ପୋଷ୍ଟକାର୍ଡ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବେ ବୁଥ କାର୍ଯ୍ୟକର୍ତା: ବିଜେପି
ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି
ଭୁବନେଶ୍ୱର: ନାଗରିକତା ପ୍ରଦାନ କରିବା ପାଇଁ ହୋଇଛି ନାଗରିକତା ସଂଶୋଧନ ଆଇନ । ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି ବୋଲି ଓଡିଶାବାସୀ ବୁଝି ସାରିଛନ୍ତି । ସାରା ଓଡିଶାବାସୀ ଏବେ ଏହି ଆଇନକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ମୋଦି ସରକାରଙ୍କ ଏହା ଏକ ଐତିହାସିକ ନିଷ୍ପତି । ଦେଶର ଏକ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଏଭଳି ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ପୋଷ୍ଟକାର୍ଡ ମାଧ୍ୟମରେ ବିଜେପି କାର୍ଯ୍ୟକର୍ତାମାନେ ଧନ୍ୟବାଦ ଜଣାଇବେ । ରାଜ୍ୟର ୧୦୦୪ ମଣ୍ଡଳର ୩୭୦୦୦ ବୁଥରୁ ସର୍ବନିମ୍ନ ୫୦ଜଣ କାର୍ଯ୍ୟକର୍ତା ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ପୋଷ୍ଟକାର୍ଡ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବେ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ସୂଚନା ଦେଇଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରତ୍ୟେକ ଜିଲ୍ଲାରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ସଚେତନତା ରାଲି ଏବଂ ବିଶାଳ ଜମସମାବେଶ କରାଯାଉଛି । ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ପ୍ରତ୍ୟେକ ସ୍ଥାନରେ ଜନ ଜାଗରଣ କାର୍ଯ୍ୟକ୍ରମ, ଜନସଭା, ସଚେତନତା ସମାବେଶ ଆଦି କରାଯାଉଛି । ଏହା ସହ ବିଜେପି କାର୍ଯ୍ୟକର୍ତାମାନେ ପ୍ରତ୍ୟେକ ସାଙ୍ଗଠନିକ ଜିଲ୍ଲାରେ ବୁଦ୍ଧିଜୀବୀ ସମ୍ମିଳନୀ, ପଦଯାତ୍ରା ସହ ଘରକୁ ଘର ଯାଇ ସିଏଏ ସଂପର୍କିତ ତଥ୍ୟ ପ୍ରଦାନ କରି ସାଧାରଣ ଲୋକଙ୍କୁ ସଚେତନ କରୁଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି । କିନ୍ତୁ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି ।