ନୂଆଦିଲ୍ଲୀ: ଦିଲ୍ଲୀର ୭୦ଟି ବିଧାନସଭା ପାଇଁ ଆରମ୍ଭ ହୋଇଯାଇଛି ମତଦାନ ପ୍ରକ୍ରିୟା । ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ରାଜ୍ୟର ବରିଷ୍ଠ ନେତାମାନେ ବିଭିନ୍ନ ବୁଥରେ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି । ଏହି କ୍ରମରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର । ଦିଲ୍ଲୀର ତୁଗଲକ କ୍ରେସେଂଟସ୍ଥିତ ଏନଡିଏମସି ବିଦ୍ୟାଳୟରେ ସ୍ଥାପିତ ବୁଥରେ ଭୋଟ ଦେଇଛନ୍ତି ସେ।
ତେବେ ମତଦାନ ଦେବାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜୟଶଙ୍କର କହିଛନ୍ତି, ‘ଭୋଟ ଦେବା ଦେଶର ପ୍ରତିଟି ନାଗରିକଙ୍କର କର୍ତ୍ତବ୍ୟ ଅଟେ । ସେମାନେ ନିଜ କର୍ତବ୍ୟକୁ ନିଷ୍ଠାର ସହ ପାଳନ କରି ଗଣତନ୍ତ୍ରର ମହାପର୍ବରେ ଯୋଗ ଦେବା ଉଚିତ ।’ ସେହିପରି ବିଜେପି ସାଂସଦ ପରବେଶ ବର୍ମା ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ଦିଲ୍ଲୀର ମତିଆଲା ବିଧାନସଭା କ୍ଷେତ୍ରର ଏକ ବୁଥରେ ଭୋଟ ଦେଇଛନ୍ତି ।
ସେହିପରି କେନ୍ଦ୍ରମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ମଧ୍ୟ ପୂର୍ବଦିଲ୍ଲୀର କୃଷ୍ଣାନଗରରେ ମତଦାନ କରିଛନ୍ତି । ଦିଲ୍ଲୀ କୃଷ୍ଣା ବିଧାନସଭା ଅଚଂଳର ବିଜେପି ପ୍ରାର୍ଥୀ ଅନିଲ ଗୋୟଲ ନିଜ ପୁଅ ସହ ମତାଧିକାର ସାବ୍ୟସ୍ତ କରିଛନ୍ତି ।
ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବାଇଜାଲ ମଧ୍ୟ ନିଜ ଧର୍ମପତ୍ନୀଙ୍କ ସହ ଗ୍ରେଟର କୌଲାଶର ଏକ ପୋଲିଂ ବୁଥରେ ଭୋଟ ଦେଇଛନ୍ତି । ପୂର୍ବତନ ଉପରାଷ୍ଟ୍ରପତି ହାମିଦ ଅନସାରି ଏବଂ ବରିଷ୍ଠ ଆରଏସଏସ ନେତା ରାମ ଲାଲ ନୂଆଦିଲ୍ଲୀ ବିଧାନସଭା କ୍ଷେତ୍ରର ଏକ ପୋଲିଂ ବୁଥରେ ମତଦାନ କରିଛନ୍ତି । ସେପଟେ କଂଗ୍ରେସ ପାର୍ଥୀ ଆଲକା ଲାମ୍ବା ଟାଗୋର ଗାର୍ଡେନ ଏକ୍ସଟେନସନରେ ମତଦାନ କରିଛନ୍ତି ।
ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିବାଲ ମଧ୍ୟ ମତଦାନ କେନ୍ଦ୍ର ପହଂଚି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ।