ସଂସଦରେ ଚାଷୀଙ୍କ ହିତରେ ଐତିହାସିକ ବିଲ୍ ପାସ୍ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ : ବିଜେପି

ସଂସଦରେ କୃଷି ବିଲ୍ ପାରିତ ହେବାକୁ ବିଜେପିର ସ୍ୱାଗତ

ଭୁବନେଶ୍ୱର: ସଂସଦରେ ଆଜି ଚାଷୀଙ୍କ ହିତରେ ଐତିହାସିକ କୃଷି ବିଲ୍ ପାରିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଦେଇଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ସେହିପରି ପାରିତ କୃଷି ବିଲ୍ ଦ୍ୱାରା ଚାଷୀଙ୍କ ଉତ୍ପାଦିତ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)ରେ କିଛି ପ୍ରଭାବ ପଡିବ ନାହିଁ ବୋଲି ବିଲ୍‌ରେ ଥିବା ଶ୍ରୀ ହରିଚନ୍ଦନ ସ୍ପଷ୍ଟ କରିଛନ୍ତି ।

ଶ୍ରୀ ହରିଚନ୍ଦନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱ ନେବା ପର ଠାରୁ ଭାରତ ସରକାର ଭାରତର ଚାଷୀଙ୍କ ଆୟକୁ ଦୁଇ ଗୁଣା କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଲଗାତାର ଭାବରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି, କୃଷି ସିଂଚାଇ ଯୋଜନାରେ ପର୍ଯ୍ୟାପ୍ତ ପରିମାଣର ଜେଳସେଚନ, ସାର ଯୋଗାଣ ସୁନିଶ୍ଚିତ କରିବା,  ଫସଲ ବୀମା ଯୋଜନା ଅଧୀନରେ କୋଟିକୋଟି ଚାଷୀଙ୍କୁ ଅନ୍ତଭୃକ୍ତ କରିବା, ଡିଜିଟାଲରେ କୃଷକଙ୍କୁ ଲିଙ୍କ୍ କରିବା(ଇ-ନାମ୍‌) ଏବଂ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଚାଷୀଙ୍କୁ ସିଧାସଳଖ ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି । ଭାରତୀୟ ଚାଷୀ ସଂଘ କରୋନା ମହାମାରୀରେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ଚାଷୀ ମାନଙ୍କର ଅସୁବିଧାକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ପ୍ୟାକେଜ ଘୋଷଣାରେ ଚାଷୀଙ୍କୁ ଅଧିକ ପ୍ରାଥମିକତା ଦେଇଥିଲେ । ଏହି ପ୍ୟାକେଜରେ ଚାଷୀଙ୍କ ପାଇଁ ୧ ଲକ୍ଷ କୋଟିର କୃଷି ଭିତିଭୂମି ପାଣ୍ଠି ଗଠନ, ଗୋଟିଏ ଦେଶ ଓ ଗୋଟିଏ ବଜାରକୁ ପ୍ରୋତ୍ସାହନ ଦେବା ପାଇଁ ଏକ୍ଷେତ୍ରରେ ସଂସ୍କାର ଆଣିଥିଲେ ।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଏହି ସପ୍ତାହର ପ୍ରଥମରୁ କେନ୍ଦ୍ର ସରକାର ନିଜ କଥା ରଖିବା ସହ ଭାରତୀୟ କୃଷକ ମାନଙ୍କ ମଧ୍ୟରେ କୃଷିଜାତ ଦ୍ରବ୍ୟ ବିକ୍ରୟରେ ମଧ୍ୟସ୍ଥି ଓ ଦଲାଲ ବ୍ୟବସ୍ଥାକୁ ଉଠାଇ ଦେଇଛନ୍ତି । ଫଳରେ ଏହା ଚାଷୀଙ୍କୁ ସଠିକ୍ ଓ ଉଚିତ୍ ମୂଲ୍ୟ ଦେବାର ବ୍ୟବସ୍ଥା କରିବ । କୃଷକ ଏବଂ ଉତ୍ପାଦନ ବାଣିଜ୍ୟ ଏବଂ ବ୍ୟବସାୟ (ପଦୋନ୍ନତି ଏବଂ ସୁବିଧା) ବିଲ୍‌, ୨୦୨୦ ଏବଂ କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତିନାମା ମୂଲ୍ୟ ନିର୍ଧାରଣ ଏବଂ କୃଷି ସେବା ବିଲ୍‌, ୨୦୨୦ କୃଷକମାନଙ୍କ ଉତ୍ପାଦିତ ମୂଲ୍ୟକୁ ନିଶ୍ଚିତ କରିବ ଏବଂ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ଯେକୌଣସି ବଜାରରେ ବିକ୍ରି କରିବା ପାଇଁ ସହାୟକ ହେବ ।

ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ସିଧାସଳଖ ମାର୍କେଟିଂ ପାଇଁ ସ୍ୱାଧୀନତା ପାଇବେ ଏବଂ ଏମଏସପି ବ୍ୟବସ୍ଥା କାରଣରୁ ଅଧିକ ମୂଲ୍ୟ ପାଇବାକୁ ସକ୍ଷମ ହେବେ । ଏହି ନିୟମ ଦ୍ୱାରା ଏକ ଇକୋସିଷ୍ଟମ ତିଆରି ହେବ, ଯେଉଁଠାରେ ଚାଷୀ ଓ ବ୍ୟବସାୟୀମାନେ ପଞ୍ଜିକୃତ ମଣ୍ଡି ଯାହା ରାଜ୍ୟ ଏଗ୍ରିକଲଚର ପ୍ରଡ୍ୟୁସ ମାର୍କେଟ କମିଟି(ଏପିଏମସି) ଅଧୀନରେ ଅଛି । ଏହା ମାଧ୍ୟମରେ କ୍ରୟ-ବିକ୍ରୟର ସୀମା ଶେଷ ହେବ । ଏହା ଦ୍ୱାରା ରାଜ୍ୟ ଓ ରାଜ୍ୟ ବାହାରେ ଅବାଧ ଓ ମୁକ୍ତ କ୍ରୟ ବିକ୍ରୟର ଇଲେକ୍‌ଟ୍ରୋନିକ୍ ବିକ୍ରୟ ବ୍ୟବସ୍ଥା କାମ କରିବ । ଏହି ଐତିହାସିକ ସଂସ୍କାର ଗୁଡିକ ବେସରକାରୀ କ୍ଷେତ୍ରର ପୁଞ୍ଜିନିବେଶ ମାଧ୍ୟମରେ କୃଷି ଭିତିଭୂମି ତଥା ଦେଶ ଓ ବିଶ୍ୱ ବଜାରରରେ କୃଷି ଜାତ ଦ୍ରବ୍ୟର ବିକ୍ରୟ ସୁବିଧା ସହ କୃଷି କ୍ଷେତ୍ରର ଭିତିଭୂମିକୁ ସୁଦୃଢ କରିବ । ନିଯୁକ୍ତି ସୃଷ୍ଟି କରିବା ସହ ଅର୍ଥନୀତିକୁ ମଜବୁତ୍ କରିବ । ଏହି ବିଲ୍ ଦେଶର କ୍ଷୁଦ୍ର ଏବଂ ମଧ୍ୟମ ଚାଷୀ ମାନଙ୍କୁ ସେମାନଙ୍କ କୃଷି ଉତ୍ପାଦକୁ ନିଜେ ସିଧାସିଧା ବିନା ମଧ୍ୟସ୍ଥିରେ ଅଧିକ ପଇସା ରୋଜଗାର କରିବାର ଏକ ପ୍ଲାଟଫର୍ମ ଯୋଗାଇବ । ଓଡିଶା ଚାଷୀ ଆତ୍ମହତ୍ୟାରେ ରେକର୍ଡ କରିଛି । ରାଜ୍ୟରେ ସରକାରୀ ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ମାନଙ୍କୁ ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ପ୍ରାକୃତିକ ଦୁର୍ବିପାକ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗୁଛି । ଏହା ସତ୍ୱେ ଓଡିଶାର ଶାସକ ଦଳ ଚାଷୀଙ୍କୁ ଅଧିକ ମୂଲ୍ୟ ମିଳିବା ପାଇଁ ଉଦ୍ଦିଷ୍ଟ କୃଷି ସଂସ୍କାରକୁ ବିରୋଧ କରୁଛି । ଶ୍ରୀ ହରିଚନ୍ଦନ କହିଛନ୍ତି ମୋଦି ସରକାରଙ୍କ କୃଷି ନୀତି କାରଣରୁ କୁଚିଣ୍ଡା କିମ୍ବା କୋରାପୁଟର ଚାଷୀ ଦେଶର ଯେକୌଣସି ବଜାରରେ ଲଙ୍କା ଏବଂ ଅଦା ବିକ୍ରି କରିବାକୁ ସାମର୍ଥ୍ୟ ହେବ । ଏହାସହ କନ୍ଧମାଳର ଜଣେ ଚାଷୀ ଆମେରିକା  ବଜାରରେ ହଳଦୀ ବିକିବାକୁ ମଧ୍ୟ ସକ୍ଷମ ହୋଇପାରିବ । ଏହାବ୍ୟତିତ ଏହି ନୀତି କାରଣରୁ ଓଡିଶାର ଅଧିକାଂଶ ଅଂଚଳର ଚାଷୀମାନେ ମଧ୍ୟ ଲାଭ ପାଇବେ । ମାତ୍ର ଏହି ବିଲ୍‌କୁ ବିରୋଧ କରି ରାଜ୍ୟ ସରକାର କଣ କହିବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ରାଜ୍ୟ ସରକାରଙ୍କୁ ଏହା ମନେ ରଖିବାକୁ ହେବ ଯେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରିବାରେ ବିଜେଡିର ବେପୁରୁଆ ପରିଚାଳନା ଯୋଗୁଁ ଆବଶ୍ୟକ କରୁଥିବା ଲକ୍ଷାଧିକ ଓଡିଆ ଚାଷୀ କେନ୍ଦୀୟ ଯୋଜନାର ଲାଭ ପାଇବାରୁ ବଂଚିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ମୋଟ ୩୭,୦୦,୫୭୮ ପଞ୍ଜିକୃତ ହିତାଧିକାରୀଙ୍କ ମଧ୍ୟରୁ ୩୬,୭୦,୪୮୯ ଜଣ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଦ୍ୱାରା ଜାରୀ ପ୍ରଥମ କିସ୍ତିର ଲାଭ ପାଇଥିଲେ । ସେହିପରି ଜାରୀ ଦ୍ୱିତୀୟ କିସ୍ତିର ଲାଭ ୩୧,୫୮,୫୮୯ ଜଣ, ତୃତୀୟ କିସ୍ତିର ଲାଭ ୨୩,୯୭,୭୨୩ ଜଣ, ଚତୁର୍ଥ କିସ୍ତିର ଲାଭ ୨୦,୭୬,୮୯୪ ଜଣ, ପଂଚମ କିସ୍ତିର ଲାଭ ୨୦,୦୩,୧୮୫ ଜଣ ଏବଂ ଷଷ୍ଠ କିସ୍ତିର ଲାଭ ୨୦,୦୧,୨୯୨ ଜଣ ପାଇଛନ୍ତି । ଯାହା ଆଶ୍ଚର୍ଯ୍ୟଜନକ ।

ଏହା ବ୍ୟବସ୍ଥା ଦେଶ ବାହାରେ ଏବଂ ଦେଶର ବିଭିନ୍ନ ରାଜ୍ୟ ଭିତରେ ଓ ବାହାରେ ଚାଷୀଙ୍କୁ ବିକ୍ରି କରିବାରେ ପ୍ରୋତ୍ସାହନ ଦେବା ସହ ପରିବହନ ଖର୍ଚ୍ଚକୁ ମଧ୍ୟ ହ୍ରାସ କରିବ । ଯଦ୍ୱାରା ଚାଷୀମାନେ ଉପକୃତ ହେବେ । ଏହି ପରିବର୍ତନଶୀଳ ବିଲ୍‌କୁ ବିରୋଧ କରି ରାଜ୍ୟ ସରକାର ଚାଷୀ ବିରୋଧୀ ବୋଲି ପ୍ରମାଣିତ କରିଛନ୍ତି । ବିଶେଷ ଭାବରେ ଚାଷୀଙ୍କ ମଧ୍ୟରେମଧ୍ୟସ୍ଥିଙ୍କ ଉପସ୍ଥିତି କାରଣରୁ ରାଜ୍ୟରେ ଚାଷୀମାନେ ଉଚିତ୍ ମୂଲ୍ୟ ପାଇନାହାନ୍ତି ଏବଂ ରାଜ୍ୟରେ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଉଛି । ମାତ୍ର ଏହି ବିଲ୍‌କୁ ବିରୋଧ କରି ରାଜ୍ୟ ସରକାର ମଧ୍ୟସ୍ଥି ଓ ଦଲାଲ ମାନଙ୍କ ପ୍ରତି ନିଜ ଆନୁଗତ୍ୟର ନିଦର୍ଶନ କରୁନାହିଁ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି । ନିୟନ୍ତ୍ରିତ ମଣ୍ଡିରେ ମଧ୍ୟସ୍ଥିମାନେ ପକେଟ୍ ଗରମ କରୁଥିବା ବେଳେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଅମଳ କରୁଥିବା ଚାଷୀକୁ କମ୍ ମୂଲ୍ୟ ମିଳୁଛି । ରାଜ୍ୟ ସରକାର ଦଲାଲ, ମଧ୍ୟସ୍ଥି ମାନଙ୍କର ସାଥ୍ ଦେବା ପାଇଁ ଏହି ବିଲ୍‌ର ବିରୋଧ କରୁନାହାନ୍ତି କି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ହିତାଧିକାରୀ ତାଲିକା ପ୍ରସ୍ତୁତିରେ ବ୍ୟାପକ ତ୍ରୁଟି ବିଚ୍ୟୁତି, ଚାଷୀଙ୍କ ତଥ୍ୟର ଉଚିତ୍ ପ୍ରବନ୍ଧନ ନକରି ପାରିବା କାରଣରୁ ପିଏମ କିଷାନ ଯୋଜନାର ଲକ୍ଷ ଲକ୍ଷ ଯୋଗ୍ୟ ହିତାଧିକାରୀ ଫାଇଦା ପାଇବାରୁ ବଂଚିତ ହେବା ଅଭିଯୋଗ ରାଜ୍ୟ ସରକାରଙ୍କ ନାମରେ ରହିଛି । ମଧ୍ୟସ୍ଥି ଏବଂ କମିଶନ ଏଜେଂଟ୍ ମାନେ ହିଁ କୃଷକଙ୍କୁ ବଜାରର ଉଚିତ୍ ମୂଲ୍ୟସହ ଯୋଡି ପାରୁନାହିଁ । ଏହି ବିଲ୍‌କୁ ବିରୋଧ କରି ରାଜ୍ୟ ସରକାର କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କ ସ୍ୱାର୍ଥ ବିରୋଧୀ କାମ କରିନାହାନ୍ତି କି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।