ବିଜେପି ଛାଡିବେ ବିଜୟ-ଦିଲ୍ଲୀପ !

ଭୁବନେଶ୍ବର : ଦଳ ଛାଡିବେ ବିଜେପିର ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର । ବିଧାୟକ ପଦ ଛାଡିବା ନେଇ ବିଧାୟକ ଦିଲ୍ଲୀପ ରାୟ ଇସାରା ଦେବା ପରେ ସେଥିରେ ହଁ ମାରିଛନ୍ତି ବିଜୟ । ଦୁହେଁ ବସି ଖୁବ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ଖୋଲାଖୋଲି କହିଛନ୍ତି ବିଜୟ ମହାପାତ୍ର । ସେପଟେ ବିଜେପି କହିଛି ଦଳରେ ଯିଏ ଯେମିତି କାମ କରିବ ସିଏ ସେମିତି ସମ୍ମାନ ପାଇବ ବିଜେପି କେବେ କାହାକୁ ଅସମ୍ମାନ କରେନି ।

ଦିଲ୍ଲୀପଙ୍କ ପରେ ପରେ ବିଜୟ । ଦଳ ଛାଡିବେ ବିଜେପିର ଏହି ଦୁଇ ଭେଟରାନ । ବିଜେପି ବିଧାୟକ ଦିଲ୍ଲୀପ ରାୟ ବିଧାୟକ ପଦ ଛାଡିବା ନେଇ ଇସାରା ଦେଇଥିବା ବେଳେ ଏବେ ସେଥିରେ ହିଁ ମାରିଛନ୍ତି ବିଜୟ । ରାଉରକେଲାରେ ଆଇଜିଏଚ ହସ୍ପିଟାଲ ଓ ବ୍ରାହ୍ମଣୀ ସେତୁ ତିଆରି ପ୍ରସଙ୍ଗକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦିଲ୍ଲୀପ । ଆଉ ସେଥିଲାଗି ସେ ଲୋକଙ୍କ ପାଖରେ ନିନ୍ଦିତ ହେଉଥିବାରୁ ଦଳ ସାଥ ଛାଡିବା ନେଇ ନିଷ୍ପତ୍ତି ନେଇ ପାରନ୍ତି ବୋଲି କହିଥିଲେ । ତେବେ ବିଜୟ ଦିଲ୍ଲୀପଙ୍କ ସହ ସ୍ବର ମିଳାଇ କହିଛନ୍ତି ଦିଲ୍ଲୀପ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହା ସମସ୍ତେ ଜାଣିଛନ୍ତି । ଯେତେବେଳେ ଜଣେ ବିଧାୟକ ନିଜ ଅଞ୍ଚଳରେ ଅପମାନିତ ଓ ନିନ୍ଦିତ ହେବେ ସେତେବେଳେ ସେ ବାଧ୍ୟ ହୋଇ ଏମିତି ନିଷ୍ପତ୍ତି ନେବେ । ଆଗକୁ କଣ କରିବୁ ଆମେ ୨ ଜଣ ବସିବୁ ଓ ଏବଂ ନିଷ୍ପତ୍ତି ନେବୁ ବୋଲି କହିଛନ୍ତି ବିଜୟ ।

ରାଜ୍ୟ ରାଜନୀତିରେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଏକାଠି ନିଷ୍ପତ୍ତି ନିଅନ୍ତି । ବିଜେପିର ଜାତୀୟ କାର୍ଯ୍ୟକାରୀଣୀ ସଦସ୍ୟ ଥିବା ଏହି ଦୁଇ ନେତା ଏବେ ନିଜ ଦଳରୁ ଏକ ପ୍ରକାରର ସଂପର୍କ ତୁଟାଇ ସାରିଛନ୍ତି । ଦଳୀୟ କାର୍ଯ୍ୟାଳୟ ଓ ଦଳର କୈଣସି କାର୍ଯ୍ୟକ୍ରମରେ ଉଭୟଙ୍କ ସଂପୃକ୍ତି ଥିବା ଦେଖାଯାଉନି। ଏବେ ଏହି ନେତା ଦଳ ଛାଡିବା ଇସାରା ଦେବା ପରେ ବିଜେପି କହିଛି ଦଳରେ କେହି ଅଲଡୋ ନୁହନ୍ତି । ଯିଏ ଯେମିତି କାମ କରିବ ସିଏ ସେମିତି ସମ୍ମାନ ପାଇବ । ସେପଟେ ମାପିଚୁପି ମତ ରଖିଛନ୍ତି କଂଗ୍ରେସ ଓ ବିଜେଡି ।
ଯଦି ଦିଲ୍ଲୀପ ବିଜୟ ବିଜେପି ଛାଡ଼ିବେ, ତେବେ ସେମାନଙ୍କର ପରବର୍ତ୍ତୀ କାର୍ଯ୍ୟପନ୍ଥା କଣ ହେବ? କଣ ଉଭୟ ଶଙ୍ଖ ଧରିବେ କି। ନା ଉଭୟ ଆଗାମୀ ନିର୍ବାଚନରେ ପୁଣି ନିଜ ଦମରେ ନିର୍ବାଚନ ଲଢ଼ିବେ।