ସାଧାରଣ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେବ ମତ୍ସ୍ୟ ଜାତୀୟ ଦ୍ରବ୍ୟ: ବିଜେପି
ଲକଡାଉନ ସମୟରେ ମତ୍ସ୍ୟ ଚାଷୀଙ୍କୁ ମାଛ ଧରିବା ଏବଂ ବିକ୍ରି କରିବା ପାଇଁ ଗୃହ ବିଭାଗର ଅନୁମତି ପ୍ରସଙ୍ଗ
ଭୁବନେଶ୍ୱର: କରୋନା ମହାମାରୀ ବିରୁଦ୍ଧରେ ଲଢେଇ କରିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟସରକାରଙ୍କ ସମେତ ଦେଶର ସମସ୍ତ ଜନତା ଏକାଠି ହୋଇଛନ୍ତି । ଲୋକମାନଙ୍କର ଅଭାବ ପୂରଣ କରିବା ପାଇଁ ମୋଦି ସରକାର ସବୁ ସମୟରେ ଚେଷ୍ଟିତ ଅଛନ୍ତି । ଏହି ଅବସରରେ ଆଜି ମତ୍ସ୍ୟପାଳନକୁ ଲକ ଡାଉନରୁ ବାଦ ଦିଆଯାଇଛି । ଲକ ଡାଉନ ସମୟରେ ମତ୍ସ୍ୟ ଚାଷୀମାନେ ସମୁଦ୍ରକୁ ମାଛ ଧରିବାକୁ ଯାଇପାରିବେ ଏବଂ ମତ୍ସ୍ୟ ବ୍ୟବସାୟୀମାନେ ବିନା କୌଣସି କଟକଣାରେ ବଜାରରେ ମାଛ ବିକ୍ରି କରିପାରିବେ । କେନ୍ଦ୍ର ଗୃହ ମନ୍ତ୍ରାଣଳୟର ସଂଶୋଧିତ ଗାଇଡ ଲାଇନ ଅନୁଯାୟୀ ମତ୍ସ୍ୟଜୀବୀମାନଙ୍କ ପାଇଁ ଏଭଳି ନିଷ୍ପତି ନିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ମତ୍ସ୍ୟ, ପଶୁ ସଂପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଗିରିରାଜ ସିଂହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଅର୍ପଣ କରିଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, କେନ୍ଦ୍ର ସରକାର ମାଛ ଚାଷ, ମାଛ ଅମଳ, ଚିଙ୍ଗୁଡି ଚାଷ, ମାଛ ଫ୍ୟାକ୍ଟିର ପରିଚାଳନା କାର୍ଯ୍ୟକୁ ଲକ ଡାଉନ କଟକଣାରୁ ବାଦ ଦେଇଛନ୍ତି । ଏହା ଦ୍ୱାରା ରାଜ୍ୟର ଅନେକ ମତ୍ସ୍ୟ ଚାଷୀ ଏବଂ ବ୍ୟବସାୟୀମାନେ ଉପକୃତ ହେବେ । ସମୁଦ୍ରକୁ ଯାଉଥିବା ହଜାର ହଜାର ମତ୍ସ୍ୟଜୀବୀମାନେ ଏବେ ମାଛ ମାରି ନିଜ ଗୁଜୁରାଣ ମେଂଟାଇ ପାରିବେ । ସାଧାରଣ ଲୋକଙ୍କ ପାଖରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ମତ୍ସ୍ୟ ଜାତୀୟ ଦ୍ରବ୍ୟ ଉପଲବ୍ଧ ହୋଇପାରିବ । ଏହା ସହ ମତ୍ସ୍ୟଜୀବୀ ଏବଂ ମତ୍ସ୍ୟଶିଳ୍ପ ସହ ଜଡିତ ସମସ୍ତ କର୍ମଚାରୀମାନେ ସାମାଜିକ ଦୂରତା ଏବଂ ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ୱ ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ପୂର୍ବରୁ ମୋଦି ସରକାର ଚାଷୀ ଓ ଚାଷ ଜନିତ ସାମଗ୍ରୀକୁ ଲକଡାଉନ କଟକଣାରୁ ବାଦ ଦେଇଥିଲେ । ଏହାଦ୍ୱାରା ରାଜ୍ୟର ଅନେକ ଚାଷୀ ପରିବାର ଉପକୃତ ହୋଇଛନ୍ତି । ମୋଦି ସରକାର ସର୍ବଦା ଚାଷୀ ଓ ଚାଷ ହିତରେ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।