ପିଏମ କିଷାନ ଯୋଜନାର ଲାଭ ପାଇବାରୁ ଓଡିଶାର ଚାଷୀ ବଂଚିତ : ବିଜେପି କୃଷକ ମୋର୍ଚ୍ଚା

ଭୁବନେଶ୍ୱର: କୃଷକର ଆୟକୁ ୨୦୨୨ ମସିହା ସୁଦ୍ଧା ଦୁଇ ଗୁଣା କରିବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ବିଭିନ୍ନ କୃଷକ କଲ୍ୟାଣ ଯୋଜନାମାନ ଘୋଷଣା ଥିବାବେଳେ, ରାଜ୍ୟ ସରକାରଙ୍କର ଆନ୍ତରିକତା ଅଭାବ ଅର୍ଥବା ବ୍ୟର୍ଥତା କାରଣରୁ ଓଡିଶାର ଚାଷୀ ସେହିସବୁ ଯୋଜନାରୁ ବଂଚିତ ହେଉଛି । ପିଏମ କିଷାନ ଯୋଜନାରେ ବାର୍ଷିକ ୬୦୦୦ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧା ଆସୁଥିବାବେଳେ, ଓଡିଶା ସରକାର ପ୍ରକୃତ ଚାଷୀ ତାଲିକା କେନ୍ଦ୍ରକୁ ନଦେବା କାରଣରୁ ଲକ୍ଷ ଲକ୍ଷ ଓଡିଆ ଚାଷୀ ଉକ୍ତ ଯୋଜନାରେ ଲାଭ ପାଇବାରୁ ବଂଚିତ ହେଉଛନ୍ତି । ଏପରିକି କୋରୋନା ସମୟରେ ଯେଉଁ ଅଗ୍ରୀମ ୨ କୋଟି ଆସୁଥିଲା, ତାହା ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ପ୍ରଥମେ ଚାଷୀଙ୍କୁ ମଧ୍ୟ ମିଳିଲା ନାହିଁ ବୋଲି ବିଜେପି କୃଷକ ମୋର୍ଚ୍ଚାର ଏକ ବିଶେଷ ବୈଠକରେ ଉକ୍ତ ଅଭିଯୋଗ ଆଣିଛନ୍ତି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ । ନିର୍ବାଚନ ବୈତରଣୀ ପାର ହେବା ପାଇଁ “କାଳିଆ” ଯୋଜନାକୁ ଅସ୍ତ୍ରରୂପେ ବ୍ୟବହାର କରିଥିଲେ ଏବଂ ଆଜି କାଳିଆ ଦିଗହରା ହେଉଥିବାବେଳେ ପୁଣି ଚାଷୀକୂଳକୁ ଭଣ୍ଡାଇବା ପାଇଁ ‘ବଳିଆ’ ଯୋଜନା ଆଉ ଏକ ଭେଲିକି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି ।

ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ଉକ୍ତ ବୈଠକରେ କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ମହେଶ୍ୱର ସାହୁ, ରାଜ୍ୟ ସରକାର ଚାଷୀଙ୍କୁ ଯୋଗାଇଥିବା ବିହନ ସମ୍ପୁର୍ଣ୍ଣ ନିମ୍ନମାନର ଏବଂ ତାହା ପୁଣି ଗଜା ହେଉଛି ବୋଲି ଅଭିଯୋଗ କରିଛନ୍ତି । କୋଭିଡ୍‌ ଆଳରେ ରବି ଋତୁକୁ ସରକାର ଭୁଲିଗଲେ ଏବଂ ଖରିଫ୍ ଋତୁର କୈାଣସି ସରକାରୀ ସାହାର୍ଯ୍ୟ ଚାଷୀଙ୍କୁ ଅଦ୍ୟାବଧି ମିଳିଲା ନାହିଁ ବୋଲି ଶ୍ରୀ ସାହୁ ଅଭିଯୋଗ କରିଛନ୍ତି ।

ଉପରୋକ୍ତ ବିଫଳତାକୁ ନେଇ ଓଡିଶାର ପ୍ରତ୍ୟେକ ସଂସଦୀୟ କ୍ଷେତ୍ରରେ ଆସନ୍ତା ୩୧ ତାରିଖ ସୁଦ୍ଧା କୃଷକ ସମ୍ବାଦ ଭର୍ଚୁଆଲ୍‌ ରାଲି ମାଧ୍ୟମରେ ଚାଷୀମାନଙ୍କୁ ଅବଗତ ଏବଂ ସଚେତନ କରିବା ପାଇଁ କମିଟି ଗଠନ କରାଯାଇଛି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୁରଥ ବିଶ୍ୱାଳ ଉକ୍ତ ରାଲିକୁ ସଂଯୋଜନା କରିବେ । କୃଷକ ମୋର୍ଚ୍ଚାର ୨୧ ଜଣ ବରିଷ୍ଠ ପଦାଧିକାରୀଙ୍କୁ ୨୧ଟି ସଂସଦୀୟ କ୍ଷେତ୍ରରେ କୃଷକ ସମ୍ବାଦ ରାଲିକୁ ସଂଚାଳନା କରିବା ପାଇଁ ଆଜିର ବୈଠକରେ ଦାୟିତ୍ୱ ଅର୍ପଣ କରାଗଲା । ଉକ୍ତ ବୈଠକରେ ଶ୍ରୀ ରାମଚନ୍ଦ୍ର ପାତ୍ର, ଶ୍ରୀ ରଂଜନ ମଙ୍ଗରାଜ, ବିପିନି ଦାସ, ବିଶ୍ୱଜିତ୍ ସ୍ୱାଇଁ, ଅଶୋକ ମହାନ୍ତି, ସରୋଜ ସାହୁ, ଦିଲ୍ଲୀପ ସ୍ୱାଇଁ, ପବିତ୍ର ଦାସ, ପ୍ରଦିପ ପତ୍ରୀ, କ୍ଷୀରୋଦ ଦଲାଇ, ଅଶୋକ ରଥ, ପ୍ରଦୀପ ମହାନ୍ତି, ତପନ ବେହେରା, ବିକ୍ରମ ରାଉତରାୟ ଓ ବିଜୟ ନାୟକ ପ୍ରମୁଖ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।