ଦଳ ଛାଡିବେ ଦିଲ୍ଲୀପ , ବିଜେପି ବିଧାୟକ ପଦରୁ ଦେବେ ଇସ୍ତଫା !

ଭୁବନେଶ୍ୱର : ଚଳିତ ମାସ ଶେଷ ସୁଦ୍ଧା ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି ରାଉରକେଲା ବିଜେପି ବିଧାୟକ ଦିଲ୍ଲୀପ ରାୟ । ଏନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏଭଳି କିଛି ନିଷ୍ପତ୍ତି ନେବେ ବୋଲି ଇଙ୍ଗିତ କରି କହିଛନ୍ତି । ଆଗାମୀ ୫ ଦିନ ମଧ୍ୟରେ ବିଜେପି ବରିଷ୍ଠ ବିଧାୟକ ଏକ ଚରମ ନିଷ୍ପତ୍ତି ନେଇ ବୋଲି ସଙ୍କେତ ଦେଇଛନ୍ତି ।

ରାଉରକେଲା ବାସୀଙ୍କ ସ୍ୱାର୍ଥ ପାଇଁ ଉଠାଇଥିବା ବିଭିନ୍ନ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ଓ ଦଳର ନେତୃତ୍ୱଙ୍କ ଉପରେ ବିଶ୍ୱାସ ହରାଇଥିବାରୁ ଖୁବ ଶୀଘ୍ର ବିଧାୟକ ପଦରୁ ଇସ୍ତଫା ଦେବା ନେଇ ସଙ୍କେତ ଦେଇଛନ୍ତି । ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ବିଧାୟକଭାବେ ନିଜ ଅଞ୍ଚଳରବାସୀଙ୍କ ପାଇଁ ରଖିଥିବା ଦାବିକୁ ଦଳ ପକ୍ଷରୁ ଅଣଦେଖା କରାଯାଇଛି । ଦ୍ୱିତୀୟ ବ୍ରହ୍ମଣୀ ସେତୁ ନିର୍ମାଣ ଓ ଆଇଜିଏଚ୍କୁ ସୁପର ସ୍ପେସିଆଲିଟି ହସ୍ପିଟାଲ କରିବା ପାଇଁ ସେ ପ୍ରଥମରୁ ଦାବି କରିଆସିଛନ୍ତି ।

ଏ ପ୍ରସଙ୍ଗକୁ ନେଇ କେନ୍ଦ୍ରୀୟ ନେତୃତ୍ୱଙ୍କୁ ମଧ୍ୟ ଜଣାଇଛନ୍ତି, ହେଲେ ଦଳର ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଉଦ୍ୟମରେ ଏହି କାମ ହୋଇପାରୁ ନାହିଁ ବୋଲି ପରୋକ୍ଷରେ ଦିଲ୍ଲୀପ କହିଛନ୍ତି । ଏପରିକି ସେ ପ୍ରଭାବଶାଳୀ ବ୍ୟକ୍ତି ଜଣକ ଚାହୁଁଛନ୍ତି ଯେ, ରାଉରକେଲା ଓ ସୁନ୍ଦରଗଡରେ ବିଜେପି ପୂର୍ବ ନିର୍ବାଚନରେ ଯେଉଁଭଳି ଭଲ ପ୍ରଦର୍ଶନ କରିଥିଲା ଆଉ ସେପରି ନକରୁ ବୋଲି ଚର୍ଚ୍ଚା ହେଉଛି । ତେଣୁ ଯଦି ମୁଁ ସାଇଡ ହେଇଗଲେ କାମ ଆରମ୍ଭ ହୋଇପାରିବ ତାହେଲେ ମୁ ସବୁଠାରୁ ଅଧିକ ଖୁସିହେବି ବୋଲି ସେ ଉକ୍ତ ସାକ୍ଷାତକାରରେ କହିଛନ୍ତି । ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, ଆଗାମୀ ୧ ତାରିଖରୁ ଦିଲ୍ଲୀପ ଆମେରିକା ଗସ୍ତରେ ଯାଉଛନ୍ତି ।

ତେଣୁ ଏହା ପୂର୍ବରୁ ଏକ ବଡ ନିଷ୍ପତ୍ତି ନେବେ ବୋଲି ଚର୍ଚ୍ଚା ହେଉଛି । ତେବେ ଜନତା ଦଳ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଖାସ୍ ଅନୁଗତ ଭାବେ ପରିଚିତ ଦିଲ୍ଲୀପ ବିଜେଡିରେ ଯୋଗଦେବେ ବୋଲି ଆଲୋଚନା ହେଉଛି । ଯେହେତୁ ବିଜେଡିର ସେ ଜଣେ ପ୍ରତିଷ୍ଠାତା ସଦସ୍ୟ ଏବଂ ପଶ୍ଚିମ ଓଡିଶାରେ ଦିଲ୍ଲୀପଙ୍କର ପ୍ରଭାବ ରହିଛି, ତେଣୁ ତାଙ୍କୁ ଦଳକୁ ଫେରାଇ ଆଣିଲେ ବିଜେଡି ଲାଭବାନ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପୋଷଣ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ଦିଲ୍ଲୀପ ବିଜେପି ଛାଡି ବିଜେଡିରେ ଯୋଗଦେବା ନେଇ ବହୁବାର ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ଚର୍ଚ୍ଚା ହୋଇଆସୁଛି । ତେବେ ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବାରୁ ଠିକ୍ ସମୟରେ ବିଜେଡିରେ ମିଶି ଦିଲ୍ଲୀପ ନିଜର ସ୍ଥିତିକୁ ଜାହିର କରିବାର ଏହା ସୁବର୍ଣ୍ଣ ସୁଯୋଗ ବୋଲି ଆଲୋଚନା ହେଉଛି ।