ଭାରତୀୟ ଅର୍ଥ ବ୍ୟବସ୍ଥାକୁ ମଜବୁତ୍ କରିବା ପାଇଁ ମୋଦୀ ସରକାର ନେଇଛନ୍ତି ଐତିହାସିକ ପଦକ୍ଷେପ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ଆଜି ରାଜ୍ୟ ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସମ୍ମିଳନୀରେ ସେ ମାନ୍ଦାବସ୍ଥା ଦୂର କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରୁଥିବା କହିଛନ୍ତି  ।

 ଧର୍ମେନ୍ଦ୍ର କହିଛନ୍ତି ଯେ, ଚୀନ ସହ ଆମେରିକାର ତିକ୍ତତା ଆର୍ଥିକ ମାନ୍ଦାବସ୍ଥାର କାରଣ । ସାଉଦୀ ଆରବର ତୈଳ ଖଣିରେ ଆତଙ୍କବାଦୀ ଆକ୍ରମଣ ମଧ୍ୟ ଅନ୍ୟ ଏକ କାରଣ  ।  ବିଶ୍ୱ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଭାରତ ଉପରେ ପଡିଛି  । ଦେଶର ଦେଖାଦେଇଥିବା ମାନ୍ଦାବସ୍ଥାକୁ ଦୂର କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି ।

ସେ କହିଛନ୍ତି ଅକ୍ଟୋବର, ୨୦୧୯ ପରେ ପଂଜୀକୃତ ହୋଇଥିବା କମ୍ପାନୀ ଗୁଡିକର ଯାହା ବିନିର୍ମାଣ (ମାନୁଫାକ୍ଚରିଂ) କ୍ଷେତ୍ରରେ କାର୍ଯରତ, ସେମାନଙ୍କ ଆୟ କରକୁ ୧୫ ପ୍ରତିଶତରେ ସୀମିତ ରଖାଯାଇଛି । ଏହି ନୂଆ କମ୍ପାନୀ ଗୁଡିକୁ କୌଣସି ସର୍ବନିମ୍ନ ବିକଳ୍ପ ଟିକସ (ଏମଏଟି) ମଧ୍ୟ ଦେବାକୁ ପଡିବ ନାହିଁ । ଯେଉଁ ପୁରୁଣା କମ୍ପାନୀ ଗୁଡିକ ସର୍ବନିମ୍ନ ବିକଳ୍ପ ଟିକସ ୧୮. ୫ ପ୍ରତିଶତ ହାରରେ ଦେଉଥିଲେ ଏହାକୁ ମୋଦୀ ସରକାର ୧୫ ପ୍ରତିଶତରେ ସୀମିତ ରଖିବା ପାଇଁ ନିର୍ଣୟ କରିଛନ୍ତି । ଏହି ପଦକ୍ଷେପ ମାନୁଫାକ୍ଚରିଂ ସେକ୍ଟରରେ ନୂଆ ପୁଂଜି ନିବେଶକୁ ପ୍ରୋତ୍ସାହିତ କରିବା ସହ ମୋଦୀ ସରକାରଙ୍କ ମେକ ଇନ ଇଣ୍ଡିଆ ପଦକ୍ଷେପକୁ ତ୍ୱରାନ୍ୱିତ କରିବ । ଏହି ଟିକସ ରିହାତି ଯୋଗୁ ପୁଂଜିନିବେଶକାରୀ ମାନେ ଭାରତର ଷ୍ଟକ ଏକ୍ସଚେଂଜରେ ସେୟାର କ୍ରୟ କରିବାକୁ ପ୍ରୋତ୍ସାହିତ ହୋଇଛନ୍ତି । ଏହି ଟ୍ୟାକ୍ସ ରିହାତି ଘୋଷଣା ପରେ ପରେ ବମ୍ବେ ଷ୍ଟକ ଏକ୍ସଚେଂର ସେନସେକ୍ସ ୩୬,୦୯୩ ପଏଂଟରୁ ୩୮,୦୧୭ ପଏଂଟରେ ପହଂଚି ପାରିଛି । ଏହି ୧୯୨୪ ପଏଂଟ ବୃଦ୍ଧି ଷ୍ଟକ୍ ଏକ୍ସଚେଂଜର ଇତିହାସରେରେ ଏକ ରେକର୍ଡ ସୃଷ୍ଟି କରିଛି ।୧ ହଜାରେ ଟଙ୍କାରୁ କମ ଭଡା ବିଶିଷ୍ଟ ହୋଟେଲ ରୁମ୍କୁ ଜିଏସଟି କର ମୁକ୍ତ କରାଯାଇଥିବା ବେଳେ ହଜାରେ ଟଙ୍କାରୁ ଉର୍ଦ୍ଧ୍ୱ ଓ ୭ ହଜାର ୫ ଶହ ଟଙ୍କା ମଧ୍ୟରେ ଲାଗୁଥିବା ଜିଏସଟିକୁ ୧୮ ପ୍ରତିଶତରୁ କମ କରା ଯାଇ ୧୨ ପ୍ରତିଶତ କରାଯାଇଛି । ସେହିପରି ୭ ହଜାର ୫ ଶହ ଟଙ୍କାରୁ ଉର୍ଦ୍ଧ୍ୱ ହୋଟେଲ ରୁମ ଭଡାରେ ଜିଏସଟିକୁ ୨୮ ପ୍ରତିଶତରୁ କମ କରି ୧୮ ପ୍ରତିଶତ କରା ଯାଇଛିା କୃଷି ଉତ୍ପାଦ ଯଥା ଡାଲି, ଚାଉଳ, ଚା, କଫି, ପନିପରିବା ଆଦିକୁ ପଣ୍ୟାଗାରରେ ସଂରକ୍ଷଣକୁ ଜିଏସଟି ପର୍ଯ୍ୟାୟକ୍ରମେ ହ୍ରାସ କରା ଯିବାକୁ ନିଷ୍ପତି ଗ୍ରହଣ କରା ଯାଇଛି । ବିଦ୍ୟୁତ ଚାଳିତ ବାହନ କ୍ରୟରେ ଜିଏସଟି ହାର ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରା ଯାଇଥିବା ବେଳେ ଇଲେକ୍ଟ୍ରିକ ଯାନ ଚାର୍ଜର ଏବଂ ଚାର୍ଜିଂ ପଏଂଟ ଉପରେ ଟିକସକୁ ମଧ୍ୟ ୧୮ ପ୍ରତିଶତରୁ ୫ ପ୍ରତିଶତ କମ କରା ଯାଇଛି । ସେ କହିଛନ୍ତି ଯେ ଉପରୋକ୍ତ ପଦକ୍ଷେପ ଗୁଡିକ ଦ୍ୱାରା କମ୍ପାନୀ ମାନଙ୍କ ଅଧିକ ଆୟ ବୃଦ୍ଧି ହେବା ସହ କମ୍ପାନୀ ମାନେ ଅଧିକ ପୁଂଜିନିବେଶ କରିବେ ।

ସେ ଆହୁରି କହିଛନ୍ତି ଯେ, ସେସ ୩୦ରୁ ୨୨ ପ୍ରତିଶତକୁ କମା ଯାଇଛି । ବାଣିଜ୍ୟିକ ପ୍ରତିଷ୍ଠାନଗୁଡିକୁ ୩୦ ପ୍ରତିଶତ ଟ୍ୟାକ୍ସ କମାଯାଇଛି । ଅକ୍ଟୋବର ୧ରୁ ନୂଆ ବ୍ୟବସାୟୀଙ୍କୁ ମାତ୍ର ୧୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ । ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କୁ ୭୦ ହଜାର କୋଟିର ପୁଂଜି ପ୍ରଦାନ ନିଷ୍ପତି ନିଆଯାଇଛି  ।  ଛୋଟଛୋଟ ବ୍ୟବସାୟୀ କମ୍ ସୁଧରେ ବ୍ୟାଙ୍କରୁ ଋଣ ପାଇପାରିବେ  ।  ଏହାଦ୍ୱାରା ବଜାରରେ ଆର୍ଥିକ ଗତିବିଧି ଦୃତ ବୃଦ୍ଧି ପାଇବ  ।  ହୋଟେଲ ଶିଳ୍ପ ଉପରେ ଜିଏସଟି ହ୍ରାସ କରିବାକୁ ନିଷ୍ପତି ନିଆଯାଇଛି । ଏପରି କରିବା ଦ୍ୱାରା ଓଡିଶାରେ ପର୍ଯ୍ୟଟନ ଶିଳ୍ପ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।