ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ୟେସ୍ ବ୍ୟାଙ୍କ ଫେରାଇଲା ଜଗନ୍ନାଥଙ୍କ ଟଙ୍କା :ବିଜେପି

ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ରାଜ୍ୟ ବିଜେପି

ଭୁବନେଶ୍ୱର: ଶ୍ରୀମନ୍ଦିର ଜମା ଅର୍ଥକୁ ରାଜ୍ୟ ସରକାର ରାଷ୍ଟ୍ରାୟତ ବ୍ୟାଙ୍କରେ ନରଖି ୟେସ୍‌
ବ୍ୟାଙ୍କ ଭଳି ଏକ ଘରୋଇ ବ୍ୟାଙ୍କରେ ରଖିଥିଲେ । ପୂର୍ବରୁ ଶ୍ରୀମନ୍ଦିର ଟଙ୍କାକୁ ରାଷ୍ଟ୍ରାୟତ ବ୍ୟାଙ୍କରେ ରଖାଯାଉଥିଲା । କିନ୍ତୁ ଏବେ କିଛି ସରକାରୀ ଅଧିକାରୀଙ୍କ ଇଙ୍ଗିତରେ ମନ୍ଦିର ଟଙ୍କାକୁ ଘରୋଇ ବ୍ୟାଙ୍କରେ ରଖାଯାଇଥିଲା । ଗତ ବର୍ଷ ଠାରୁ ୟେସ୍ ବ୍ୟାଙ୍କର ସ୍ଥିତି ଭୁଶୁଡିବା ପରେ ବି ରାଜ୍ୟ ସରକାର ଟଙ୍କା ଉଠାଇ ନଥିଲେ କି ଜଗନ୍ନାଥଙ୍କ ଜମା ଅର୍ଥକୁ କିପରି ସୁରକ୍ଷିତ ରହିବ ସେ ନେଇ କୌଣସି ବ୍ୟବସ୍ଥା ଗ୍ରହଣ କରିନଥିଲେ । ଏବେ ୟେସ ବ୍ୟାଙ୍କ ସ୍ଥ ିତି ଖରାପ ହେବା
ଏବଂ ରିଜର୍ଭ ବ୍ୟାଙ୍କ କଟକଣା ଜାରି କରିବା ସତ୍ୱେ ଜଗନ୍ନାଥଙ୍କ ଜମା ଅର୍ଥ ଫେରି ଆସିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଦୃଢ ପ୍ରତିଶୃତି ଦେଇଥିଲେ । ଆଜି ୟେସ ବ୍ୟାଙ୍କରୁ ଜଗନ୍ନାଥଙ୍କର ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ଜଗନ୍ନାଥ ମନ୍ଦିର କର୍ପସ ପାଣ୍ଠିର ଷ୍ଟେଟ ବ୍ୟାଙ୍କ ଆକାଉଂଟକୁ ଆସିଛି । ଏହା କେବଳ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସମ୍ଭବ ହୋଇଛି । ଏହି ପରିପ୍ରେକ୍ଷୀରେ ସାଢେ ୪ କୋଟି ଓଡିଆଙ୍କ ତରଫରୁ ରାଜ୍ୟ ବିଜେପି ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ଜଗନ୍ନାଙ୍କ ଟଙ୍କା ଘରୋଇ ବ୍ୟାଙ୍କରେ କିପରି ରହିଲା ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଦରକାର । ପୂର୍ବରୁ ଶ୍ରୀମନ୍ଦିର ଟଙ୍କା ରାଜ୍ୟ ସରକାର ରାଷ୍ଟ୍ରାୟତ ବ୍ୟାଙ୍କରେ ରଖୁଥିଲେ । ରାଜ୍ୟସରକାରଙ୍କ ଅର୍ଥ ବିଭାଗର ନିର୍ଦ୍ଦେଶନାମା ଏବଂ ମନ୍ଦିର ପରିଚାଳନା ଅଧିନିୟମକୁ ବେଖାତିର କରି କାହିଁକି ଘରୋଇ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ରଖଗଲା? ଏଭଳି ନିୟମକୁ କିଏ ବଦଳାଇଛି ? କେଉଁ ସରକାରୀ ଅଧିକାରୀ ମାନେ ଏଥିରେ ଜଡିତ ଅଛନ୍ତି ? ଶାସକ ଦଳର
କେଉଁ ମନ୍ତ୍ରୀ ଏବଂ କେଉଁ ବରିଷ୍ଠ ବିଧାୟକଙ୍କ ଇଙ୍ଗିତରେ ଜଗନ୍ନାଥଙ୍କ ସ୍ଥାୟୀ ଜମାକୁ ୟେସ୍ ବ୍ୟାଙ୍କରେ ରଖାଯାଇଛି ତାହାକୁ ତଦନ୍ତ ପରିସରଭୃକ୍ତ କରାଯାଉ । ଏହା ସହ ଓଡିଶା ସରକାରଙ୍କ ଓଏମସି , ବିଭିନ୍ନ ସମବାୟ ବ୍ୟାଙ୍କର ଅର୍ଥ ଏବଂ ଅନ୍ୟ ବିଭାଗ ଗୁଡିକର କୋଟି କୋଟି ଅର୍ଥ ୟେସ ବ୍ୟାଙ୍କ ରେ ରଖାଯାଇଛି । କେଉଁ କେଉଁ ଅଫିସର ଏହି ଘରୋଇ ବ୍ୟାଙ୍କରେ ଟଙ୍କା ରଖିବା ଘଟଣାରେ ସଂପୃକ୍ତ ଅଛନ୍ତି, ସେମାନଙ୍କୁ ତଦନ୍ତ ପରିସର ଭୃକ୍ତ କରି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।