ମିଛ କହି ପ୍ରତାରିତ କରିବା ବଦଳରେ ବସ୍ତି ବାସିନ୍ଦାଙ୍କୁ ଜାଗା ଦିଅନ୍ତୁ : ବିଜେପି

ରାଜ୍ୟ ସରକାର ୱାର୍ଲ୍ଡ ହାବିଟାଟ୍ ଆୱାର୍ଡ ଜିତିଥିବାର ମିଥ୍ୟା ପ୍ରଚାର ପ୍ରସଙ୍ଗ

ଭୁବନେଶ୍ୱର: ଓଡିଶାର ସରକାରଙ୍କ ‘ଜାଗା ମିଶନ’କୁ ୱାର୍ଲ୍ଡ ହାବିଟାଟ୍ ଆୱାର୍ଡ ମିଳିଥିବା ସରକାର ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ୱୟଂ ଏହି ସୁଚନାକୁ ସାମାଜିକ ଗଣମାଧ୍ୟମ ଟୁଇଟ ଜରିଆରେ କହିଥିବାବେଳେ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କିନ୍ତୁ ଏହି ଆୱାର୍ଡ ପ୍ରଦାନ କରିଥିବା ୱାର୍ଲ୍ଡ ହାବିଟାଟ୍ର ଅଫିସିଆଲର ୱେବସାଇଟ ଅନୁସାରେ କର୍ଣ୍ଣାଟକର ଆଦିବାସୀ ଅଂଚଳରେ କାମ କରୁଥିବା ‘ଆକ୍ସନଏଡ ଇଣ୍ଡିଆ’ ଓ ସ୍ପେନର ଏକ ସଂସ୍ଥା ‘Viviendas para Ias Entidades Socials’ ନାମ ଏକ ସଂସ୍ଥାକୁ ପ୍ରଥମ ପୁରସ୍କାର ମିଳିଥିବାର ଉଲ୍ଲେଖ ହୋଇଛି । ୱାର୍ଲ୍ଡ ହାବିଟାଟ ଆୱାର୍ଡରେ ବିଜେତାମାନଙ୍କୁ ସ୍ୱର୍ଣ୍ଣ ପଦକ ଦିଆଯାଏ । ରାଜ୍ୟସରକାରଙ୍କ ଜାଗା ମିଶନ ପ୍ରକଳ୍ପକୁ ଏହି ପୁରସ୍କାର ପାଇଁ ଫାଇନାଲ ରାଉଣ୍ଡକୁ ମନୋନିତ କରାଯାଇଥିଲା । ଏହି ପ୍ରତିଯୋଗିତାର ଫାଇନାଲିଷ୍ଟମାନଙ୍କୁ ସିଲଭର
ଓ ବ୍ରୋଞ୍ଜ ପଦକ ଦିଆଯାଏ । ପୁରସ୍କାର ପ୍ରଦାନ କରିଥିବା ସଂସ୍ଥା ନିଜର ଅଫିସିଆଲ ୱେବସାଇଟରେ ଏକଥା ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ।

ତେବେ ରାଜ୍ୟ ସରକାରଙ୍କ ସରକାରୀ ବିଜ୍ଞାପନ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ନିଜ ବକ୍ତବ୍ୟରେ ନିଜକୁ ବିଜେତା ବୋଲି କହିବା ଅତ୍ୟନ୍ତ ଭ୍ରମାତ୍ମକ ବୋଲି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ଲେଖାଶ୍ରୀ ଅଭିଯୋଗ କରି କହିଛନ୍ତି ଯେ, ରାଜ୍ୟବାସୀଙ୍କୁ ଭ୍ରମିତ କରି ପୁରଷ୍କାର ପାଇବା ପାଇଁ ରାଜ୍ୟ ସରକାର ଜାଗା ମିଶନର ହିତାଧିକାରୀ ସଂଖ୍ୟା ସମ୍ପର୍କରେ ଭୁଲ ତଥ୍ୟ ଦେବା ଅତ୍ୟନ୍ତ ସାଘାଂତିକ କଥା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ୨୦୧୮ମସିହାରେ ଜାଗା ମିଶନ ଉଦଘାଟନ କଲାବେଳେ ୧୦ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନାରେ ଲାଭ ମିଳିବ ବୋଲି କହିଥିଲେ । ବିଭିନ୍ନ ସମୟରେ ସରକାରୀ ବିଜ୍ଞାପନରେ ଦିଆଯାଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ୧୦ଲକ୍ଷ ଲୋକଙ୍କୁ ଜାଗା ମିଶନରେ ଜମି ମିଳିବାର ଯୋଜନା ରହିଛି । ତେବେ ୱାର୍ଲ୍ଡ ହାବିଟାଟ୍ ଆୱାର୍ଡ ୱେବସାଇଟରେ ଥିବା ତଥ୍ୟ ଅନୁସାରେ ଓଡିଶା ଜାଗା ମିଶନରେ ହିତାଧିକାରୀଙ୍କ ସଂଖ୍ୟା ହେଉଛି ୧୮ଲକ୍ଷ । ଏହାର ଅର୍ଥ ହିତାଧିକାରୀଙ୍କ ସଂଖ୍ୟାକୁ ବଢେଇ ଚଢେଇ ସରକାର ପୁରସ୍କାର ପ୍ରଦାନ କରୁଥିବା
ସଂସ୍ଥାକୁ ଦେଇଛନ୍ତି ।

ଯେଉଁ ୫୧୦୪୧ ପରିବାରଙ୍କୁ ଜମି ଅଧିକାର ସାର୍ଟିଫିକେଟ ((Land Rights Certificates-LRC) ମିଳିଛି ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି, ତାହା ମଧ୍ୟ ମିଛ । ଆଉ ଯେଉଁମାନଙ୍କୁ ମିଳିଛି ବୋଲି ଦାବୀ କରୁଛନ୍ତି, ସେମାନଙ୍କୁ ବର୍ତମାନ ସୁଦ୍ଧା ସ୍ଥାୟୀ ପଟ୍ଟା
ମିଳିନାହିଁ । ଏପରିକି ସରକାର ଦେଇଥିବା ଜମି ଅଧିକାର ସାର୍ଟିଫିକେଟକୁ ନେଇ ହିତାଧିକାରୀ ଘର ତିଆରି ପାଇଁ ପ୍ଲାନ୍ ଆବେଦନ କରିପାରିବେ ନାହିଁ କି ବ୍ୟାଙ୍କରୁ ଗୃହ ଋଣ ନେଇପାରିବେ ନାହିଁ । ଏପରିକି ରେସିଡେନସ୍ ପ୍ରୁଫ୍ ଭାବେ ମଧ୍ୟ ସେହି ସାର୍ଟିଫିକେଟକୁ ବ୍ୟବହାର କରିପାରିବେ ନାହିଁ । ଏହା ସ୍ପଷ୍ଟ କରୁଛି ଜାଗା ମିଶନରେ ଲାଭାର୍ଥୀମାନଙ୍କୁ କୌଣସି ଠୋସ୍ ଲାଭ ମିଳିନାହିଁ । କେବଳ ମିଳିଛି ଖାଲି ଖଣ୍ଡେ କାଗଜ । ଆଉ ଏହି କାଗଜ ଖଣ୍ଡକୁ ଦେଖାଇ ପୁରସ୍କାର ହାତେଇଥିବାର ମିଛ ବାହାବା ରାଜ୍ୟ ସରକାର ନେଉଛନ୍ତି ବୋଲି ଡ.ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।

ଜାଗା ମିଶନ ସଂପର୍କିତ ରାଜ୍ୟ ସରକାରଙ୍କ ୱେବସାଇଟ କାର୍ଯ୍ୟ କରୁନାହିଁ । ଅସଲି ହିତାଧିକାରୀକୁ ଜମି ଯୋଗାଇ ଦେବା ପାଇଁ ପାଖାପାଖି ୧୦୦ଟି ସୋପାନ ରହିଥିବାବେଳେ ରାଜ୍ୟ ସରକାର ତାକୁ ପାଳନ କରିନାହାନ୍ତି । ପ୍ରଥମେ ବସ୍ତି ଚିହ୍ନଟ, ଜିଆଇଏସ ମ୍ୟାପିଙ୍ଗ, ଘର
ଘର ବୁଲି ସର୍ବେକ୍ଷଣ, ଜମି କିସମ ଓ ପରିବର୍ତନ (ଆବଶ୍ୟକ ସ୍ଥଳେ), ଅସଲ ହିତାଧିକାରୀ ଚୟନ ପ୍ରକ୍ରିୟା, ଜମି ବଂଟନ ଆଦି ପରେ ପଟ୍ଟା ପ୍ରଦାନ କରାଯିବାର ନିୟମାବଳୀ ଥିବାବେଳେ ରାଜ୍ୟ ସରକାର ଦଳୀୟ ଆଧାରରେ ନାମକୁ ମାତ୍ର କାଗଜଟି ଧରାଇ ଦେଇ ପଟ୍ଟା ପ୍ରଦାନ କରିଥିବାର ପ୍ରହସନ କରୁଛନ୍ତି ବୋଲି ଡ.ଲେଖାଶ୍ରୀ ଅଭିଯୋଗ କରିଛନ୍ତି । କେବଳ କାଗଜ ଖଣ୍ଡେ ଦେଇ ଭୁଆଁ ବୁଲାଉଥିବା ପ୍ରଚାରସର୍ବସ୍ୱ ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କୁ କେବେ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରିବେ ବୋଲି ପ୍ରଶ୍ନ କରିବା ସହ ମିଛ କହି ରାଜ୍ୟବାସୀଙ୍କୁ ପ୍ରତାରଣା ନକରିବାକୁ ଡ.ଲେଖାଶ୍ରୀ ଦାବି କରିଛନ୍ତି ।

ଏହି ସାମ୍ବାଦିକ ସମ୍ମଳନୀରେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଣଜିତ୍ ଦାଶ ଏବଂ ରାଜ୍ୟ ପ୍ରବକ୍ତା ଉର୍ମିଳା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।