ଗୋଡ଼ସେ ବୟାନ: କ୍ଷମା ମାଗିଲେ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ: ଲୋକସଭାରେ ନାଥୁରାମ ଗୋଡ଼ସେଙ୍କୁ ଦେଶଭକ୍ତ କହି ହରଡ଼ଘଣାରେ ପଡ଼ିଥିବା ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ପୁନର୍ବାର କ୍ଷମା ପ୍ରାର୍ଥନା କରିଛନ୍ତି। ଏଥର ସେ ଗୋଟିଏ ବାକ୍ୟରେ କହିଛନ୍ତି ଯେ, ନଭେମ୍ବର ୨୭ରେ ସେ ଦେଇଥିବା ଟିପ୍ପଣୀ ନେଇ ଦୁଃଖିତ ଏବଂ ଗୃହରେ କ୍ଷମା ଚାହୁଁଛନ୍ତି। ପ୍ରଜ୍ଞା ଦ୍ଵିତୀୟ ଥର କ୍ଷମା ମାଗିବାକୁ ଛିଡ଼ା ହେବା ସମୟରେ ସେ ନିଜର ପୁରୁଣା ଆଭିମୁଖ୍ୟରେ କାଏମ ରହିଥିଲେ। ପ୍ରଜ୍ଞା ନିଜ ବୟାନରେ କହିଛନ୍ତି ଯେ, ମୁଁ ଶତ୍ରୁଙ୍କ ଲାଗି ବହୁତ ଅତ୍ୟାଚାର ସହ୍ୟ କରିଛି। ଏହା ଉପରେ ବାଚସ୍ପତି ତାଙ୍କୁ ଅଟକାଇ କେବଳ କ୍ଷମା ମାଗିବାକୁ ଉଦ୍ଦିଷ୍ଟ ବୟାନ ପଢ଼ିବାକୁ କହିଥିଲେ। ପ୍ରଜ୍ଞା ଏହା ଉପରେ ବିରୋଧ କରି କହିଥିଲେ ଯେ, ମୋତେ ନିଜର କଥା କହିବାକୁ ଦିଅନ୍ତୁ। ମୋର ପୁରୁଣା କଥା ଅଧୁରା ରହିଛି। ମାତ୍ର ବାଚସ୍ପତି ତାଙ୍କୁ ଅନୁମତି ନଦେବାରୁ ସେ ସିଧାସଳଖ ଗୃହରେ ଗୋଡ଼ସେ ସମ୍ବନ୍ଧିତ ବୟାନ ଉପରେ କ୍ଷମା ମାଗିଥିଲେ। 

ପ୍ରଜ୍ଞା ଦ୍ଵିତୀୟ ଥର କ୍ଷମା ପ୍ରାର୍ଥନା ବେଳେ କହିଛନ୍ତି ଯେ, ମୁଁ ନଭେମ୍ବର ୨୭ରେ ଏସପିଜି ବିଲ୍ ଆଲୋଚନା ସମୟରେ ନାଥୁରାମ ଗୋଡ଼ସେଙ୍କୁ ଦେଶଭକ୍ତ କହିନଥିଲି।  ନାମ ମଧ୍ୟ ନେଇନଥିଲି, ତଥାପି ଏଥିରେ ଯାହାଙ୍କ ଭାବନା ପ୍ରତି ଆଘାତ ଲାଗିଛି କ୍ଷମା ମାଗୁଛି। ପ୍ରଜ୍ଞା ଦ୍ଵିତୀୟ ଥର କ୍ଷମା  ମାଗିବା ପରେ ଲୋକସଭାରେ କାମ ସୂଚାରୁରୂପେ ଆରମ୍ଭ ହୋଇଥିଲା।

ପ୍ରଥମ କ୍ଷମା ପ୍ରାର୍ଥନାରେ ସେ କହିଥିଲେ ଯେ, ଗତ ଘଟଣାକ୍ରମରେ ସର୍ବ ପ୍ରଥମେ ମୁଁ ଗୃହରେ ମୋ ଦ୍ଵାରା ଦିଆଯାଇଥିବା ବୟାନରେ ଯଦି କାହାକୁ ଆଘାତ ଲାଗିଛି ତେବେ ମୁଁ ଦୁଃଖ ପ୍ରକଟ୍ କରି କ୍ଷମା ମାଗୁଛି। କିନ୍ତୁ ମୋର ବୟାନକୁ ଅତି ରଞ୍ଜିତ କରି ଭୁଲ ଭାବେ ଉପସ୍ଥାପନ କରାଯାଇଛି। ମୋର ବୟାନ ଅନ୍ୟ ସଂଦର୍ଭରେ ଥିଲା, କିନ୍ତୁ ଏହାକୁ ଭୁଲ ଢଙ୍ଗରେ ଦର୍ଶାଗଲା, ଯାହା ବହୁତ ନିନ୍ଦନୀୟ।

ପ୍ରଜ୍ଞାଙ୍କ ଏହି ପରି କ୍ଷମା ମାଗିବା ଶୈଳୀରେ ବିରୋଧୀ ସନ୍ତୁଷ୍ଟ ନହୋଇ ସ୍ପଷ୍ଟ ଶବ୍ଦରେ କ୍ଷମା ମାଗିବା ଦାବି କରି ଗୃହରେ ହଟ୍ଟଗୋଳ ଆରମ୍ଭ କରିଥିଲେ। ଗୃହ ଅଚଳ ହୋଇ ପଡ଼ିବାରୁ ବାଚସ୍ପତି ଓମ ବିର୍ଲା ଗୃହ ମୁଲତବି ଘୋଷଣା କରିଥିଲେ ଏବଂ ଆଲୋଚନା ଲାଗି ସର୍ବଦଳୀୟ ବୈଠକ ଡକାଇଥିଲେ।  ବୈଠକରେ ସ୍ଥିର ହେଲା ଯେ ବିଜେପି ସାଂସଦ ପ୍ରଜ୍ଞା ଠାକୁର ଗୃହରେ ପୁନର୍ବାର କ୍ଷମା ମାଗିବେ। ଅପରାହ୍ନ ୩ଟାରେ ଯେବେ ଗୃହକାର୍ୟ୍ୟି ଆରମ୍ଭ ହେଲା ନିର୍ଦ୍ଦେଶ ମୁତାବକ ପ୍ରଜ୍ଞା ଠାକୁର ପୁନର୍ବାର କ୍ଷମା ମାଗିଥିଲେ।