ଓଡିଶା ସରକାର ପଛୁଆବର୍ଗଙ୍କୁ କେବେ ଦେବେ ସଂରକ୍ଷଣ ସୁବିଧା?:ବିଜେପି

ଭୁବନେଶ୍ୱର: ମଣ୍ଡଳ କମିଶନଙ୍କ ସୁପାରିଶ ଏବଂ ସୁପ୍ରିମକୋର୍ଟଙ୍କ ଅନୁମୋଦନ ପରେ ପଛୁଆ ବର୍ଗକୁ ସରକାରୀ
ଚାକିରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖା ଏବଂ ପଂଚାୟତ ଓ ମୁନିସିପାଲିଟି ନିର୍ବାଚନରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ରହିଛି । କେନ୍ଦ୍ରସରକାରଙ୍କ ସମେତ ଦେଶର ଅନେକ ରାଜ୍ୟରେ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଉଛି । କିନ୍ତୁ ରାଜ୍ୟସରକାର ଆରକ୍ଷଣ ବ୍ୟବସ୍ଥାତୁ ପଛୁଆ ବର୍ଗଙ୍କ ପାଇଁ ଲାଗୁ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜମନ ବୋଲି ବରିଷ୍ଠ ବିଜେପି ନେତା ଶ୍ରୀ ଐର ଖାରବେଳ ସ୍ୱାଇଁ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ଆରକ୍ଷଣ ୫୦ ପ୍ରତିଶତରୁ ଅଧିକା ରହିବା କଥା ନୁହେଁ । ସ୍ୱାଧୀନତା ପରଠାରୁ ଓଡିଶାରେ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କୁ ତାଙ୍କର ଜନସଂଖ୍ୟା ଅନୁସାରେ ରାଜ୍ୟରେ ୩୮.୭୫ ଭାଗ ଆରକ୍ଷଣ ଦିଆଯାଇଛି । ସମ୍ବିଧାନରେ ନିୟମ ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କୁ ୨୨.୫ ଭାଗ ସଂରକ୍ଷଣ ଦିଆଯିବ । ଆଦିବାସୀମାନଙ୍କୁ ୧୫ ଭାଗ ଏବଂ ଦଳିତ ଆଦିବାସୀମାନଙ୍କୁ ୭.୫ ଭାଗ ସଂରକ୍ଷଣ ଦିଆଯିବ । କିନ୍ତୁ ଓଡିଶାରେ ରାଜ୍ୟସରକାର ସଂଖ୍ୟା ଅଧିକା ଦେଖାଇ ମୂଳରୁ ୩୮.୭୫ ଭାଗ ଆରକ୍ଷଣ ଦେଉଛନ୍ତି ।

ଯେତେବେଳ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ୩୮.୭୫ ଭାଗ ଆରକ୍ଷଣ ଦିଆଯାଉଥିଲା ସେତେବେଳେ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ଆରକ୍ଷଣ ଦେବାର ବ୍ୟବସ୍ଥା ନଥିଲା । ଏହି ଦୁଇଟିଯାକ ଆରକ୍ଷଣକୁ ଯୋଡିଲେ ୬୫ ଭାଗରୁ ଅଧିକା ହେଉଛି । ଏହି ଆଳ ଦେଖାଇ କିଛି ବ୍ୟକ୍ତି ବିଶେଷ ହାଇକୋର୍ଟରେ ମକୋଦ୍ଦମା କଲେ ଏବଂ ହାଇକୋର୍ଟ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ଆରକ୍ଷଣ ଦିଆଯିବ ନାହିଁ ବୋଲି ରାୟ ଶୁଣାଇଲେ । ରାଜ୍ୟରେ ମୋଟ ଆରକ୍ଷଣ ୫୦ ଭାଗ ରହିଛି । କିନ୍ତୁ ଏବେ ୧୧.୨୫ ଭାଗ ଆରକ୍ଷଣ ଦିଆଯାଉଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।

ଓଡିଶାରେ ପାଖାପାଖି ୫୪ ଭାଗ ପଛୁଆ ବର୍ଗ ରହିଛନ୍ତି । ଏହା ସତ୍ୱେ ବି ୨୭ ପ୍ରତିଶତ ଆରକ୍ଷଣ ସେମାନଙ୍କୁ ମିଳୁନାହିଁ । ଯେତେବେଳ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହାକୁ କାଟିଦିଆଗଲା ସେତେଳେ ରାଜ୍ୟସରକାର ସୁପ୍ରିମକୋର୍ଟ ଯାଇ ଏହା ବିରୁଦ୍ଧରେ ଚ୍ୟଲେଂଚ କରିପାରିଥାନ୍ତେ । କିନ୍ତୁ ରାଜ୍ୟସରକାର ତାହା କଲେ ନାହିଁ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।

ଗତ ୩ ଦିନ ତଳେ ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗ ଓଡିଶା ଗସ୍ତରେ ଆସିଥିଲେ । ତାଙ୍କୁ ବିଜେପି ପକ୍ଷରୁ ଏ ସମସ୍ତ ଘଟଣା ଜଣାଇବା ପରେ ସେ ଏହି ପ୍ରସଙ୍ଗ ଉଠାଇବାରୁ ହଠାତ୍ ରାତାରାତି ପଛୁଆ ବର୍ଗ କମିଶନ ଘୋଷଣା କରାଯାଇଛି । ରାଜ୍ୟସରକାର ଏବେ ପଛୁଆ ବର୍ଗ କମିଶନ ଘୋଷଣା କଲେ । ପୂର୍ବ କମିଶନଙ୍କ ମୃତ୍ୟୁ ପରେ ୪ ବର୍ଷ ଧରି ଏହି ପଦବୀ ଖାଲି ଥିଲା । ପଛୁଆବର୍ଗ ଅଧ୍ୟକ୍ଷ ନିଯୁକ୍ତି ନେଇ ପୂର୍ବରୁ ଅନେକ ଥର ଦାବି କରାଯାଇଥିଲେ ମଧ୍ୟ ରାଜ୍ୟସରକାର ଶୁଣିନଥିଲେ । ପଛୁଆ ବର୍ଗଙ୍କୁ ସୁବିଧା କି ଅଧିକାର ଦେବା ପାଇଁ ଏ ସରକାର ଚାହୁଁ ନାହାଁନ୍ତି । ଏ ସରକାର ପଛୁଆ ବର୍ଗ ବିରୋଧୀ । ସମ୍ବିଧାନର ବ୍ୟବସ୍ଥାକୁ ପଛୁଆ ବର୍ଗଙ୍କୁ ଦେବା ପାଇଁ ସରକାର ଚାହୁଁ ନାହାଁନ୍ତି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।