ମହାଗଠବନ୍ଧନ ପ୍ରହେଳିକା, ୨୦୧୯ରେ ବିଜେପି ଜିତିବ: ଅମିତ ଶାହ

ମୁମ୍ବାଇ : ବିରୋଧୀଙ୍କ ମହାଗଠବନ୍ଧନକୁ ଗୋଟିଏ ପ୍ରହେଳିକା କହି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ୨୦୧୯ ଲୋକସଭା ନିର୍ବାଚନରେ ତାଙ୍କ ଦଳ ପୁଣି କ୍ଷମତାକୁ ଫେରିବ ବୋଲି ଦୃଢ଼ ଆଶା ପ୍ରକାଶ କରିଛନ୍ତି । ବୁଧବାର ମୁମ୍ବାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶାହ କହିଛନ୍ତି ଯେ ଶିବସେନା-ବିଜେପି ଲୋକସଭା ନିର୍ବାଚନ ଲଢ଼ିବେ । ବିଜେପିକୁ କ୍ଷମତାଚ୍ୟୁତ କରିବାକୁ କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀଙ୍କ ମହାଗଠବନ୍ଧନ ଗୋଟିଏ ଭ୍ରାନ୍ତି ଛଡ଼ା କିଛି ନୁହେଁ । ଦେଶରେ କୌଣସି ସ୍ଥାନରେ ମହାଗଠବନ୍ଧନର ଲେଶ ମାତ୍ର ଚିହ୍ନବର୍ଣ୍ଣ ନାହିଁ । ୨୦୧୪ରେ ବିଜେପି ସେମାନଙ୍କ ସହ ଲଢ଼ି ସରକାର ଗଠନ କରିଛି । ମହାଗଠବନ୍ଧନରେ ଯୋଗ ଦେବାକୁ ଯାଉଥିବା ଦଳଗୁଡ଼ିକୁ ଆଞ୍ଚଳିକ ଦଳ ବିବେଚନା କରି ଅମିତ କହିଥିଲେ ଯେ ସେଗୁଡ଼ିକ ପରସ୍ପରକୁ ସାହାଯ୍ୟ କରିପାରିବେନି ।

୨୦୧୯ରେ ବିଜେପି ପଶ୍ଚିମବଙ୍ଗ, ଉତ୍ତର-ପୂର୍ବ ଓ ଓଡ଼ିଶାରେ ଜିତିବ । ଏନ୍ଡିଏର ସଫଳତା ବିଷୟରେ ବର୍ଣ୍ଣନା କରି ଅମିତ କହିଥିଲେ ଯେ ଗତ ୫ ବର୍ଷରେ ମୋଦୀ ସରକାର ଜାତୀୟ ନିରାପତ୍ତାକୁ ସୁଦୃଢ଼ କରିବା ସହ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ନିୟନ୍ତ୍ରଣ କରିପାରିଛନ୍ତି । ଦେଶରେ ୮ କୋଟି ଶୌଚାଳୟ ଓ ୨.୫ କୋଟି ଘରକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି । ଅମିତଙ୍କ ମତରେ ଦେଶ ପାଇଁ ଶକ୍ତିଶାଳୀ ସରକାରର ଆବଶ୍ୟକତା ଅଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ନିର୍ବାଚନରେ ବିଜେପିକୁ ସଫଳତା ମିଳିନି ସତ; କିନ୍ତୁ ସେଗୁଡ଼ିକର ଫଳାଫଳ ସହ ୨୦୧୯ ଲୋକସଭା ନିର୍ବାଚନକୁ ଯୋଡ଼ିବା ଉଚିତ୍ ହେବନି ବୋଲି ଅମିତ ସଫେଇ ଦେଇଛନ୍ତି । ତାଙ୍କ ମତରେ ରାଜ୍ୟ ବିଧାନସଭା ନିର୍ବାଚନ ସହ ଲୋକସଭା ନିର୍ବାଚନକୁ ତୁଳନା କରିବା ଯୁକ୍ତିଯୁକ୍ତ ନୁହେଁ । ଦୁଇଟି ଯାକ ନିର୍ବାଚନରେ ସମାନ ପ୍ରସଙ୍ଗ ନଥାଏ । ସେ ବୁଝାଇ ଦେଇଥିଲେ ଯେ ଲୋକଙ୍କ ପାଇଁ କାମ କରିବା ସେମାନଙ୍କର କର୍ତ୍ତବ୍ୟ । ନିର୍ବାଚନର ଫଳାଫଳ ସେମାନଙ୍କ ବିରୋଧରେ ଗଲେ ମଧ୍ୟ ତାହାକୁ ଗ୍ରହଣ କରିବେ । ୨୦୧୪ରେ ବିଜେପି ୬ଟି ରାଜ୍ୟରେ କ୍ଷମତାରେ ଥିଲା । ଏବେ ୧୬ଟି ରାଜ୍ୟରେ କ୍ଷମତାସୀନ ଅଛି । ସେହି ଦୃଷ୍ଟିରୁ ଦେଖିଲେ ୨୦୧୯ରେ ବିଜେପି ଜିତିବ ।

ଜାନୁଆରୀ ୮ରେ ଚାଷୀ ମେଳି କରି ସଚିବାଳୟ ଓ ନବୀନ ନିବାସ ଘେରିବ ବିଜେପି କୃଷକ ମୋର୍ଚ୍ଚା