ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତିକୁ ନେଇ ବ୍ଲକରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ ହେବ ଆନ୍ଦୋଳନ: ଭୃଗୁ ବକ୍ସିପାତ୍ର ଭୃଗୁ ବକ୍ସିପାତ୍ର
ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଗାମୀ ୩ମାସ ପାଇଁ ବିଭିନ୍ନ ଆନ୍ଦୋଳନ ଓ କାର୍ଯ୍ୟକ୍ରମର ଖସଡା ପ୍ରସ୍ତୁତ
ଭୁବନେଶ୍ୱର: ଗତ କାଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସଭାପତିତ୍ୱରେ ରାଜ୍ୟ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା କାର୍ଯ୍ୟକାରିଣୀକୁ ଉଦ୍ବୋଧନ ଦେଇଥିଲେ । ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସଂପାଦକ (ସଂଗଠନ) ସୈାଦାନ ସିଂହ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୁଜାରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ୍ ପାତ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସମେତ ରାଜ୍ୟ ବିଜେପିର ସମସ୍ତ ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ୱେବିନାର ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗଦାନ କରିଥିଲେ ।
କାର୍ଯ୍ୟକାରିଣୀରେ ରାଜ୍ୟର ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ଆଲୋଚନା କରାଯାଇ ରାଜନୈତିକ ଚିଠା ପ୍ରସ୍ତାବ ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ୍ ପ୍ରସ୍ତାବ ଆଗତ କରାଯାଇଛି । ଏଥି ସହ ଆଗାମୀ ୩ ମାସ ପାଇଁ ପାର୍ଟୀର ବିଭିନ୍ନ ଆନ୍ଦୋଳନ ଓ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଗତ କାଲି ରାଜ୍ୟକାର୍ଯ୍ୟକାରିଣୀରେ ବିରୋଧୀ ଦଳ ଉପନେତା ବିଧାୟକ ଶ୍ରୀ ବିଷ୍ନୁ ସେଠୀ ଆଗତ କରିଥିବା ରାଜ୍ୟର ବିଭିନ୍ନ ସମସ୍ୟାକୁ ନେଇ ବିସ୍ୃତ ଆଲୋଚନା କରାଯାଇଥିଲା । ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ନେଇ ବ୍ଲକରୁ ଆରମ୍ବ କରି ଜିଲ୍ଲା ପର୍ଯ୍ୟନ୍ତ ଆନ୍ଦୋଳନ ହେବାର ନିଷ୍ପତି ନିଆଯାଇଛି । କୋଭିଡ୍ ଗାଇଡଲାଇନକୁ ସଂପୂର୍ଣ୍ଣ ରୂପେ ପାଳନ କରାଯାଇ ଆନ୍ଦୋଳନ ହେବ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ସୁଚନା ଦେଇ କହିଛନ୍ତି ।
କାର୍ଯ୍ୟକାରିଣୀର ନିଷ୍ପତି ଅନୁଯାୟୀ, ସେପ୍ଟେମ୍ବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକରେ ମନରେଗା ଯୋଜନାରେ ଅନିୟମିତତା, ପ୍ରମାଣ ସହ ଦାବୀ ପତ୍ର ପ୍ରଦାନ ସହ ପ୍ରେସ ବାର୍ତା ଜରିଆରେ ସାଧାରଣ ଜନତାଙ୍କ ପାଖକୁ ପହଂଚିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେପ୍ଟେମ୍ବର ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ମନରେଗା ଯୋଜନାରେ ଅନିମିତତାକୁ ନେଇ ପ୍ରତ୍ୟେକ ଜିଲ୍ଲା ସ୍ତରରେ ଆନ୍ଦୋଳନ କରାଯିବା ସହ ଜିଲ୍ଲାପାଳମାନଙ୍କୁ ଦାବୀ ପତ୍ର ପ୍ରଦାନ କରାଯିବ । ସେହିପରି ସେପ୍ଟେମ୍ବର ୨୦ ତାରିଖରୁ ୩୦ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାଗତ ତୃଟି ସମ୍ବନ୍ଧୀୟ ବିଷୟକୁ ନେଇ ଦାବୀପତ୍ର ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଓ ଅନିୟମିତତାକୁ ନେଇ ଅକ୍ଟୋବର ୧ ରୁ ୧୫ ପର୍ଯ୍ୟନ୍ତ ସମସ୍ତ ବ୍ଲକରେ ଦାବୀପତ୍ର ପ୍ରଦାନ କରାଯିବ । ଅକ୍ଟୋବର ୧୬ରୁ ୨୦ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନିୟମିତତା ପ୍ରମାଣ ସହ ସ୍ଥାନୀୟ ଜିଲ୍ଲାପାଳମାନଙ୍କୁ ଦାବିପତ୍ର ପ୍ରଦାନ କରାଯିବ ।
ଏହି ସମୟରେ ପିଡିଏସ ସ୍କିମ ଜରିଆରେ ଆସିଥିବା ଚାଉଳ ଓ ଡାଲିର ବଂଟନ ଅନିୟମିତତା ନେଇ ବ୍ଲକ କାର୍ଯ୍ୟାଳୟରେ ଦାବୀପତ୍ର ପ୍ରଦାନ କରାଯିବ । ଜଳବନ୍ଦୀ ଚାଷ ଅଂଚଳ ଓ ସାର ତଥା କୃଷକ ସମସ୍ୟା ନେଇ ଆନ୍ଦୋଳନ କରାଯିବ । ସେହିପରି କାଂପା ଫଣ୍ଡ୍, ଡିଏମ୍ଏଫ୍ ଫଣ୍ଡ୍, ଓ.ଏମ୍.ବି.ଏ.ଆର୍.ଡି.ସି., ଚତୁର୍ଦ୍ଦଶ ଅର୍ଥ କମିଶନର ଅର୍ଥ ପ୍ରସଙ୍ଗରେ ଆନ୍ଦୋଳନ କରାଯିବାର ନିଷ୍ପତି ଗ୍ରହଣ ହୋଇଛି ବୋଲି ଶ୍ରୀ ବକ୍ସିପାତ୍ର ସୁଚନା ଦେଇ କହିଛନ୍ତି ।