ଆରମ୍ଭ ହେଲା ବିଜେପିର ସଙ୍ଗଠନ ପର୍ବର ‘ସଦସ୍ୟତା ସଂଗ୍ରହ ଅଭିଯାନ’

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳିର ଭିମଟାଙ୍ଗିରେ ରାଜ୍ୟ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଛନ୍ତି । ସାରା ରାଜ୍ୟରେ ବିଜେପିର ଏହି ସଦସ୍ୟତା ଅଭିଯାନକୁ ସଠିକ୍ ଭାବରେ କ୍ରିୟାନ୍ୱିତ କରିବା ସହ ବ୍ୟାପକ କରାଯିବ । ରାଜ୍ୟରେ ନୂତନ ସଦସ୍ୟତା କରାଯାଇ ବିଜେପିର ସଭ୍ୟ ସଂଖ୍ୟାକୁ ୫୦ ଲକ୍ଷରେ ପହଂଚାଯିବାର ଲକ୍ଷ୍ୟ ରଖାଯାଇଛି । ଦେଶର ପୁନଃ ନିର୍ମାଣରେ ସହଭାଗିତା ହେବା ସହ ଏକ ନୂଆ ଭାରତ ଏବଂ ନୂତନ ଓଡିଶା ଗଠନ କରିବା ଏହି ସଦସ୍ୟତା ଅଭିଯାନର ଏକ ବଡ ଭୁମିକା ରହିବ । ଏହାକୁ ରାଜ୍ୟର ସମସ୍ତ ୩୬ ହଜାର ବୁଥରେ ବ୍ୟାପକ କରାଯିବା ସହ ଓଡିଆ ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ହାତମୁଠାକୁ ଆଗାମି ଦିନରେ ଆହୁରି ଟାଣ କରିବେ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଜି ବିଜେପିର ବିଚାରଧାରର ପ୍ରବାଦ ପୁରୁଷ ଶ୍ୟାମା ପ୍ରସାଦ ମୁଖାର୍ଜିଙ୍କ ଜନ୍ମତିଥୀରେ ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଦେଶରେ ୧୧ କୋଟି ଓ ରାଜ୍ୟରେ ୩୬ ଲକ୍ଷ ବିଜେପି ସଦସ୍ୟତା ଗ୍ରହଣ କରିଛନ୍ତି । ଆଜିଠୁ ଏହାକୁ ବ୍ୟାପକ କରାଯିବ । ପ୍ରତିବୁଥରେ ସଦସ୍ୟତା ଗ୍ରହଣ କରାଯିବା ସହ ବୃକ୍ଷରୋପଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ବିଜେପିରେ ପ୍ରତି ୩ ବର୍ଷରେ ଥରେ ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ ହୋଇଥାଏ । ଚଳିତ ବର୍ଷ ଉଭୟ ଅନଲାଇନ ଏବଂ ଅଫ ଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯିବ । ଏଥି ସହ ନିଜ ମୋବାଇଲ ନମ୍ବର ‘୮୯୮୦୮-୦୮୦୮୦’ ନମ୍ବରରେ ମିସ୍ କଲ୍ଦେ ଇ ସଦସ୍ୟତା ଗ୍ରହଣ କରିପାରିବେ । ନରେନ୍ଦ୍ର ମୋଦି ଆପକୁ ଯାଇ ମଧ୍ୟ ସାଧାରଣ ଲୋକ ସଦସ୍ୟତା ନେଇ ପାରିବେ । ଟୁଇଟର ଏବଂ ୱେବସାଇଟ ମାଧ୍ୟମରେ ସଦସ୍ୟତା ଗ୍ରହଣ କରିହେବ । ଯେଉଁଠାରେ ମୋବାଇଲ ସେବା ଉପଲବ୍ଧ ନାହିଁ ସେଠାରେ ବ୍ୟକ୍ତିଗତ ଭାବରେ ସଦସ୍ୟତା ଫର୍ମ ପୂରଣ କରି ସଦସ୍ୟତା ଗ୍ରହଣ କରାଯାଇପାରିବ । ଗୋଟିଏ ମୋବାଇଲ ନମ୍ବରରୁ ସର୍ବାଧିକ ୪ ଜଣ ସଦସ୍ୟତା ନେଇପାରିବେ । ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ କରିବା ଏବଂ ନୂତନ ସଦସ୍ୟ ସଂଗ୍ରହ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ରାଜ୍ୟରେ ଜାତି, ବର୍ଣ୍ଣ, ଅନୁସୂଚିତ ଜାତି/ଜନଜାତି, ମହିଳା,ଯୁବକ, ଛାତ୍ର, ଗରିବ, ମଧ୍ୟମ ବର୍ଗ ମଧ୍ୟରେ ସଦସ୍ୟତା ଅଭିଯାନକୁ ତୀବ୍ର କରାଯିବ । ସେହିପରି ପ୍ରଥମ ଥର ମତଦାତା ହୋଇଥିବା ବା ହେବାକୁ ଯାଉଥିବା ଯୁବକ ଓ ଯୁବତୀମାନଙ୍କୁ ଯୋଗାଯୋଗ କରି ସେମାନଙ୍କୁ ଦଳର ସଦସ୍ୟ ଭାବେ ସାମିଲ କରାଯିବ । ସରକାରୀ ଯୋଜନାର ଲାଭାର୍ଥୀ, ସ୍କୁଲ, କଲେଜ, ଛାତ୍ରାବାସ, ସହିଦଙ୍କ ପରିବାର ଏବଂ ବସ୍ତିରେ ବାସ କରୁଥିବା ବ୍ୟକ୍ତି ବିଶେଷମାନଙ୍କୁ ସଦସ୍ୟ କରିବା ପାଇଁ ପ୍ରାଥମିକତା ଦିଆଯିବ । ସଦସ୍ୟତା ଅଭିଯାନକୁ ମଲ୍, ହାଟ ବଜାର, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ ତଥା ଅନ୍ୟାନ୍ୟ ଜନ ଏକତ୍ରିକରଣ ସ୍ଥାନରେ କରାଯିବା ସହ ଛୋଟ ସଭା, ଡ୍ରାମା ଏବଂ ଛତା ଲଗାଇ ସାଧାରଣ ଜନତାଙ୍କୁ ମିସ୍ କଲ୍ ଦେବାପାଇଁ କୁହାଯିବ । ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ନେତୃତ୍ୱରେ ଆଗାମୀ ଦିନରେ ରାଜ୍ୟରେ ବିଜେପି ସରକାର ଗଠନ କରାଯିବ ।

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୧୬୪୯ ବୁଥରେ ସଦସ୍ୟତା ଅଭିଯାନକୁ ଆଗକୁ ନେବାସହ ସମସ୍ତ ବର୍ଗର ଲୋକମାନଙ୍କୁ ବିଜେପି ସହ ଯୋଡାଯିବ । ଗୋଟିଏ ଟିମ୍ ଗୋଟିଏ ଲକ୍ଷ୍ୟ ରଖି ସଦସ୍ୟତା ଅଭିଯାନକୁ ସଫଳ କରାଇବାର ସଂକଳ୍ପ ନିଆଯାଇଛି । ନିଜ ନିଜ ଅଂଚଳର ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବାଦ ନେଇ ସଦସ୍ୟତା ଅଭିଯାନକୁ ଆଗକୁ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଲୋକସଭା ସାସଂଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ । ଏହି ସଦସ୍ୟତା ସଂଗ୍ରହ ଅଭିଯାନର ଶୁଭାରମ୍ଭ ଅବସରରେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବିଧାୟକ ଦଳର ପୂର୍ବତନ ନେତା କନକ ବର୍ଦ୍ଧନ ସିଂହଦେଓ , ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ବରିଷ୍ଠ ନେତା ଦାମୋଦର ରାଉତ, ପୂର୍ବତନ ସାସଂଦ ଖାରବେଳ ସ୍ୱାଇଁ, ପ୍ରକାଶ ମିଶ୍ର, ସଦସ୍ୟତା ଅଭିଯାନ ରାଜ୍ୟ ପ୍ରଭାରୀ ଅନନ୍ତ ନାୟକ, ସହ ପ୍ରଭାରୀ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ବିଧାୟକ ଲଲିତେନ୍ଦୁ ମହାପାତ୍ର, ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର, ପୂର୍ବତନ ବିଧାୟକ ରମା ରଂଜନ ବଳିଆରସିଂହ, ମୁଖପାତ୍ର ଗୋଲକ ମହାପାତ୍ର, ମୁଖପାତ୍ର ତଥା ଜିଲ୍ଲା ସଦସ୍ୟତା ପ୍ରଭାରୀ ଦିଲ୍ଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ, ବାବୁ ସିଂ, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆଙ୍କ ସମେତ ବହୁ ରାଜ୍ୟସ୍ତରୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।