ମୋବାଇଲ ନଥିବା ଚାଷୀ କିପରି ସାମାଜିକ ଗଣମାଧ୍ୟମରେ ସୂଚନା ପାଉଛି? : ସୁରଥ ବିଶ୍ୱାଳ

ଟୁଇଟର ଓ ହ୍ୱାଟସଆପରେ ସମସ୍ତ ସୂଚନା ସରକାରଙ୍କ ଠାରୁ ଚାଷୀମାନଙ୍କ ପାଖକୁ ପହଂଚା ଯାଇଛି ବୋଲି କୃଷିମନ୍ତ୍ରୀ ଏକ ଭର୍ଚୁଆଲ ମିଟିଂରେ କହିବା ପ୍ରସଙ୍ଗ

ଭୁବନେଶ୍ୱର : ଚାଷୀମାନେ ସାମାଜିକ ଗଣମାଧ୍ୟମରେ ସକ୍ରିୟ ହେଲେଣି । ଟୁଇଟର ଓ ହ୍ୱାଟସଆପରେ ସମସ୍ତ ସୂଚନା ସରକାରଙ୍କ ଠାରୁ ଚାଷୀମାନଙ୍କ ପାଖକୁ ପହଂଚା ଯାଇଛି ବୋଲି କୃଷିମନ୍ତ୍ରୀ ଏକ ଭର୍ଚୁଆଲ ମିଟିଂରେ କହିଛନ୍ତି । ଏହା ସହ ଚାଷୀଙ୍କ ଆୟ ଦ୍ୱିଗୁଣିତ ନୁହେଁ ବରଂ ବହୁଗୁଣିତ କରିବା ନେଇ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବୟାନ ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ ଅଭିଯୋଗ କରିଛନ୍ତି ।

ଏତେ ଦିନପରେ ରାଜ୍ୟସରକାର ସାମାଜିକ ଗଣମାଧ୍ୟମରେ ଚାଷୀଙ୍କୁ ଯୋଡିବା କଥା କିପରି ମନେ ପଡିଲା? କିଛି ବର୍ଷ ପୂର୍ବେ ଚାଷୀମାନଙ୍କୁ ସରକାର ମୋବାଇଲ ଦେବା କଥା କହିଥିଲେ । ସେ ମୋବାଇଲ କେତେ ଜଣ ଚାଷୀ ପାଇଲେ ଏବଂ ତାର କ’ଣ ବ୍ୟବହାର ହୋଇଛି ? ଏବେ ବି ରାଜ୍ୟରେ ଲକ୍ଷ ଲକ୍ଷ ଚାଷୀଙ୍କ ପାଖରେ ମୋବାଇଲ ନାହିଁ । ମୋବାଇଲ ନଥିବା ଚାଷୀ କିପରି ସାମାଜିକ ଗଣମାଧ୍ୟମରେ ସୂଚନା ପାଉଛି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।

ରାଜ୍ୟରେ କୃଷି ବିଭାଗ ସଂପୂର୍ଣ୍ଣ ଭାବେ ନିଷ୍କ୍ରିୟ ହୋଇ ପଡିଛି । ରାଜ୍ୟରେ କୃଷି ବିଭାଗର ଦୁର୍ନୀତି ସମସ୍ତଙ୍କୁ ଜଣା । ଚାଷୀଙ୍କ ପାଖରେ ଠିକ୍ ସମୟରେ ବିହନ, ସାର ଓ କୀଟନାଶକ ପହଂଚି ପାରୁନଥିବା ସମୟରେ ରାଜ୍ୟସରକାର ଚାଷୀଙ୍କୁ ଆଗୁଆ ପାଣିପାଗ ଜଣାଇବା କଥା କହୁଛନ୍ତି । ଅନ୍ୟପଟେ ରାଜ୍ୟର ସମସ୍ତ ଏମ.ଆଇ ପଂଏଟ ଓ ଏଲ.ଆଇ ପଂଏଟ ଅଚଳ ହୋଇ ପଡିଛି । ସେ ସମ୍ବନ୍ଧରେ ରାଜ୍ୟସରକାର ଦୃଷ୍ଟି ଦେଉନାହାଁନ୍ତି । ସରକାରଙ୍କ ପାଖରେ ଚାଷୀଙ୍କ ତାଲିକା ନାହିଁ । ତାଲିକା ନଥିବା ଯୋଗୁଁ ରାଜ୍ୟସରକାର ପ୍ରଧାନମନ୍ତ୍ରୀ କିଷାନନିଧୀ ଯୋଜନାରେ ଓଡିଆ ଚାଷୀଙ୍କର ତାଲିକା କେନ୍ଦ୍ର ସରକାରଙ୍କୁ ଦେଉନାହାଁନ୍ତି । ଫଳରେ ଓଡିଆ ଚାଷୀ ନିଜ ଅଧିକାରୁ ବଂଚିତ ରହୁଛି ବୋଲି ଶ୍ରୀ ବିଶ୍ୱାଳ ଅଭିଯୋଗ କରିଛନ୍ତି । ରାଜ୍ୟସରକାର ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲିବା ପାଇଁ ଘୋଷଣା କରିଥିଲେ । କୁଆଡେ ଗଲା ଶୀତଳଭଣ୍ଡାର ?କାଳିଆ ଓ ପିଠା ଯୋଜନା କୁଆଡେ ଗଲା? ଦୀର୍ଘଦିନ ହେଲା ପଡିରହିଥିବା ଜଳସେଚନ ପ୍ରକଳ୍ପ ଗୁଡିକ ୨୧ ବର୍ଷ ଭିତରେ ହୋଇପାରିଲା ନାହିଁ କାହିଁକି? ଏହାର ଉତର ଚାଷୀମାନଙ୍କୁ ପ୍ରଥମେ କୃଷିମନ୍ତ୍ରୀ ଦିଅନ୍ତୁ ବୋଲି ଶ୍ରୀ ବିଶ୍ୱାଳ ଦାବି କରିଛନ୍ତି ।