ଏଫପିଓ ଗଠନ ମାଧ୍ୟମରେ କୃଷକମାନେ ସାମଗ୍ରୀକ ଭାବେ ଅଧିକ ସୁଦୃଢ ହୋଇପାରିବେ : କୈଳାସ ଚୌଧୁରୀ

ଭିଡିଓ କନଫରେନ୍ସରେ କୃଷକ ଉତ୍ପାଦନ ସଂଘ କର୍ମଶାଳାକୁ ସମ୍ଭୋଧିତ କଲେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ

ଭୁବନେଶ୍ୱର: କୃଷକଉତ୍ପାଦକ ସଂଘ ହେଉଛି(ଏଫ.ପି.ଓ)ମୋଦି ସରକାରଙ୍କ କୃଷକ କଲ୍ୟାଣ ଯୋଜନାର ଏକ ଯୁଗାନ୍ତକାରୀ ତଥା ଲାଭଦାୟକ ସଂସ୍ଥାଭାବେ ପ୍ରତୀୟମାନ । ୨୦୨୨ ସୁଦ୍ଧା କୃଷକର ଆୟକୁ ଦ୍ୱିଗୁଣିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଯେଉଁ ଆହ୍ୱାନ ରହିଛି ତାହାର ଏକ ସ୍ୱତନ୍ତ୍ର ଲାଭକାରୀ ଦିଗ ହେଉଛି ଏଫ.ପି.ଓ ।

ଏହାଦ୍ୱାରା କୃଷକ,ଉତ୍ପାଦନକାରୀ ସଂଘ ଓ କୃଷି ବ୍ୟବସାୟୀଙ୍କ ମିଳିତ ଉଦ୍ୟମରେ ସରକାରଙ୍କ ପୋତ୍ସାହନରେ ଚାଷୀ ସ୍ୱାବଲମ୍ବୀ ହୋଇପାରିବ । ଏହା ସହ ଚାଷୀ ତାର ନିଜ ଉତ୍ପାଦନ ସାମଗ୍ରୀକୁ ସୁଲଭ ଉପାୟରେ ସହଜରେ ବିକ୍ରି କରିପାରିବ ଆତ୍ମନିର୍ଭର ହୋଇପାରିବ । କୃଷି ଭିତିଭୂମି ସୁଦୃଢ କରିବା କୃଷକକୁ ସର୍ବନିମ୍ନ ଲାଭପ୍ରଦ ମୂଲ୍ୟ ପ୍ରଦାନ କରିବାର ଗୁରୁଦାୟୀତ୍ୱ ବହନ କରିବ ଏଫ.ପି.ଓ । ନିଜ ନିଜ ଅଂଚଳରେ କୃଷକମାନଙ୍କୁ ସଙ୍ଗଠିତ କରି ଏକ ନିଦ୍ଦିଷ୍ଟ ଫସଲର ଉତ୍ପାଦନକାରୀଙ୍କୁ ନେଇ ନିଦ୍ଦିଷ୍ଟ ଉତ୍ପାଦନ ସଂଘ ଗଠନ କରାଯାଇ ପାରିବ ଏବଂ ଏହି ସଂସ୍ଥାକୁ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ । ଯଦ୍ୱାରା ଚାଷୀ ଏଥିରୁ ଲାଭ ଉଠାଇପାରିବା ସଙ୍ଗେ ସଙ୍ଗେ ନିଜେ ସକ୍ଷମ ଏବଂ ଆତ୍ମନିର୍ଭର ହୋଇପାରିବ । ଏଫପିଓ ଗଠନ ମାଧ୍ୟମରେ କୃଷକମାନେ ସାମଗ୍ରୀକ ଭାବେ ଅଧିକ ସୁଦୃଢ ହୋଇପାରିବେ ବୋଲି ଭିଡିଓ କନଫରେନ୍ସରେ କୃଷକ ଉତ୍ପାଦନ ସଂଘ କର୍ମଶାଳାକୁ ସମ୍ଭୋଧିତ କରି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଶ୍ରୀ କୈଳାସ ଚୌଧୁରୀ କହିଛନ୍ତି ।

ଏଫ.ପି.ଓ ଗଠନ ଦ୍ୱାରା ଚାଷୀମାନେ ଆର୍ଥୀକ ଲାଭ ଉଠାଇପାରିବେ । ପ୍ରଧାନମନ୍ତ୍ରୀଙ୍କ ନିଷ୍ପତି ଅନୁଯାୟୀ ଆଗାମୀ ୫ ବର୍ଷରେ ୧୦ ହଜାର ନୂତନ କୃଷକ ଉତ୍ପାଦନ ସଂଘ ଗଠନ କରାଯିବା ଏକ ଯୁଗାନ୍ତକାରୀ ନିଷ୍ପତି ବୋଲି ରାଜ୍ୟ କୃଷକମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି ।

ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ସର୍ବଦା କାର୍ଯ୍ୟ କରିଆସୁଛନ୍ତି । ଏଫ.ପି.ଓ ଗଠନ ଦ୍ୱାରା ଚାଷୀ ଅଧିକ ଆୟ କରିବା ଲାଗି ଋଣ ଓ ଉନ୍ନତ ବିପଣନ ସୁବିଧା, ଗୁଣବତାଯୁକ୍ତ ଉତ୍ପାଦ ଏବଂ ପ୍ରଯୁକ୍ତି ପାଇବାରେ ସଫଳ ହୋଇପାରିବେ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ଏହି ଭିଡିଓ କନଫରେନ୍ସ କର୍ମଶାଳାକୁ ରାଜ୍ୟ କୃଷକମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ଅଧ୍ୟକ୍ଷତା କରିଥିଲେ । କୃଷକ ମୋର୍ଚ୍ଚାର ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳଙ୍କ ସଂଚଳନାରେ ଆୟୋଜିତ ଉକ୍ତ କର୍ମଶାଳାରେ ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ ସ୍ୱାଗତ ଅଭିଭାଷଣ ରଖିଥିଲେ । ଏହି କର୍ମଶାଳାରେ କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସଂପାଦକ ପ୍ରଫେସର ଶମ୍ଭୁ କୁମାର ଓ ସୁଗୁଣାକାର ରାଓ, ରାଜ୍ୟ କୃଷକ ମୋର୍ଚ୍ଚାର ସମସ୍ତ ପଦାଧିକାରୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ବିଜେପି ନେତୃବୃନ୍ଦ, ରାଜ୍ୟର ଦୁଗ୍ଧ ଚାଷୀ, ପନିପରିବା ଚାଷୀ, ଗୋ ଚାଷୀ, କୁକୁଡା ଓ ପଶୁପାଳନ ଚାଷୀ, ଆଖୁ ଚାଷୀ, କୃଷି ସମବାୟବିତଙ୍କ ସମେତ ରାଜ୍ୟର ଶତାଧିକ ଚାଷୀ ଯୋଗ ଦେଇଥିଲେ ।