ନାଗରିକ ସଂଶୋଧନ ଆଇନ ଉପରେ ବିରୋଧୀ ମାନେ ଷଡଯନ୍ତ୍ର, ମିଥ୍ୟା ପ୍ରଚାର କରି ହିଂସା କରିବାକୁ ପ୍ରୟାସ କରୁଛନ୍ତି: ରାମ ମାଧବ

ନାଗରିକ ସଂଶୋଧନ ଆଇନ ଉପରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକଙ୍କର ସାମ୍ବାଦିକ ସମ୍ମିଳନି

ଭୁବନେଶ୍ୱର : ନାଗରିକ ସଂଶୋଧନ ଆଇନ ହେଉଛି ନାଗରିକତା ଦେବାର ଆଇନ । ଏହା କାହାର ନାଗରିକତା ନେବ ନାହିଁ । ଏହି ସଂଶୋଧନରେ କୌଣସି ବିବାଦ ନାହିଁ କି କାହାପ୍ରତି କିଛି ବାଛବିଚାର ନାହିଁ । ଏହାକୁ ବିରୋଧୀମାନେ ଜାଣିଶୁଣି ବିବାଦିତ କରିବା ପାଇଁ ଅପଚେଷ୍ଟା କରୁଛନ୍ତି । ଦେଶରେ ଶାନ୍ତି ଚାହୁଁନଥିବା ବିରୋଧୀ ଦଳମାନେ ଓ ସେମାନଙ୍କର ସମର୍ଥକମାନେ ହିଂସା କରିବା ପାଇଁ ଉସୁକାଉଛନ୍ତି । ବିରୋଧିମାନେ ବିନା କାରଣରେ ଏହି ସଂଶୋଧନ ଆଇନକୁ ବିରୋଧ କରିବା ପାଇଁ ବାହାରିଛନ୍ତି । ସେମାନଙ୍କର ଏହି ହିନ ପ୍ରୟାସ ପାଇଁ ଭାରତ ବିଦେଶରେ ବଦନାମ ହେଉଛି । ଶରଣାର୍ଥୀମାନଙ୍କୁ ନାଗରିକତା ଦେବାରେ ଭାରତର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଏହି ସଂଶୋଧନ ଆଇନ ପଡୋଶୀ ଦେଶରେ ଧାର୍ମୀକ ଆଧାରରେ ପ୍ରପିଡିତ ହୋଇ ଜିବନ ବଂଚାଇବା ପାଇଁ ଭାରତ ଆସି ଶରଣାର୍ଥୀ ଜୀବନ ବିତାଉଥିବା ଲକ୍ଷ ଲକ୍ଷ ଲୋକଙ୍କୁ ନୂଆ ଜିବନ ଦେଇଛି ବୋଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମମାଧବ ।
ଶ୍ରୀ ମାଧବ କହିଛନ୍ତି ଯେ ସାରା ଦେଶରେ ଏବେ ନାଗରିକତା ସଂଶୋଧନ ଆଇନ (ସିଏଏ) ପ୍ରସଙ୍ଗରେ ଆଲୋଚନା ଚାଲିଛି ଏବଂ ଏହି ଆଇନ ସମ୍ପର୍କରେ ଭୁଲ ଧାରଣାର ଶିକାର ଲୋକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କିଛି ରାଜନୈତିକ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧୀମାନେ ଏହାକୁ ଏକ ସୁଯୋଗ ବୋଲି ଗ୍ରହଣ କରିନେଇ ପରିସ୍ଥିତିକୁ ଆହୁରି ଉତେଜନାପୂର୍ଣ୍ଣ କରିଦେଇଛନ୍ତି । ତେଣୁ ଏହି ଆଇନର ବାସ୍ତବତା ସର୍ବସମ୍ମୁଖକୁ ଆଣିବା ଜରୁରି ହୋଇପଡିଛି । ଏଥିପାଇଁ ବିଜେପି ପକ୍ଷ୍ୟରୁ ସାରା ଦେଶରେ ଜନଜାଗରଣ କାର୍ଯ୍ୟକ୍ରମ କରିବା ସହିତ ବୁଦ୍ଧିଜିବିମାନଙ୍କ ସହିତ ସର୍ମ୍ପକ କରାଯାଉଛି ।

 ନାଗରିକ ସଂଶୋଧନ ଆଇନରେ କୌଣସି ବିବାଦ ନାହିଁ କି କାହାପ୍ରତି କିଛି ବାଛବିଚାର ନାହିଁ । ବିରୋଧୀମାନେ ଜାଣିଶୁଣି ବିବାଦିତ କରିବା ପାଇଁ ଅପଚେଷ୍ଟା   କରୁଛନ୍ତି
 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଐତିହାସିକ ଦ୍ୱିତୀୟବାର ନିର୍ବାଚନ ବିଜୟ, ତିନି ତଲାକ ବିଲ୍‌, ଅଯୋଧ୍ୟା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ, ସମ୍ବିଧାନର ଧାରା ୩୭୦ର ଉଚ୍ଛେଦ- ଏସବୁ ଘଟଣାରେ ବିରୋଧୀଦଳ ମାନେ କିଛି କରିନପାରି ହତୋତ୍ସାହିତ ହୋଇପଡିଛନ୍ତି
 ଭାରତ କେବେହେଲେ ଏଭଳି ନୈରାଶ୍ୟବାଦ ଓ ନକାରାତ୍ମକ ରାଜନୀତିକୁ ଗ୍ରହଣ କରିବ ନାହିଁ

ଆଜି ଯେପରି କିଛି ତତ୍ୱ ଜାଣିଶୁଣି ହିଂସାକୁ ଉସୁକାଉଛନ୍ତି ସେମାନଙ୍କ ବାସ୍ତବ ଉଦ୍ଦେଶ୍ୟ ଖୁବଶୀଘ୍ର ସାମ୍ନାକୁ ଆସିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଐତିହାସିକ ଦ୍ୱିତୀୟବାର ନିର୍ବାଚନ ବିଜୟ, ତିନି ତଲାକ ବିଲ୍‌, ଅଯୋଧ୍ୟା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ, ସମ୍ବିଧାନର ଧାରା ୩୭୦ର ଉଚ୍ଛେଦ- ଏସବୁ ଘଟଣାରେ ସମ୍ଭବତଃ ବିରୋଧୀଦଳ ମାନେ କିଛି କରିନପାରି ହତୋତ୍ସାହିତ ହୋଇପଡିଛନ୍ତି । ଏବେ ସେମାନେ ପାଣିକୁ ଗୋଳିଆ କରିବାର ଏକ ସୁଯୋଗ ପାଇଥିବା ଭଳି ମନେ କରୁଛନ୍ତି । କିନ୍ତୁ ଭାରତ କେବେହେଲେ ଏଭଳି ନୈରାଶ୍ୟବାଦ ଓ ନକାରାତ୍ମକ ରାଜନୀତିକୁ ଗ୍ରହଣ କରିବ ନାହିଁ ବୋଲି ଶ୍ରୀ ମାଧବ କହିଛନ୍ତି ।
ନାଗରିକ ସଂଶୋଧନ ଆଇନ ଆଣି ବିଶ୍ୱ ଦରବାରରେ ପାକିସ୍ତାନରେ ଅଣମୁସଲମାନମମାନଙ୍କ ଉପରେ ହେଉଥିବା ଆକ୍ରମଣର କଥା ସାରା ବିଶ୍ୱକୁ କହିବାର ସୁଯୋଗ ଥିଲା । କିନ୍ତୁ ବିରୋଧୀଙ୍କ ଚକ୍ରାନ୍ତ ପାଇଁ ସେ ସୁଯୋଗ ଆମେ ହରାଇଲୁ । ପାକିସ୍ତାନକୁ ସୁହାଇଲା ଭଳି କଥା ବିରୋଧୀମାନେ ଏବେ ଦେଶରେ କରୁଛନ୍ତି । ପାକିସ୍ତାନ ମୁଖା ଖୋଲିଦେଲେ ବିରୋଧୀଙ୍କୁ କାହିଁକି କଷ୍ଟ ଲାଗୁଛି ବୋଲି ରାମ ମାଧବ କହିଛନ୍ତି ।
ସିଏଏ ନାଁରେ ମିଥ୍ୟା ଅପପ୍ରଚାର କରାଯାଉଛି । ଭାରତୀୟ ମୁସଲମାନଙ୍କ ସହ ସିଏଏ, ଏନ୍‌ଆର୍‌ସିର କୌଣସି ସମ୍ପର୍କ ନାହିଁ । କେବଳ ପାକିସ୍ତାନୀ, ବଙ୍ଗଳାଦେଶ, ଆଫଗାନିସ୍ତାନର ଅଣହିନ୍ଦୁ ମାନଙ୍କ ପାଇଁ ଏହା ହୋଇଛି । ସେମାନଙ୍କୁ ନାଗରିକତା ଦେବା ପାଇଁ ଏହି ସଂଶୋଧନ ହେଉଛି ମହାତ୍ମା ଗାନ୍ଧିଙ୍କ ଚିନ୍ତାଧାରାର ଅନୁରୂପ ବୋଲି ରାମ ମାଧବ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ନୟନ କିଶୋର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।