ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଇସ୍ତାହାର ଜାରି କଲା ବିଜେପି, ସରକାରୀ ଚାକିରିରେ ମହିଳାଙ୍କ ପାଇଁ ରହିବ ୩୩ପ୍ରତିଶତ ସଂରକ୍ଷଣ

କେବଳ ଘୋଷଣା ନୁହେଁ ଏହା ଆମ ସଂକଳ୍ପ। ଆମେ ବେଙ୍ଗଲକୁ ସୁନାର ବେଙ୍ଗଲ କରିବୁ : ଅମିତ ଶାହା

କୋଲକାତା : ବିଧାନସଭା ନିର୍ବାଚନ ପାଇଁ ବେଙ୍ଗଲ ରାଜନୀତି ସରଗରମ। ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରତ୍ୟେକ ଦଳ ନିଜ ନିଜର ଇସ୍ତାହାର ପ୍ରକାଶ କରୁଛନ୍ତି। ଟିଏମସି ନିଜର ଘୋଷଣା ପତ୍ର ଉନ୍ମୋଚନ କରିସାରିଥିବା ବେଳେ ରବିବାର ବିଜେପିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ଗୃହମନ୍ତ୍ରୀ ଅମିତ ଶାହା ଇସ୍ତାହାର ପ୍ରକାଶ କରିଛନ୍ତି। ମେନିଫେଷ୍ଟୋ ମାଧ୍ୟମରେ ବେଙ୍ଗଲ ପାଇଁ ବିଜେପିର ଲକ୍ଷ୍ୟ ସମ୍ପର୍କରେ ଶାହା କହିଛନ୍ତି।

ସୁନାର ବଙ୍ଗଳା କରିବାକୁ ପ୍ରସ୍ତୁତ ହୋଇଥିବା ରୋଡ୍‌ ମ୍ୟାପ୍‌ ପଶ୍ଚିମବଙ୍ଗବାସୀଙ୍କୁ ବୁଝାଇଛନ୍ତି ଅମିତ ଶାହା। ବିଜେପିର ଘୋଷଣାପତ୍ର ସମସ୍ତ ୨୯୪ ବିଧାନସଭା କ୍ଷେତ୍ରର ଜନତାଙ୍କ ପରମାର୍ଶ କ୍ରମେ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ଇସ୍ତାହାର ପ୍ରକାଶ ସମୟରେ ଶାହା କହିଛନ୍ତି, ବିଜେପି ପଶ୍ଚିମବଙ୍ଗ ଲୋକଙ୍କ ଇଚ୍ଛା ପୂରଣ କରିବ। ଆମେ ଏହି ସଂକଳ୍ପ ନେଇଛୁ । ଏହା କେବଳ ଘୋଷଣା ନୁହେଁ ଏହା ଆମ ସଂକଳ୍ପ। ଆମେ ବେଙ୍ଗଲକୁ ସୁନାର ବେଙ୍ଗଲ କରିବୁ। ଏହା କୌଣସି କଳ୍ପନା ନୁହେଁ ବରଂ ସଂକଳ୍ପ ପତ୍ରକୁ ପ୍ରାଥମିକତା ଦେଇଛୁ ବୋଲି ଶାହା କହିଛନ୍ତି ।
ଅମିତ ଶାହା ଆହୁରି ମଧ୍ୟ କହିଛନ୍ତି, ପଶ୍ଚିମବଙ୍ଗରେ ବିଜେପି ସରକାର କରିବା ପରେ ସମସ୍ତ ସରକାରୀ ଚାକିରୀରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ। ପିଏମ ସମ୍ମାନ ନିଧି ଯୋଜନାର ଲାଭ ମିଳିବ। ୭୫ ଲକ୍ଷ କୃଷକଙ୍କୁ ୧୮ ହଜାର ଟଙ୍କା ଲେଖାଏଁ ୩ ବର୍ଷ ହେଲା ଦିଦି ଦେଇନଥିଲେ। ତାହା ସିଧା କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ଆମେ ସ୍ଥିର କରିଛୁ ବ୍ୟକ୍ତି କଣ ପକ୍ଷୀଟିଏ ବି ରାଜ୍ୟର ସୀମା ଭିତରକୁ ଅନୁପ୍ରବେଶ କରିପାରିବନାହିଁ। ସୀମା ସୁରକ୍ଷା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବୁ ବୋଲି ମଧ୍ୟ ସେ କହିଛନ୍ତି।

bjp manifesto for westbengal election