କୋଟି କୋଟି ଭକ୍ତଙ୍କର ଆସ୍ଥା ଏବଂ ଭାବନାକୁ କୁଠାରଘାତ କରୁଛନ୍ତି ରାଜ୍ୟସରକାର: ପୃଥ୍ୱୀରାଜ

ଧର୍ମାନୁଷ୍ଠାନ ଖୋଲିବା ନେଇ ରାଜ୍ୟସରକାରଙ୍କ ନିଷ୍ପତି ଚୂଡାନ୍ତ ବୋଲି ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେବା ପ୍ରସଙ୍ଗ

ଭୁବନେଶ୍ୱର: କରୋନା ମହାମାରୀ ଏବଂ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନକୁ ବନ୍ଦ ରଖିବା ପାଇଁ କଟକଣା ଜାରି କରାଯାଇଥିଲା । ପରବର୍ତୀ ସମୟରେ କେନ୍ଦ୍ର ସରକାରଙ୍କ ଅନଲକ-୧ ଗାଇଡଲାଇନ ଅନୁଯାୟୀ ଜୁନ୍ ୮ ତାରିଖରୁ ଧର୍ମାନୁଷ୍ଠାନ ଖୋଲିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । କିନ୍ତୁ ଏଯାବତ୍ ରାଜ୍ୟସରକାର ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ସମେତ ଛୋଟ ବଡ ମନ୍ଦିର ଖୋଲିବା ନେଇ କୌଣସି ନିଷ୍ପତି ନନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମନୁଷ୍ୟ ତା’ର ବିପତି ଏବଂ ଅସୁବିଧା ସମୟରେ ଭଗବାନଙ୍କ ଉପରେ ଭରସା ରଖିଥାଏ ଏବଂ ଭଗବାନଙ୍କ ଦର୍ଶନ ପାଇଁ ମନ୍ଦିରକୁ ଯାଇଥାଏ । ଓଡିଶା ଜନସାଧାରଣଙ୍କର ଆସ୍ଥା ଏବଂ ବିଶ୍ୱାସର ପ୍ରତୀକ ହେଉଛନ୍ତି ମହାପ୍ରଭୃ ଶ୍ରୀ ଜଗନ୍ନାଥ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଦୀର୍ଘଦିନ ଧରି ମହାପ୍ରଭୃଙ୍କ ଶ୍ରୀମନ୍ଦିର ବନ୍ଦ ହୋଇ ପଡିଛି । ରାଜ୍ୟରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ରାଜ୍ୟସରକାର ଚୂଡାନ୍ତ ନିଷ୍ପତି ନେବା ପାଇଁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସତ୍ୱେ ବି ରାଜ୍ୟସରକାର ଏ ଦିଗରେ କୌଣସି ପଦକ୍ଷେପ ନନେଇ ଚୁପ୍‌ ରହିବା ଅତ୍ୟନ୍ତ ନିନ୍ଦନୀୟ । ରାଜ୍ୟସରକାର ଭଗବାନଙ୍କ ଠାରୁ ଭକ୍ତକୁ ଦୂରେଇ ରଖି କୋଟି କୋଟି ଭକ୍ତଙ୍କର ଆସ୍ଥା ଏବଂ ଭାବନାକୁ କୁଠାରଘାତ କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ।

ଅନ୍ୟ ରାଜ୍ୟ ଗୁଡିକରେ ମନ୍ଦିର ଏବଂ ଧର୍ମାାନୁଷ୍ଠାନ ଗୁଡିକ ମାନକ ପରିଚାଳନା ପ୍ରକ୍ରିୟା (ଏସଓପି)ପାଳନ କରାଯାଇ ଖୋଲା ହୋଇଛି । ଗତ କିଛି ଦିନ ତଳେ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିର ଖୋଲାଯାଇଛି । ତିରୁପତି ଠାରେ ପ୍ରଭୃ ବାଲାଜୀଙ୍କ ମନ୍ଦିର ଏସଓପି ପାଳନ କରି ଖୋଲାଯାଇଥିବାରୁ ଭକ୍ତମାନେ ପ୍ରଭୃଙ୍କ ଦର୍ଶନ କରିପାରୁଛନ୍ତି । ଯଦି ଅନ୍ୟ ରାଜ୍ୟମାନଙ୍କରେ ମନ୍ଦିର ଖୋଲ ଯାଇ ପାରୁଛି ତେବେ ଓଡିଶାରେ ଅସୁବିଧା କେଉଁଠି ରହିଛି ? ଓଡିଆ ଲୋକଙ୍କୁ ପ୍ରଭୃ ଜଗନ୍ନାଥଙ୍କ ଦର୍ଶନ ଠାରୁ ଦୂରେଇ ରଖିବାର ଉଦ୍ଦେଶ୍ୟ କ’ଣ ରାଜ୍ୟସରକାର ଏହାର ଉତର ଦିଅନ୍ତୁ । ଲୋକଙ୍କ ଆସ୍ଥା ସହ ଖେଳିବା ପାଇଁ କୌଣସି ସରକାରର ଅଧିକାର ନାହିଁ । ସେହିପରି ମନ୍ଦିରରେ ପୂଜା କରୁଥିବା ବାହ୍ମଣ ଏବଂ ପୂଜକମାନେ ଏବେ ଅଭାବ ଅନଟନରେ ଅଛନ୍ତି । ମନ୍ଦିର ଖୋଲାଯାଉନଥିବାରୁ ତାଙ୍କ ପରିବାର ଚଳେଇବା ଏବେ କାଠିକର ପାଠ ହୋଇଛି । ରାଜ୍ୟସରକାର ଏହାକୁ ଗୁରୁତର ସହ ନେଇ କୋଭିଡ ୧୯ ନିୟମ ଅନୁଯାୟୀ ଏସଓପି ପାଳନ କରି ମନ୍ଦିର ଏବଂ ଧର୍ମାନୁଷ୍ଠାନ ଖୋଲନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବୀ କରିଛନ୍ତି ।

ପୂର୍ବରୁ ପୁରୀରେ ମହାପ୍ରଭୃଙ୍କ ରଥଯାତ୍ରା ବନ୍ଦ କରିବା ପାଇଁ ରାଜ୍ୟସରକାର ଏକ ବଡ ଷଡଯନ୍ତ୍ର କରିଥିଲେ । ରଥଯାତ୍ରା ସମୟରେ ରାଜ୍ୟସରକାର ସତ୍ୟପାଠ ଦାଖଲ କରିଥିଲେ କି, ଲକ୍ଷ ଲକ୍ଷ ଭକ୍ତ ଏକାଠୀ ହେବା ଯୋଗୁଁ ରାଜ୍ୟରେ କରୋନା ବ୍ୟାପିଯିବ । ଏହା ସଂପୂର୍ଣ୍ଣର୍ଭାବେ ଅମୂଳକ ଓ ମିଥ୍ୟାରେ ପରିଣତ ହେଲା । ମାନ୍ୟବର ସୁପ୍ରିମକୋର୍ଟ ଏବଂ କେନ୍ଦ୍ରସରକାରଙ୍କ ହସ୍ତକ୍ଷେପ ଯୋଗୁଁ ସୁରୁଖୁରୁରେ ବିନା ଭକ୍ତରେ ରଥଯାତ୍ରା ସଂପୂର୍ଣ୍ଣ ହେଲା । କୋଟି କୋଟି ଭକ୍ତ ଟିଭି ମାଧ୍ୟମରେ ପ୍ରଭୃଙ୍କର ଦର୍ଶନ କରିପାରିଥିଲେ ।

ସେହିପରି ମନ୍ଦିରରରେ ଭକ୍ତମାନଙ୍କର ଦର୍ଶନ କରିବାର ବ୍ୟବସ୍ଥା ରାଜ୍ୟସରକାର ତୁରନ୍ତ କରିବାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ ଏ ଦିଗରେ ହସ୍ତକ୍ଷେପ କରି ମନ୍ଦିର ଖୋଲିବା ନେଇ ଏକ ଠୋସ୍ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବୀ କରିଛନ୍ତି ।