କୁକୁଡା ଚାଷୀଙ୍କୁ ସୁରକ୍ଷା ଦିଅ: ବିଜେପି

କୁକୁଡା ଖାଇଲେ କରୋନା ହେବା ଗୁଜବ ଯୋଗୁଁ କୁକୁଡା ଚାଷୀଙ୍କର କୋଟି କୋଟି ଟଙ୍କା କ୍ଷତି ହେବା ପ୍ରସଙ୍ଗରେ

ଭୁବନେଶ୍ୱର: କୁକୁଡା ମାଂସ ଖାଇଲେ କରୋନା ହେବ ଏକଥା ମିଛ ପ୍ରମାଣିତ ହୋଇ ସାରିଛି ଏବଂ ଏହାର କୌଣସି ବୈଜ୍ଞାନିକ ସତ୍ୟତା ନାହିଁ । ହେଲେ ଗୁଜବ ହେଉଛି ଯେ, କୁକୁଡା ମାଂସ ଖାଇଲେ କରୋନା ବ୍ୟାପିବ । ସେହି କାରଣରୁ ଏବେ କେହି କୁକୁଡା ମାଂସ ଖାଉ ନଥିବାରୁ କୁକୁଡା ଚାଷ କରୁଥିବା ଚାଷୀମାନେ ଦୁର୍ଦ୍ଦଶାରେ ଅଛନ୍ତି । ଏହି ଗୁଜବ ପ୍ରଚାର ହେବା ପରେ ସରକାର ଏହାକୁ ମିଥ୍ୟା ବୋଲି ଯେପରି ମାତ୍ରାରେ କହିବା କଥା କହିଲେ ନାହିଁ । ଯାହା ଫଳରେ ଏହି ଗୁଜବ ବଢିବଢି ଚାଲିଲା, ଯାହାର ସିଧାସଳଖ ମାଡ କୁକୁଡା ଚାଷୀଙ୍କ ଉପରେ ପଡିଲା । ଚାଷୀମାନେ ସେମାନଙ୍କ କୁକୁଡା ବିକ୍ରି କରିପାରୁ ନାହାଁନ୍ତି । କୁକୁଡା ପିଛା ଖର୍ଚ୍ଚ କରୁଥିବା ଦାନା ଖର୍ଚ୍ଚ ବି ଉଠୁନାହିଁ । ସରକାର ତୁରନ୍ତ ବଜାରରେ କିପରି କୁକୁଡା ମାଂସ ପୁନର୍ବାର ବିକ୍ରି ହେବ ତାହା ଉପରେ ପଦକ୍ଷେପ ନେବା ସହ ଚାଷୀମାନଙ୍କୁ କୁକୁଡା ବିକ୍ରି ନହେଲା ପର୍ଯ୍ୟନ୍ତ ମାଗଣାରେ ଦାନା ଯୋଗାଇବାର ବ୍ୟବସ୍ଥା କରନ୍ତୁ । ନହେଲେ ରାଜ୍ୟରେ ଯେଉଁମାନେ କୁକୁଡା ଚାଷ କରି ନିଜ ପରିବାର ପୋଷୁଛନ୍ତି ସେମାନେ ଦେବାଳିଆ ହେବା ସହିତ ରାଜ୍ୟରେ ଏକ ରୋଜଗାରର ମାଧ୍ୟମ ପାଲଟିଥିବା ଏହା ଚାଷ ବୁଡିଯିବ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।

ଆମେ ଆଗରୁ କୁକୁଡା ମାଂସ ପାଇଁ ପଡୋଶୀ ରାଜ୍ୟ ମାନଙ୍କ ଉପରେ ନିର୍ଭରଶୀଳ ଥିଲେ । ହେଲେ ଏବେ ଆମେ କୁକୁଡା ମାଂସରେ ଆତ୍ମନିର୍ଭରଶୀଳ ହୋଇପାରିଛେ । ଏଥିପାଇଁ ଶ୍ରେୟ ଯାଉଛି ସେହି କୁକୁଡା ଚାଷୀମାନଙ୍କୁ ଯେଉଁମାନେ ନିଜର ପରିଶ୍ରମ ବଳରେ ଓଡିଶାକୁ କୁକୁଡା
ମାଂସରେ ଆତ୍ମନିର୍ଭରଶୀଳ କରିପାରିଛନ୍ତି । ହେଲେ କରୋନା ଗୁଜବ ପ୍ରଭାବରେ ବର୍ତମାନ କୁକୁଡା ଚାଷୀମାନଙ୍କ ସ୍ଥିତି ପୁରା ଦୟନୀୟ ହୋଇପଡିଛି । ବଜାରରୁ କୁକୁଡା ଆଉ କେହି କିଣୁନାହାନ୍ତି । ରାଜ୍ୟ ସରକାର କରୋନା ବିଷୟରେ ନାନା କଥା କହୁଛନ୍ତି ହେଲେ ଏହି ଗୁଜବ ମିଛ ବୋଲି ଥରୁଟିଏ ହେଲେ କହିଲେ ନାହିଁ କି ପର୍ଯ୍ୟାପ୍ତ ଭାବେ ସଚେତନତା ସୃଷ୍ଟି କଲେ ନାହିଁ ବୋଲି ଶ୍ରୀ ବିଶ୍ୱାଳ ଅଭିଯୋଗ କରିଛନ୍ତି ।

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ରାଜ୍ୟରେ ୩୦ ଲକ୍ଷ ଲୋକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ କୁକୁଡା ଚାଷ ଉପରେ ନିର୍ଭରଶୀଳ । ଫନି ପରେ ରାଜ୍ୟରେ ବ୍ୟାପକ ଭାବରେ କୁକୁଡା ଚାଷ କ୍ଷତିଗ୍ରସ୍ତ ହୋଇଥିଲା । ରାଜ୍ୟ ସରକାର ୧ ଲକ୍ଷ ରୁ ୪ ଲକ୍ଷ ଟଙ୍କା କ୍ଷତିପପୂରଣ ଦେବେ ବୋଲି ଘୋଷଣା କରିଥିଲେ । ହେଲେ କାହାକୁ ବି ଆଜି ଯାଏ ସମ୍ପୃର୍ଣ୍ଣ କ୍ଷତିପୂରଣ ମିଳିନାହିଁ । ଯାହାକୁ ବି ମିଳିଛି କେବଳ ମାତ୍ର ୧୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ମିଳିଛି । ବର୍ତମାନ ଫନିଠୁ କରୋନା ବଳିଗଲାଣି । ରାଜ୍ୟ ସରକାର କରୋନାକୁ ବର୍ତମାନ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଥିବାବେଳେ କୁକୁଡା ଚାଷୀଙ୍କ ପାଇଁ କିଛି କ୍ଷତିପୂରଣ ଘୋଷଣା କରିନାହାନ୍ତି କାହିଁକି? କୁକୁଡା ଚାଷୀମାନେ ଏବେ ନିଜକୁ ଅସହାୟ ମନେ କରୁଛନ୍ତି । ରାଜ୍ୟ ସରକାର ବର୍ତମାନ ଯୁଦ୍ଧକାଳିନ ଭିତିରେ କୁକୁଡା ଚାଷୀଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିବା ସହ ଅପପ୍ରଚାର କରାଯାଉଥିବା ଗୁଜବ ବିଷୟରେ ଲୋକମାନଙ୍କୁ ସଚେତନ କରନ୍ତୁ ବୋଲି ଶ୍ରୀ ବିଶ୍ୱାଳ ଦାବି କରିଛନ୍ତି ।

କରୋନା ଗୁଜବ ପାଇଁ ସ୍ଥିତି ଏପରି ହୋଇଛି ଯେ, ଚାଷୀ ଗୋଟିଏ କୁକୁଡା ପିଛା ୮୦ ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏବେ ତାକୁ ବିକ୍ରି କରିନପାରିବା କାରଣରୁ ପୋତିବା ପାଇଁ ବାଧ୍ୟ ହେଉଛି । ଲେୟର ଫାର୍ମିଙ୍ଗ୍ ଏବଂ ହ୍ୟାଚେରୀ ର ସ୍ଥିତି ବି ସମାନ । ଏପରି ସ୍ଥିତିରେ ରାଜ୍ୟସରକାର ଗୁଜବକୁ ପ୍ରତିହତ କରି କୁକୁଡା ଚାଷୀଙ୍କ ମନରେ ବିଶ୍ୱାସ ଆଣିବା ଭଳି କୌଣସି ପଦକ୍ଷେପ ନେଉ ନାହାଁନ୍ତି । ଚାଷୀର ଅର୍ଥନୈତିକ ଓ ମାନସିକ ମନୋବଳକୁ ସୁଧାରିବା ପାଇଁ ରାଜ୍ୟ ସରକାର ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ବ୍ଲକ ସ୍ତରରେ ବ୍ୟବସ୍ଥା କରିବା ସହିତ ସଠିକ କ୍ଷୟକ୍ଷତି ଆକଳନ କରି ଚାଷୀକୁ କ୍ଷତିପପୂରଣ ଦେବାର ବ୍ୟବସ୍ଥା କରନ୍ତୁ । ଯିଏ ଋଣ ନେଇ କୁକୁଡା ଚାଷ କରୁଛନ୍ତି ସେମାନଙ୍କର ଋଣ ଛାଡ କରାଯାଉ । ୨୦୦ କୋଟିର ଯେଉଁ କରୋନା ବିପର୍ଯ୍ୟୟ ଫଣ୍ଡ ବ୍ୟବସ୍ଥା କରାଯାଇଛି ସେଥିରୁ କୁକୁଡା ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ଶ୍ରୀ ବିଶ୍ୱାଳ ଦାବି
କରିଛନ୍ତି ।

ଏହି ଅବସରରେ କୃଷକ ମୋର୍ଚ୍ଚା ରାଜ୍ୟ ଉପ ସଭାପତି ଶ୍ରୀରଂଜନ ମଙ୍ଗରାଜ ଏବଂ ଲକ୍ଷ୍ମୀକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।