ଦଳିତ ଯୁବକ ବିକାଶ ଜେନାର ହତ୍ୟାକାରୀକୁ ତୁରନ୍ତ ଗିରଫ କରାଯାଉ: ବିଜେପି

ଭୁବନେଶ୍ୱର: ମାହାଙ୍ଗା ନିର୍ବାଚନମଣ୍ଡଳୀର ନୃତାଙ୍ଗ ଗ୍ରାମ ପଂଚାୟତର ଜଣେ ଦଳିତ ଯୁବକ ବିକାଶ ଜେନାଙ୍କୁ ସେହି ପଂଚାୟତର ସରପଂଚ ପ୍ରଫୁଲ କୁମାର ବିଶ୍ୱାଲ ଡିସେମ୍ବର ୨୦୧୮ ମସିହାରେ ହତ୍ୟା କରିଥିଲେ । ହତ୍ୟାକାରୀ ଶ୍ରୀ ବିଶ୍ୱାଳଙ୍କ ବିରୁଦ୍ଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଅପରାଧୀ ନାଁ ରେ ଅନେକ ସଙ୍ଗୀନ ମାମଲା ଥିବା ସତ୍ୱେ ପୋଲିସ ଶାସକ ଦଳ ଚାପରେ ତାକୁ ଗିରଫ କରୁନାହିଁ । ଏହି ପ୍ରସଙ୍ଗରେ ଚିନ୍ତା ପ୍ରକଟ କରି ଆଜି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମାହାଙ୍ଗା ଗସ୍ତ କରି ମୃତ ବିକାଶ ଜେନାଙ୍କ ପରିବାରକୁ ଭେଟିବା ସହ ମାହାଙ୍ଗା ପୋଲିସ ଆଗରେ ଅପରାଧୀ ପ୍ରଫୁଲ ବିଶ୍ୱାଳକୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ସେହିପରି ମାହାଙ୍ଗାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ର୍ଦୁନୀତି ହୋଇଛି । କୋଠା ଘର ଥିବା ଲୋକଙ୍କୁ ପକ୍କା ଘର ମିଳିଛି ଏବଂ ଯାହାର କଚ୍ଚା ଘର ଅଛି ତାକୁ ପକ୍କା ଘର ମିଳିନାହିଁ । ୨୦୦୨ ମସିହାରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର କେଶବ ଜେନା ଇନ୍ଦିରା ଆବାସ ଘର ପାଇଥିଲେ । ୨୦୧୪-୧୫ ମସିହାରେ ତାଙ୍କ ପୁଅ ଫକୀର ଜେନା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ଏକ ଘର ନେଇଥିଲେ । ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟରେ ଏହା ବେଆଇନ ବୋଲି ଦର୍ଶାଯାଇଛି । ଏହିପରି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ୫ ହଜାରରୁ ଉଦ୍ଧ୍ୱର୍ ଘର ବେଆଇନ ଭାବେ ବଂଟନ କରାଯାଇଛି । କେଶବ ଜେନାଙ୍କ ଉପର ମହଳାରେ ତାଙ୍କ ପୁଅ ଫକୀର ଜେନା ଘର କରିଛନ୍ତି ବୋଲି ଜିଲ୍ଲାପାଳରିପୋର୍ଟ ଦେଇଛନ୍ତି । ସେହିପରି ଖାଦ୍ୟ ସୁରକ୍ଷା ଆଇନରେ ମାହାଙ୍ଗା ପଂଚାୟତ ସମିତିର ଅଧ୍ୟକ୍ଷ ଭିକାରୀ ସ୍ୱାଇଁଙ୍କ ନାଁ ରାସନ କାର୍ଡରେ ରହିବା ଘଟଣା ସମସ୍ତ ଖବରକାଗଜରେ ପ୍ରକାଶ ପାଇଥିଲା । ୨୦୧୯-୨୦ ଆର୍ଥୀକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜାନରେ ମାହାଙ୍ଗା ନିର୍ବାଚନମଣ୍ଡଳୀ ନୃତଙ୍ଗ ପଂଚାୟତର ହରେକୃଷ୍ଣ ବାରିକ, ତ୍ରିଲୋଚନ ସ୍ୱାଇଁ, ଆମୀୟ ସାହୁ, ବିଶ୍ୱନାଥ ପଣ୍ଡାଙ୍କ ଘରକୁ ଜିଓ ଟ୍ୟାଗିଙ୍ଗ କରାଯାଇଛି ।

ବାସ୍ତବରେ ଏମାନେ ହେଉଛନ୍ତି ଅଯୋଗ୍ୟ ହିତାଧିକାରୀ ଏବଂ ଧନୀକ ଶ୍ରେଣୀର ବ୍ୟକ୍ତି । ଶାସକ ଦଳର ସହ ଏମାନଙ୍କ ସଂପୃକ୍ତି ଥିବାରୁ ଏମାନଙ୍କୁ ଘର ବଂଟନ କରାଯାଇଛି । କିନ୍ତୁ ଯୋଗ୍ୟ ହିତାଧିକାରୀ ଗରୀବ ଅସହାୟ ବ୍ୟକ୍ତି ଯଥା ଅମୀୟ ଜେନା, ବ୍ରଜ କିଶୋର ଜେନା, ଅମୂଲ୍ୟ କୁମାରଦାସ, ପରମାନନ୍ଦ ମହାପାତ୍ର ଏବଂ ବାବାଜୀ ସାହୁ ପ୍ରମୁଖ ଯୋଗ୍ୟ ବ୍ୟକ୍ତି ହୋଇ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଂଚିତ ହୋଇଛନ୍ତି । ପକ୍କା ଘର ର୍ଦୁନୀତି ନେଇ ମାହାଙ୍ଗା ଜିଲ୍ଲା ବିଜେପି ପକ୍ଷରୁ ବିରୋଧୀ ଦଳ ନେତାଙ୍କୁ ଏକ ଦାବି ପତ୍ର ଦିଆଯାଇଛି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଜିଲ୍ଲା ପ୍ରଶାସନକୁ ଭେଟି ଅଯୋଗ୍ୟ ହିତାଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବା ପାଇଁ ଦାବି କରିଛନ୍ତି । ଶ୍ରୀ ନାୟକ ଗୌଡପଡା ଡାକ ବଙ୍ଗଳାର ପ୍ରମୁଖ କାର୍ଯ୍ୟକର୍ତା ସମାବେଶରେ ଯୋଗଦେବା ସହ ଏକ ସାମ୍ବାଦିକ ସମ୍ମିଳନୀ କରି ପକ୍କା ଘର ର୍ଦୁନୀତି ସଂର୍ପକରେ ନିଜ ଅଭିଭାଷଣ ରଖିଥିଲେ । ଏହି ପ୍ରତିନିଧୀ ଦଳରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦକ ଦିଲ୍ଲୀପ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ପ୍ରଧାନ, ଅମର ନାୟକ, ପୂର୍ବତନ ବିଧାୟକ ପ୍ରକାଶ ବେହେରା, ବାବୁ ସିଂହ, ଚୌଧୁରୀ ହେମନ୍ତ ସାହୁ , ବବିତା ମଲ୍ଲିକ, ତୁଷାର ପରିଡା, କୁଳମଣି ବରାଳ, ସାଲେପୁର ବ୍ଲକ ଅଧ୍ୟକ୍ଷା ମମତା ରାଉତ, ଯାଜ୍ଞସେନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।