କୁଚିଣ୍ଡାର ପୂର୍ବତନ ବିଧାୟକ ତଥା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ରବି ନାଏକଙ୍କ ପିତୃ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର: କୁଚିଣ୍ଡାର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପିର ସାଧାରଣ ସଂପାଦକ ଶ୍ରୀ ରବି ନାଏକଙ୍କ ପିତା ଶ୍ରୀ ଦାଶରଥୀ ନାଏକଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।

ଆଜି ପ୍ରାତଃ ସମୟରେ ୮୧ ବର୍ଷୀୟ ଶ୍ରୀ ନାଏକ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ନିଜ ପୈତୃକ ଗ୍ରାମ ଖଣ୍ଡକୋଟାଠାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଚାଷୀକୁଳରେ ଜନ୍ମଗ୍ରହଣ କରିଥିବା ମିଷ୍ଟଭାଷୀ ଓ ନମ୍ର ସ୍ୱଭାବର ସ୍ୱର୍ଗତଃ ନାଏକ ଜଣେ ସୁପରିଚିତ ପାଲା ଗାୟକ ଭାବେ ସେ ଅଂଚଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସ୍ୱର୍ଗତଃ ନାଏକ ତାଙ୍କ ଗୃହିଣୀ ଧର୍ମପତ୍ନୀ ଶ୍ରୀମତୀ ଶୁଭ ନାଏକ, ବଡ ପୁଅ ମହେନ୍ଦ୍ର ନାଏକ, ମଝିଆ ପୁଅ ରବି ନାଏକ, ସାନ ପୁଅ ଗିରିନ୍ଦ୍ର ନାଏକ, ୩ ବୋହୁ ଏବଂ ନାତିନାତୁଣୀଙ୍କୁ ଛାଡି ଇହଧାମ ତ୍ୟାଗ କରିଛନ୍ତି ।

ସ୍ୱର୍ଗତଃ ନାଏକଙ୍କ ନିଧନରେ ଦୁଃଖ ପ୍ରକାଶ କରି ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ଶୋକସନ୍ତପ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ପାର୍ଟୀର ଅନ୍ୟାନ୍ୟ ନେତୃବୃନ୍ଦମାନେ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।