ଅପରାଧିଙ୍କ ବିରୁଦ୍ଧରେ ରାଜ୍ୟସରକାର କଠୋର ପଦକ୍ଷେପ ଗ୍ରହଣ ନକଲେ, ଲୋକାୟୁକ୍ତ ଏବଂ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ ବିଜେପି : ପୃଥ୍ୱୀରାଜ ହରିଚନ୍ଦନ

ରାଜ୍ୟବ୍ୟାପୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କଲେ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟସାରା ବ୍ୟାପକ ଦୁର୍ନୀତି ହେଉଥିବାବେଳେ ରାଜ୍ୟସରକାର ନୀରବ ରହିଛନ୍ତି । ଏନେଇ ବିଜେପି ପକ୍ଷରୁ ପ୍ରମାଣ ସହ ବାରମ୍ବାର ଅଭିଯୋଗ ହୋଇଥିଲେ ବି ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟସରକାର ଏଠି ପାତର ଅନ୍ତର ନୀତି ଆପଣାଇ କେବଳ ଦଳୀୟ କର୍ମୀମାନଙ୍କୁ ପକ୍କା ଘର ଯୋଗାଇ ଚାଲିଛନ୍ତି । ଅନ୍ୟପଟେ ଯୋଗ୍ୟ ହିତାଧିକାରୀମାନେ ଘରେ ଖଣ୍ଡେ ପାଇବାରୁ ବଂଚିତ ହେଉଛନ୍ତି । ସାରା ରାଜ୍ୟରେ ବିଜେଡିର ଏଜେଂଟ ମାନେ ପ୍ରତି ହିତାଧିକାରୀଙ୍କ ଠାରୁ ୧୦-୨୫ ହଜାର ଟଙ୍କାର ଲାଂଚ ନେଇ ଗରିବ ଖଟିକିଆ ଲୋକଙ୍କୁ ତାଲିକାଭୃକ୍ତ କରି ପୁଣି ଥରେ ସେମାନଙ୍କ ଠାରୁ ଅର୍ଥ ଆଦାୟ କରୁଛନ୍ତି । ମୋଦି ସରକାର ପଠାଉଥିବା ଅର୍ଥକୁ ଗରିବ ଲୋକଙ୍କୁ ପାଖରେ ନପହଂଚାଇ ଶାସକ ଦଳର ନେତା ହରିଲୁଟ୍ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଏବଂ ବିଜେଡି ସମର୍ଥିତ ସରପଂଚମାନେ ଯୋଗ୍ୟ ହିତାଧିକାରୀଙ୍କ ଠାରୁ ଜୋର ଜବରଦସ୍ତି ଅର୍ଥ ଆଦାୟ କରିବା ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ହସ୍ତକ୍ଷେପ ଲୋଡିଛନ୍ତି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଗତ କିଛି ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଫିସ ପଛପଟ ପଡିଆରେ ପିଏମଏୱାଇ ଆବେଦନପତ୍ର ଫୋପଡା ହେବା ଏବଂ କିଛି ଅଧା ପୋଡି ଯାଇଥିବା ଫର୍ମ ପଡିଥିବା ଘଟଣା କିଛି ଗଣମାଧ୍ୟମ ନଜରକୁ ଆସିଥିଲା । ଏ ବାବଦରେ ବ୍ଲକର ଅଧିକୃତ ଅଧିକାରୀମାନଙ୍କୁ ପ୍ରଶ୍ନ ପଚାରିବାରୁ ସେମାନଙ୍କ ଠାରୁ କୌଣସି ସନ୍ତୋଷଜନକ ଉତର ମିଳିନିଥଲା । ସେହିପରି ବାଣପୁର ବ୍ଲକ ଭବାନୀପୁର ପଂଚାୟତ ସାହାସପୁର ଗାଁର ଜଣେ ବ୍ରାହ୍ମଣ ବିଧବା ମହିଳା ଅହଲ୍ୟା ବେୱାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଦେବାପାଇଁ ସେହି ଗାଁର ସରପଂଚଙ୍କ ସ୍ୱାମୀ ୫ ହଜାର ଟଙ୍କା ଲାଂଚ ନେବା ପରେ ସରପଂଚଙ୍କ ଭାଇ ୧୦ ହଜାର ଟଙ୍କା ଜୋର ଜବରଦସ୍ତି ନେଇଥିଲା । ଆଉ ଏବେ ଅଭିଯୋଗ ଆସିଛି ବାଣପୁର ବ୍ଲକ ରତନପୁର ଗାଁ ତୁମୁରପୁଟ ପଂଚାୟତରୁ । ଯୋଗ୍ୟ ହିତାଧିକାରୀ ସୁରେଶ ଚନ୍ଦ୍ର ବେହେରା ୨୦ ହଜାର ଟଙ୍କାର ପ୍ରଥମ କିସ୍ତିରୁ ୧୧ ହଜାର ଟଙ୍କା ଜବରଦସ୍ତ ସରପଂଚଙ୍କ ଭାଇ ନେଇଯାଇଥିଲେ । ପାଖରେ ମାତ୍ର ୯ ହଜାର ଟଙ୍କା ଥିବାରୁ ସୁରେଶ ବେହେରା ତାଙ୍କ ଘର କରିପାରିଲେ ନାହିଁ । ଅନ୍ୟପକ୍ଷରେ ବିଜେଡି ନେତାମାନେ ପଂଚାୟତ ଏକଜୁକେଟିଭ ଅଫିସରଙ୍କୁ ଲଗାଇ ଘର ହୋଇନଥିବାରୁ ୨୦ ହଜାର ଟଙ୍କା ଫେରାଇବାକୁ ସୁରେଶଙ୍କ ଉପରେ ଚାପ ପକାଇବା ସହ ଟଙ୍କା ଫେରସ୍ତ ପାଇଁ ଧମକ ମଧ୍ୟ ଦେଲେ । ଏହି ପ୍ରସଙ୍ଗରେ ଶ୍ରୀ ବେହେରା ବ୍ଲକର ଉଚ୍ଚ ପଦାଧିକାରୀଙ୍କୁ ଭେଟି ଅଭିଯୋଗ କରିବାକୁ ଚାହିଁଥିଲେ ମଧ୍ୟ ତାଙ୍କୁ ଭେଟି ପାରିନଥିଲେ । ଏଭଳି ଘଟଣା କେବଳ ଖୋର୍ଦ୍ଧା ଜିଲ୍ଲାରେ ନୁହେଁ ବରଂ ରାଜ୍ୟର ସମସ୍ତ ୩୧୪ ବ୍ଲକରେ ସାଧାରଣ ଲୋକଙ୍କ ଅର୍ଥକୁ ବିଜେଡି ସରପଂଚ ଓ ନେତାମାନେ ହରିଲୁଟ ଏବଂ ଭ୍ରଷ୍ଟାଚାର କରୁଛନ୍ତି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ତଦନ୍ତ କରି ସଂପୃକ୍ତ ସରପଂଚଙ୍କୁ ନିଲମ୍ବନ କରିବା ସହ ଏହା ଭିଜିଲାନ୍ସ ତଦନ୍ତ କରନ୍ତୁ । ଚିଲିକା ବ୍ଲକ ପଛପଟେ ଫୋପଡା ଯାଇଥିବା ପିଏମୱାଇ ଆବେଦନ ପତ୍ର ପଛରେ କାହାର ହାତ ରହିଛି ସେ ସମ୍ବନ୍ଧରେ ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ହରିଚନ୍ଦନ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦାବୀ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟରେ ହୋଇଥିବା ଦୁର୍ନୀତିର ସଠିକ ତଦନ୍ତ ହେଲେ ଏଭଳି ହଜାର ହଜାର ଘଟଣା ସାମ୍ନାକୁ ଆସିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ଓ ଦେଶର ସବୁଠୁ ବଡ ଜଲକଲ୍ୟାଣ ଯୋଜନା ‘ସମସ୍ତଙ୍କୁ ପକ୍କା ଘର’ ଯୋଗାଇ ଦେବାର ସ୍ୱପ୍ନକୁ ବିଫଳ କରାଇବାର ପ୍ରୟାସ ଏବଂ ରାଜ୍ୟର ସାଧାରଣ ଗରୀବ ଜନତାଙ୍କ ସ୍ୱାର୍ଥକୁ କୈାଣସି ପ୍ରକାରରେ ହତ୍ୟା କରିବାକୁ ଦିଆଯିବନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଆଗାମୀ ୭ ଦିନ ଭିତରେ ମୁଖ୍ୟମନ୍ତ୍ରୀ ଏବାବଦରେ କୌଣସି ପଦକ୍ଷେପ ଗ୍ରହଣ ନକଲେ ବିଜେପି ଲୋକାୟୁକ୍ତ ଓ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି ।