ସ୍ୱାସ୍ଥ୍ୟ ସେବାର ବାସ୍ତବ ଚିତ୍ରକୁ ଲୁଚାଇବା ପାଇଁ ନୂଆ ନୂଆଭେଳିକି ଦେଖାଉଛନ୍ତି ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର: ଓଡିଶାର ସ୍ୱାସ୍ଥ୍ୟ ସେବାର ବାସ୍ତବ ଚିତ୍ରକୁ ଲୁଚାଇବା ପାଇଁ ରାଜ୍ୟ ସରକାର ନୂଆ ନୂଆ ଭେଳିକି ଦେଖାଉଛନ୍ତି ବୋଲି ମଙ୍ଗଳବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ଦଳୀୟ ମୁଖପାତ୍ର ଗୋଲକ ମହାପାତ୍ର । ଶ୍ରୀ ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି ଯେ ମୋ ସରକାର ଯୋଜନା ପୂର୍ବରୁ ଓଡିଶାରେ କେଉଁ ସରକାର ଥିଲା ? କାହାର ଭାବମୂର୍ତି ବୃଦ୍ଧି କରିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବଙ୍କ ଗସ୍ତ ପ୍ରଶ୍ନ ସୃଷ୍ଟି କରୁଛି । ୫ଟି ସଚିବଙ୍କ ମାରାଥନ ଗସ୍ତ ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ କି ସ୍ୱାସ୍ଥ୍ୟ ସଚିବ ନାହାନ୍ତି କାହିଁକି ? ଆୟୁଷ୍ମାନ ଭାରତ ଲାଗୁ କରିବାକୁ ରାଜ୍ୟ ସରକାରଙ୍କୁ ବାରମ୍ବାର କୁହାଯାଉଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । କାରଣ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଲାଗୁ କରାଯାଇଥିଲେ ରାଜ୍ୟ ଥିବା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ପଦାରେ ପଡିଥାନ୍ତା । ତେଣୁ ଭାବମୂର୍ତି ମଳିନ ନପଡିବା ପାଇଁ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ କରୁନାହାନ୍ତି । ରାଜ୍ୟରେ କେବଳ ଅମଲା ଶାସନ ଚାଲିଛି ଯାହା ପ୍ରମାଣିତ ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ରାଜ୍ୟରେ ଭୁବନେଶ୍ୱର ଓ ଭଦ୍ରକରେ ସ୍ୱାସ୍ଥ୍ୟ ସେବାରେ ବିକଳ ଚିତ୍ର ଦେଖାଯାଇଛି । ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ କାର୍ଯ୍ୟରେ ଅବହେଳା ପାଇଁ ସୁନ୍ଦରଗଡ ଏସଡିଏମଓଙ୍କୁ ନିଲମ୍ବନ କରାଯାଇଛି । ମାତ୍ର ସେହି ହସ୍ପିଟାଲରେ ମାତ୍ର ୬ ଜଣ ଲାବରୋଟୋରୀ ଟେକ୍ନିସିଆନ୍ଅ ଛନ୍ତି । ତେବେ ହସ୍ପିଟାଲକୁ ମାସରେ ୨୫ ହଜାର ଲୋକ ଆସୁଥିବା ବେଳେ ମାତ୍ର ୬ ଜଣ ଲାବରୋଟୋରୀଙ୍କ ଦ୍ୱାରା ସମସ୍ତଙ୍କ ପରୀକ୍ଷା ହେବା ପ୍ରଶ୍ନ ସୃଷ୍ଟି କରୁଛି । ବାସ୍ତବରେ ଲୋକଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା ନବଢାଇ ସସପେଣ୍ଡ କରାଯିବା କେତେଦୂର ଠିକ୍ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ପ୍ରଶ୍ନ କରିଛନ୍ତି ଶ୍ରୀ ମହାପାତ୍ର । ନୀତି ଆୟୋଗ ରିପୋର୍ଟ ଅନୁଯାୟୀ ଓଡିଶା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ତଳଆଡୁ ୩ ନମ୍ବରରେ ଅଛି । ୨୦ ବର୍ଷର ମୁଖ୍ୟମନ୍ତ୍ରୀଙ୍କ ଶାସନ ପରେ ୨୦୧୫-୧୬ ତୁଳନାରେ ୨୦୧୭-୧୮ରେ ଓଡିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ୩.୪୬ ପ୍ରତିଶତ ପଛେଇଛି । ଏହାର ପ୍ରମୁଖ କାରଣ ପୂର୍ବବର୍ଷ ଟିକାଦାନ ହାର ୮୫.୩ ଥିବାବେଳେ ଏହା ୫୯.୮ ପ୍ରତିଶତ ତଳକୁ ଖସିଆସିଛି । ଆନୁଷ୍ଠାନିକ ପ୍ରସବ ହାରରେ ରାଜ୍ୟ ଗତବର୍ଷ ତୁଳନାରେ ୭୩ ପଏଂଟରୁ ୭୦ ପଏଂଟକୁ ଖସିଆସିଛି । ଟିବି ନୋଟିଫିକେସନ ରେଟ୍ ପ୍ରତି ୧ ଲକ୍ଷ ଲୋକରେ ୧୫୯ରେ ପହଁଚିଛି । ଯାହା ପୂର୍ବରୁ ୯୯ ଥିଲା । ଟିବି ଟିକିତ୍ସା ସଫଳତା ରେଟ୍ ୭୨.୫ ପ୍ରତିଶତକୁ ଖସିଆସିଛି । ଯାହା ପୂର୍ବରୁ ୮୮.୯ ପ୍ରତିଶତ ଥିଲା । ପିଏଚସି ମାନଙ୍କରେ ମେଡିକାଲ ଅଫିସରଙ୍କ ଖାଲିପଦ ୩୧.୯ ପ୍ରତିଶତରେ ପହଁଚିଛି । ଯାହା ପୂର୍ବରୁ ୨୬.୯ ଥିଲା ।

ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ପେଶାଲିଷ୍ଟଙ୍କ ଖାଲି ପଦବୀ ୨୭.୪ ପ୍ରତିଶତରେ ପହଁଚିଛି ଯାହା ପୂର୍ବରୁ ୧୯ ପ୍ରତିଶତ ଥିଲା । ମ୍ୟାଲେରିଆ ମୃତ୍ୟୁ ହାରରେ ମଧ୍ୟ ଓଡିଶା ତୃତୀୟ ସ୍ଥାନରେ ରହିଛି । ଦିନରାତି୨୪ ଘଂଟିଆ କାମ କରୁଥିବା ପିଏଚସି ସଂଖ୍ୟା ୩୦ ପ୍ରତିଶତରୁ ୨୭ ପ୍ରତିଶତକୁ ଖସିଛି । ଜନ୍ମ ପଞ୍ଜିକରଣ ମଧ୍ୟ ହ୍ରାସ ପାଇଛି ବୋଲି ସେ କହିଛନ୍ତି । ସେହିପରି ଓଡିଶା ସରକାରଙ୍କ ଅର୍ଥନୈତିକ ଓ ସସର୍ଭେରୁ ଜଣାପଡିଛି ଯେ ଭାରତବର୍ଷରେ ୧ ଲକ୍ଷ ଲୋକରେ ୧୦.୬ ପ୍ରତିଶତ ଡାକ୍ତର ଥିବାବେଳେ ଓଡିଶାରେ ତାହା ପ୍ରାୟ ୮.୪ ପ୍ରତିଶତ । ସେହିପରି ଟିଏମଏସଟି ରିପୋର୍ଟରୁ ଜଣାପଡିଛି ଯେ ୮୦ ପ୍ରତିଶତ ଲୋକ ସରକାରୀ ମାଗଣା ଔଷଧ ନକିଣି ନିଜ ପକେଟରୁ ଖର୍ଚ୍ଚ କରି ଔଷଧ କିଣୁଛନ୍ତି । ଯାହା ସରକାରଙ୍କ ମାଗଣା ଔଷଧ ବଂଟନ ନିରାମୟ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛିା ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ବିଧାନସଭା ପ୍ରଦତ ତଥ୍ୟରୁ ଜଣାପଡିଛି ଯେ ରାଜ୍ୟରେ ୨୮୫୧ ଡାକ୍ତର ପଦବୀ ଖାଲି ପଡିଛି । ୧୧୨ ପିଏଚସିରେ ବିଜୁଳି ନାହିଁ । ୫୨୯୮ ଉପ ସ୍ୱାସ୍ଥ୍ୟ କେନ୍ଦ୍ରରୁ ୧୨୩୯ଟି ଉପକେନ୍ଦ୍ରର ନିଜସ୍ୱ ଘର ନାହିଁ । ୧୮ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ନାହିଁ । ୮୭ ପ୍ରତିଶତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ନାହାନ୍ତି । ୫୭ ପ୍ରତିଶତ ପିଏଚସିରେ ନିୟମିତ ଡାକ୍ତର ନାହାନ୍ତି । ୨୫ ପ୍ରତିଶତ ପିଏଚସିରେ ସ୍ୱାସ୍ଥ୍ୟ ସହାୟକ ପଦବୀ ଖାଲି ପଡିଛି । ଏଥିରୁ ଓଡିଶାର ବାସ୍ତବ ସ୍ୱାସ୍ଥ୍ୟ ଚିତ୍ର ସମ୍ପୂର୍ଣ୍ଣ ପ୍ରତିଫଳିତ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ସ୍ୱାସ୍ଥ୍ୟ ସେବାର ବାସ୍ତବ ଚିତ୍ରକୁ ଲୁଚାଇବା ପାଇଁ ନୂଆ ନୂଆ ନାଟକ କରୁଛନ୍ତି ବୋଲି ସେ କହିଛନ୍ତି ।