‘ଝିଅ ନୁହେଁ ତୁ କରୋନା ଭାଇରସ’ ଗୀତ ସମଗ୍ର ନାରୀ ଜାତିକୁ ଅପମାନିତ କରିଛି : ବିଜେପି ସାଂସ୍କୃତିକ ପ୍ରକୋଷ୍ଠ

ଭୁବନେଶ୍ୱର: କରୋନାକୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରାଯାଇଛି । ସାରା ବିଶ୍ୱରେ ଏହି ଭାଇରାସ ବ୍ୟାପିବାରେ ଲାଗିଛି । ୭ ହଜାରରୁ ଅଧିକ ଲୋକ କରୋନା ଭାଇରସ ଆକ୍ରାନ୍ତରେ ମୃତ୍ୟୁ ହେଲାଣି । କରୋନା କୁ କେନ୍ଦ୍ର ସରକାର ରାଷ୍ଟ୍ରୀୟ ବିପର୍ଯ୍ୟୟ ଏବଂ ରାଜ୍ୟସରକାର ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି । କରୋନା ଦ୍ୱାରା ଜୀବନ ପ୍ରତି ବିପଦ ଥିବାରୁ ପ୍ରତିଦିନ ବିଭିନ୍ନ ସର୍ତକତା ମୂଳକ ପଦକ୍ଷେପ ନିଆଯାଉଛି । ଏଭଳି ସ୍ଥିତିରେ ଲୋକ ଆତଙ୍କିତ ଅବସ୍ଥାରେ ଥିବାବେଳେ ଏକ ମ୍ୟୁଜିକ ଭିଡିଓ କଂପାନୀ କରୋନା ଭାଇରସକୁ ଝିଅ ସହ ତୁଳନା କରି ଗୀତ ପ୍ରସ୍ତୁତ କରି ଏହାକୁ ମନୋରଂଜନ ଭାବେ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଘଟଣା । ଏଭଳି ଗୀତ ସମଗ୍ର ନାରୀ ଜାତିକୁ ଅପମାନିତ କରିଛି ବୋଲି ରାଜ୍ୟ ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରୀମତୀ ପିଙ୍କି ପ୍ରଧାନ ଅଭିଯୋଗ କରିଛନ୍ତି ।

ଏବେ ସାରା ଦେଶ ଏବଂ ରାଜ୍ୟରେ କରୋନାକୁ ନେଇ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଲୋକମାନଙ୍କୁ ସଚେତନ କରାଯାଉଛି । ସ୍ୱଚ୍ଛ ରହିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏଭଳି ଏକ ସମ୍ବେଦନଶୀଳ ସମୟରେ ଗୀତ ମାଧ୍ୟମରେ କରୋନା ସଂର୍ପକରେ ଲୋକମାନଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି । ହେଲେ ତାହା ନକରି କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମନୋରଂଜନ ନାଁରେ ଓଡିଶାର ନାରୀମାନଙ୍କୁ ଅସମ୍ମାନିତ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି । କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଶାସକ ବିଜେଡି ଦଳର ଜଣେ ସଦସ୍ୟ ଅଟନ୍ତି । ବିଜେଡି ନାରୀଙ୍କୁ ସମ୍ମାନ ଦେବା ର କଥା କହୁଥିବାବେଳେ ତାଙ୍କ ସଦସ୍ୟ ନାରୀଙ୍କୁ ଅପମାନିତ କରିଚାଲିଛନ୍ତି । ଏଭଳି ସ୍ଥିତିରେ ବିଜେଡି କଣ ପାଇଁ ଚୁପ୍ ରହିଛି ? କାହିଁକି ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ? ପୂରା ଓଡିଶାବାସୀଙ୍କୁ କରୋନା ସଂପର୍କରେ ସଚେତନ କରାଉଥିବା ଶାସକ ବିଜେଡି ପ୍ରଥମେ ତାଙ୍କ ସଦସ୍ୟମାନଙ୍କୁ ସଚେତନ କରାନ୍ତୁ ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି ।

ପୂର୍ବରୁ ହ୍ୟୁମାନ ସାଗର ଗୋପାଳପୁର ବେଳାଭୂମି ମହୋତ୍ସବ ଏବଂ ରଣପୂର ମହୋତ୍ସବ ଠାରେ ସରକାରୀ କାର୍ଯ୍ୟକ୍ରମରେ ବିଜେଡିର ଦଳୀୟ ଗାତ ଗାଇଥିଲେ । ସରକାରୀ ଅର୍ଥରେ ହେଉଥିବା ମହୋତ୍ସବ ମାନଙ୍କରେ ଦଳୀୟ ଗୀତ ଗାଇ ସେ ବିଜେଡି ପାଇଁ ପ୍ରଚାର କରୁଥିଲେ । ସେଥିପାଇଁ ବୋଧେ ବିଜେଡି ଆଜି ଚୁପ୍ ରହିଛି । ହ୍ୟୁମାନ ସାଗର ଏବଂ ତାଙ୍କ ଟିମ୍ ନାରୀମାନଙ୍କୁ ଏକ ବିପତି ସହ ତୁଳନା କରି ସେମାନଙ୍କୁ ଅପମାନିତ କରିଛନ୍ତି । ସେ କାହିଁକି ଏପରି କରିଛନ୍ତି ସେ ସ୍ପଷ୍ଟ କରିବା ଦରକାର । ଏହା ସହ ସେ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ଶ୍ରୀମତୀ ପ୍ରଧାନ ଦାବି କରିଛନ୍ତି ।

‘ଝିଅ ନୁହେଁ ତୁ କରୋନା ଭାଇରସ’ ଗୀତକୁ ପ୍ରସ୍ତୁତ କରିଥିବା ପ୍ରଯୋଜନ ସଂସ୍ଥା, ସଂଗୀତ ନିର୍ଦ୍ଦେଶକ, ଗୀତିକାରଙ୍କ ବିରୁଦ୍ଧରେ ରାଜ୍ୟସରକାର ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଗୀତକୁ ବ୍ୟାନ କରନ୍ତୁ । ସୋସିଆଲ ମିଡିଆରେ କରୋନା ସମ୍ବନ୍ଧରେ ଅପପ୍ରଚାର କରୁଥିବା ଅଭିଯୁକ୍ତମାନଙ୍କୁ ଯଦି ପୋଲିସ ଗିରଫ କରୁଛି ତେବେ ଏଭଳି ଏକ ଅଶ୍ଳିଳ ଗୀତ କରିଥିବା ପ୍ରଯୋଜନା ସଂସ୍ଥାର ମାଲିକଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଶ୍ରୀମତୀ ପ୍ରଧାନ ଦାବି କରିଛନ୍ତି । ଏହି ଅବସରରେ ପ୍ରକୋଷ୍ଠର ସହ ସଂଯୋଜର ସଂଜୀବ କୁମାର ମିଶ୍ର ଉପସ୍ଥିତ ଥିଲେ ।