ପଂଚାୟତ ସ୍ତରରେ କ୍ୱାରେଂଟାଇନ ବ୍ୟବସ୍ଥାକୁ ସୁବନ୍ଦୋବସ୍ତ କରାଗଲେ କରୋନା ବିରୁଦ୍ଧ ଯୁଦ୍ଧରେ ଆମର ବଡ ସଫଳତା ହେବ : ସମୀର ମହାନ୍ତି

ଭୁବନେଶ୍ୱର: ବୈଶ୍ୱିକ କରୋନା ମହାମାରୀ ସମୟରେ ଆମ ରାଜ୍ୟ ଓଡିଶାକୁ ସୁରକ୍ଷିତ ରଖିବା ପାଇଁ ସବୁ ସ୍ତରରେ କାମ କରିବାର ଉଦ୍ୟମ ଜାରୀ ରହିଛି । ଆମର ପ୍ରବାସୀ ଭାଇ ଓ ଭଉଣୀମାନେ ଆମ ରାଜ୍ୟକୁ ପହଂଚିବାର ଆରମ୍ଭ ହୋଇସାରିଛି ଏବଂ ଏହା ହିଁ ଆମ ସମସ୍ତଙ୍କ ପାଇଁ ସବୁଠୁ ବଡ ଆହ୍ୱାନ । ପଂଚାୟତ ସ୍ତରରେ ସେମାନଙ୍କ କ୍ୱାରେଂଟାଇନ ବ୍ୟବସ୍ଥାକୁ ସୁବନ୍ଦୋବସ୍ତ କରାଗଲେ କରୋନା ବିରୁଦ୍ଧ ଯୁଦ୍ଧରେ ଆମର ବଡ ସଫଳତା ହେବ ବୋଲି ରାଜ୍ୟ ସବାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ରାଜ୍ୟର ସମସ୍ତ ୬୭୯୮ ପଂଚାୟତର ନିର୍ବାଚିତ ସରପଂଚ, ସମିତି ସଭ୍ୟ, ୱାର୍ଡ ମେମ୍ବରଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ, ଜିଲ୍ଲା ପରିଷଦ ସଭାପତି, ବ୍ଲକ ଚେୟାରମେନ ଭାଇଭଉଣୀମାନଙ୍କୁ ନିଜ ମୁଣ୍ଡ ଉପରେ ଦାୟୀତ୍ୱ ନେଇ ସୁଚାରୁ ରୂପେ କାମ କରିବାକୁ ପଡିବ । ସେମାନଙ୍କ ସୁପରିଚାଳନା ଓ ବାହାରୁ ଆସୁଥିବା ପ୍ରବାସୀ ଓଡିଆ ଭାଇଭଉଣୀଙ୍କ ଯତ୍ନ ହିଁ ସମୟର ଆବଶ୍ୟକତା ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଗତ ପଂଚାୟତ ନିର୍ବାଚନରେ ଓଡିଶାବାସୀ ଆମ ଉପରେ ଅତୁଟ ବିଶ୍ୱାସ ରଖି ବିଜେପିକୁ ଅଦ୍ଭୁତପୂର୍ବ ଜନସମର୍ଥନ ଦେଇଥିଲେ । ଏହି ବିଶ୍ୱାସକୁ ନିଷ୍ଠାର ସହ ପାଳନ କରି ଆମର ଉତରଦାୟୀତ୍ୱ ପାଳନ କରିବାର ସମୟ ଆସିଛି । ଏହି ଅବସରରେ ଭାରତୀୟ ଜନତା ପାର୍ଟିର ସମସ୍ତ ନିର୍ବାଚିତ ୱାର୍ଡ ମେମ୍ବରରୁ ଆରମ୍ଭ କରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ସଠିକ୍ ଭାବେ ଦାୟୀତ୍ୱ ସଂପାଦନା କରିବା ପାଇଁ ଶ୍ରୀ ମହାନ୍ତି ବିଶେଷ ଅନୁରୋଧ କରିଛନ୍ତି ।

ସମୟର ଆହ୍ୱାନକୁ ସ୍ୱୀକାର କରି ଓଡିଶା ପ୍ରତ୍ୟାବର୍ତନ କରୁଥିବା ଭାଇଭଉଣୀମାନଙ୍କୁ ନିଜ ପରିବାରର ସଦସ୍ୟ ଭାବେ ଗ୍ରହଣ କରି ତାଙ୍କର ଯତ୍ନ ନେବା । ଯଦି ଆଗାମୀ କିଛି ସପ୍ତାହ ଧରି ନିର୍ବାଚିତ ପଂଚାୟତ ପ୍ରତିନିଧିମାନେ ସବୁ ସମୟ, ଶ୍ରଦ୍ଧା ଓ ସ୍ନେହ ସହ କଠିନ ପରିଶ୍ରମ କରିଲେ ଓଡିଆ ଏବଂ ଓଡିଆ ଜାତିକୁ ମହାମାରୀ କରୋନା କବଳରୁ ରକ୍ଷା କରାଯାଇପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏହା ସହ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ସମସ୍ତ ନିୟମ କାନୁନକୁ ପାଳନ କରି ଟେଂପରାରୀ ମେଡିକାଲ ସେଂଟର (ଟିଏମସି)ରେ ସ୍ୱେଚ୍ଛାକୃତ ଭାବେ କାର୍ଯ୍ୟ କରିବା ପାଇଁ ସମସ୍ତଙ୍କୁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି ।