ ତା ସାମଗ୍ରୀର ଉପଯୁକ୍ତ ପ୍ରାପ୍ୟ ମିଳିଛି ବୋଲି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାରରେ ବିଗତ ୬ ବର୍ଷରେ କୃଷି କ୍ଷେତ୍ରରେ ଅନେକ ସଂସ୍କାର ଅଣାଯାଇଛି । ଦେଶରେ କୃଷି ଆଧାରିତ ବଜାରର ବ୍ୟବସ୍ଥା ତିଆରି କରିବା ପାଇଁ ୧ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଛି । କୋରନା ଭଳି ଘଡିସନ୍ଧି ମୁହୂର୍ତରେ ଚାଷ କର୍ଯ୍ୟକୁ ସ୍ୱୀକୃତି ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଓଡିଶାର ୪୦ ଲକ୍ଷ ଚାଷୀ ପରିବାରକୁ କୃଷକ ସମ୍ମାନ ନିଧିରେ ମାସିକ ୨ ହଜାର ଟଙ୍କା ସିଧାସଳଖ ବ୍ୟାଙ୍କ୍ ଆକାଉଂଟକୁ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରରେ କୃଷି କ୍ଷେତ୍ର ମଜବୁତ ହୋଇଛି ତଥା ଭାରତ ସରକାରଙ୍କ କୃଷି ନୀତି ଦେଶର କୃଷକଙ୍କୁ ଆତ୍ମନିର୍ଭର ସହ ସଶକ୍ତ କରିଛି । କୃଷି ପ୍ରଧାନ ଅଂଚଳ ଓଡିଶା ରାଜ୍ୟର କୃଷିମାନେ ମଧ୍ୟ ମୋଦି ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନାର ଲାଭାର୍ଥୀ ହୋଇଛନ୍ତି । ମୋଦି ସରକାରଙ୍କ ଦ୍ୱାରା କୃଷି କ୍ଷେତ୍ରରେ ଅଣାଯାଇଥିବା ନୂତନ ସଂସ୍କାର କାରଣରୁ ପ୍ରଥମ ଥର କର୍ପୋରେଟ୍ ଫାଇନାନ୍ସ କୃଷି କ୍ଷେତ୍ରରେ ମଧ୍ୟ ଲାଗିବ । ଫଳରେ ରାଜ୍ୟରେ କୃଷି ଉତ୍ପାଦନ ବଢିବ । ଏହାର ସିଧାସିଧା ଲାଭ ଓଡିଶାର ସାଧାରଣ ଘରର ଚାଷୀମାନଙ୍କୁ ମିଳିବ ।

କୃଷି କ୍ଷେତ୍ର ଆତ୍ମଭାରତ ଯୋଜନାର ଅଂଶ ବିଶେଷ । ପ୍ରଧାନମନ୍ତ୍ରୀଙ୍କ ବ୍ୟବସ୍ଥା କାରଣରୁ ଆଗାମୀ ଦିନରେ ସ୍ଥାନୀୟ ଅଂଚଳର କୃଷିଜାତ ସାମଗ୍ରୀ ଯଥା କନ୍ଧମାଳର ହଳଦୀ, କୁଚିଣ୍ଡାର ଲଙ୍କା, ନିମାପଡାର ଦୁଗ୍ଧଜାତ ସାମଗ୍ରୀ ଆନ୍ତର୍ଜାତିକ ବଜାରରେ ବିକ୍ରି ହେବ । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଅନେକ କଲ୍ୟାଣକାରୀ ଯୋଜନାର ଲାଭ କୃଷି ଆଧାରିତ ଓ ଜଙ୍ଗଲ ଆଧାରିତ ଅର୍ଥନୀତିକୁ ସୁଦୃଢ କରିବ ।

ଅପରପକ୍ଷରେ ବର୍ତମାନର ପରିସ୍ଥିତିକୁ ଦେଖି ପ୍ରବାସୀ ଶ୍ରମିକଙ୍କୁ କାମ ଦେବା ପାଇଁ ପ୍ରଧାନମନ୍ତ୍ରୀ ୫୦ ହଜାର କୋଟି ଟଙ୍କାର ବ୍ୟୟବରାଦରେ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ମାଧ୍ୟମରେ ଦେଶର ୧୧୬ ଗ୍ରାମୀଣ ଜିଲ୍ଲାରେ ପ୍ରବାସୀ ଶ୍ରମିକମାନେ ୨୫ଟି ଭିନ୍ନଭିନ୍ନ କାର୍ଯ୍ୟକ୍ରମରେ କାମ ପାଇପାରିବେ । ଏହି ଅଭିଯାନ ମାଧ୍ୟମରେ ଓଡିଶାର ଅଧିକ ରହୁଥିବା ପ୍ରବାସୀ ୪ଟି ଜିଲ୍ଲା ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, ବଲାଙ୍ଗିରର ଶ୍ରମିକମାନେ ଲାଭ ପାଇପାରିବେ । ଏହି ଅବସରରେ କୃଷକ ମୋର୍ଚ୍ଚାର ସଦସ୍ୟ ମାନଙ୍କୁ ରାଜ୍ୟର ଚାଷୀ ମାନଙ୍କ ସମସ୍ୟା ଦିଲ୍ଲୀ ଦରବାରରେ ପହଁଚାଇବା ଏବଂ ପ୍ରଧାନମନ୍ତ୍ରୀଙ୍କ କୃଷକ କଲ୍ୟାଣକାରୀ ଯୋଜନାକୁ ଚାଷୀ ମାନଙ୍କ ପାଖରେ ପହଁଚାଇବା ପାଇଁ ଆହ୍ୱାନ କରିଥିଲେ ।

ସେହିପରି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ଶ୍ରୀ ବୀରେନ୍ଦ୍ର ସିଂ ମୋଦିଙ୍କ ଅମଳରେ କୃଷିର ବିକାଶ ହୋଇଛି କହିଥିବା ବେଳେ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରଧାନମନ୍ତ୍ରୀ ଗରିବ କୃଷକ ମାନଙ୍କୁ ସବୁ ମୌଳିକ ବ୍ୟବସ୍ଥା ଯୋଗାଇଛନ୍ତି ବୋଲି କହିଛନ୍ତି । ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ମହେଶ୍ୱର ସାହୁ, କୃଷକ ମୋର୍ଚ୍ଚାର ନବ ନିଯୁକ୍ତ ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ପୂର୍ବତନ ମୋର୍ଚ୍ଚା ସଭାପତି ଶିବାଜୀ ମହାନ୍ତି, ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ ଓ ସମୀର ପାତ୍ର ପ୍ରମୁଖ ଯୋଗଦେବା ସହ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସହସ୍ର କାର୍ଯ୍ୟକର୍ତା ଅଂଶଗ୍ରହଣ କରିଥିଲେ ।