ନିର୍ବାଚନ ଆସିବାରୁ ବିଜେପି ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ପାଣ୍ଡିଆନ

ଆଠଗଡ ତିଗିରିଆରେ କାର୍ତ୍ତିକ ପାଣ୍ଡିଆନଙ୍କର ପ୍ରଚାର

ଭୁବନେଶ୍ୱର(ବ୍ୟୁରୋ): ଆଠଗଡ ତିଗିରିଆରେ କାର୍ତ୍ତିକ ପାଣ୍ଡିଆନଙ୍କର ଜୋରଦାର ପ୍ରଚାର ହୋଇଛି। ତେବେ ବିଜେଡି ନେତା ପାଣ୍ଡିଆନଙ୍କୁ ସ୍ବାଗତ କଲା ବିରାଟ ଜନସମୁଦ୍ର । ପାଣ୍ଡିଆନ ଜନସଭାକୁ ଉଦବୋଧନ ଦେଇ କହିଛନ୍ତି ଯେ, ବିଜେପିର ନେତାମାନେ ଆସିବେ, ମିଠା କଥା କହିବେ, ବଡ ବଡ ସ୍ବପ୍ନ ଦେଖାଇବେ। ସମସ୍ତଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ, ମିଳିଲା କି ? ୨ କୋଟି ଚାକିରୀ ଦେବେ ବୋଲି କହିଥିଲେ, ମିଳିଲା କି? LPG ଦର, ପେଟ୍ରୋଲ ଦର, ଡିଜେଲ ଦର ଆକାଶ ଛୁଆଁ, ଦର କମିଲା କି ?  ଏବେ ନିର୍ବାଚନ ଆସିବାରୁ, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।

ନବୀନ ବାବୁଙ୍କ ବିଜୁଳି ଛାଡ କଥା ଶୁଣି, ସେମାନଙ୍କୁ କରେଣ୍ଟ ଲାଗିଛି ।୫୦ ହଜାର ଟଙ୍କା ନେଇ ସୂର୍ଯ୍ୟକିରଣରୁ ମାଗଣା ବିଜୁଳି ଦେବେ ବୋଲି ଦିନରେ ଲଣ୍ଠନ ଦେଖାଉଛନ୍ତି। ନବୀନ ବାବୁ ପ୍ରତିଶୃତି ଦିଅନ୍ତି ଓ ରଖନ୍ତି ମଧ୍ୟ। ଧବଳେଶ୍ବର ପୀଠର ବିକାଶ ପାଇଁ ୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି।ଆପଣଙ୍କ ନିର୍ବାଚନ ମଣ୍ଡଳୀରେ ପିଇବା ପାଣି ପାଇଁ ୩୦୦ କୋଟି ଟଙ୍କା ଦେଇଛନ୍ତି। କାଳିଆ ଯୋଜନାରେ ଆଠଗଡ ତିଗିରିଆର ୪୬ ହଜାର ଚାଷୀ ଉପକାର ପାଉଛନ୍ତି, ଚାଷୀ ପରିବାରର ପିଲାମାନେ ମଧ୍ୟ ଉଚ୍ଚ ଶିକ୍ଷା ପାଇଁ କାଳିଆ ଛାତ୍ରବୃତ୍ତି ପାଉଛନ୍ତି ।

ଚାଷୀଙ୍କ ପାଇଁ ବିନା ସୁଧରେ ୧.୫ ଲକ୍ଷ ଟଙ୍କା ଋଣ ଦିଆଯାଉଛି । ଚାଷୀ ପରିବାରର ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା ମଧ୍ୟ ଦିଆଯାଉଛିଚାଷୀ ମାନଙ୍କ ସମସ୍ୟା ସମାଧାନ, କାଳିଆ ଯୋଜନା ର କାର୍ଯ୍ୟକାରିତା ଓ ଜଳସେଚନ ବ୍ୟବସ୍ଥା ର ଉନ୍ନତି ଦିଗରେ ରାଜା ସ୍ୱାଇଁ ଙ୍କ ବିଶେଷ ଅବଦାନ ରହିଛି ।

ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦେଇ ବିଜୁ ଜନତା ଦଳର ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ୧ ଲକ୍ଷ ଭୋଟ ବ୍ୟବଧାନରେ ଜିତାଇବା ପାଇଁ ପାଣ୍ଡିଆନ ନିବେଦନ କରିଛନ୍ତି ।

ଏହି ଜନସଭାରେ ଭାବପ୍ରବଣ ହୋଇ ରାଜା ସ୍ବାଇଁ କହିଛନ୍ତି ଯେ, ଏହି ନିର୍ବାଚନ ସମ୍ଭବତଃ ମୋ ପାଇଁ ଶେଷ ନିର୍ବାଚନ ହୋଇପାରେ ।  ସେହିଭଳି ସତୃପ୍ତ ମିଶ୍ର କହିଛନ୍ତି ଯେ, ୨୦୨୪ର ନିର୍ବାଚନ ଯୁବ ସମାଜ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ।