ଡିସେମ୍ବର ୧୪,୧୫ ଏବଂ ୧୬ ତାରିଖରେ ବିଜେପି ଜିଲ୍ଲା ସଭାପତି ନିର୍ବାଚନ

ବିଜେପି ସଙ୍ଗଠନ ପର୍ବ -୨୦୧୯

ଭୁବନେଶ୍ୱର: ଗତ ଜୁଲାଇ ୬ ତାରିଖରୁ ଆରମ୍ଭ ହୋଇଥିବା ସଙ୍ଗଠନ ପର୍ବ -୨୦୧୯ ଡିସେମ୍ବର ମାସରେ ସମାପ୍ତି ହେବ । ଏଯାବତ ରାଜ୍ୟରେ ୩୭ହଜାର ବୁଥରୁ ୨୪ ହଜାର ୫ଶହ ୩୫ ବୁଥ କମିଟି ଗଠନ ହୋଇସାରିଛି । ସେହିପରି ୧୦୦୪ ମଣ୍ଡଳରୁ ୯୦୦ରୁ ଉଦ୍ଧ୍ୱର୍ ମଣ୍ଡଳରେ ନିର୍ବାଚନ ଶେଷ ହୋଇଛି । ଦଳୀୟ ସମ୍ବିଧାନ ଅନୁସାରେ ମଣ୍ଡଳ ନିର୍ବାଚନ ପରେ ଜିଲ୍ଲା ନିର୍ବାଚନ ପକ୍ରିୟା ଆରମ୍ଭ ହୁଏ । ସେଥିଲାଗି ଆଗାମୀ ୧୪,୧୫ ଏବଂ ୧୬ ତାରିଖରେ ବିଜେପିର ୩୬ଟି ସାଙ୍ଗଠନିକ ଜିଲ୍ଲାରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ରାଜ୍ୟ ମୁଖପାତ୍ର ଓ ରାଜ୍ୟ ସହ ନିର୍ବାଚନ ଅଧିକାରୀ ଶ୍ରୀ ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି ।

ଶ୍ରୀ ରାୟ କହିଛନ୍ତି ଯେ, ବିଜେପି ହେଉଛି ଭାରତର ସବୁଠାରୁ ବଡ ରାଜନୈତିକ ଦଳ ଏବଂ ଦଳର ଗଣତାନ୍ତ୍ରିକ ପଦ୍ଧତିରେ ବୁଥ ସଭାପତି, ମଣ୍ଡଳ ସଭାପତି, ଜିଲ୍ଲା ସଭାପତି, ରାଜ୍ୟ ସଭାପତି ନିର୍ବାଚନ ହୋଇଥାଏ । ବିଜେପିର ଜିଲ୍ଲା ସଭାପତି ନିର୍ବାଚନ ପୂର୍ବରୁ ଡିସେମ୍ବର ୧୧ ଏବଂ ୧୨ ତାରିଖରେ ପ୍ରତ୍ୟେକ ଜିଲ୍ଲାକୁ ୨ ଜଣ ଲେଖାଏଁ ପର‌୍ୟ୍ୟବେକ୍ଷକ ଯିବେ । ନବ ନିଯୁକ୍ତ ମଣ୍ଡଳ ସଭାପତି ଏବଂ ଜିଲ୍ଲା ପ୍ରତିନିଧୀ ମାନଙ୍କ ପରାମର୍ଶ ନେଇ ଜିଲ୍ଲା ନିର୍ବାଚନ କରାଯିବ ।

ବର୍ତମାନ ସୁଦ୍ଧା ୩୫ଟି ସାଙ୍ଗଠନିକ ଜିଲ୍ଲାରେ ମଣ୍ଡଳ ନିର୍ବାଚନ ସମାପ୍ତ ହୋଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ସାଂସଦ ଶ୍ରୀ ରାଜୀବ ପ୍ରତାପ ରୁଢୀଙ୍କୁ ରାଜ୍ୟ ନିର୍ବାଚନ ପାଇଁ ପର‌୍ୟ୍ୟବେକ୍ଷକ ଭାବେ ଦାୟୀତ୍ୱ ଦିଆଯାଇଛି । ଜିଲ୍ଲା ନିର୍ବାଚନ ପ୍ରକ୍ରିୟା ୧୬ ତାରିଖରେ ସରିବା ପରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ କେନ୍ଦ୍ର ବିଜେପି ପକ୍ଷରୁ ତାରିଖ ଘୋଷଣା କରାଯିବ ବୋଲି ଶ୍ରୀ ରାୟ କହିଛନ୍ତି । ଏହି ଅବସରେ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଉପସ୍ଥିତ ଥିଲେ ।